ନବ ବିବାହିତାଙ୍କୁ ଯୌତୁକ ନିର୍ଯାତନା
ଭଣ୍ଡାରିପୋଖରୀ, ( ଦୁର୍ଯ୍ୟଧନ ଲେଙ୍କା) :ଭଣ୍ଡାରିପୋଖରୀ ଥାନା ରାଜେନ୍ଦ୍ରପୁର ପଂଚାୟତ ଦେଓପଦା ଗ୍ରାମରେ ଆଜି ଜଣେ ନବବିବାହିତା ମହିଳାଙ୍କୁ ଅଧିକ ଯୌତୁକ ପାଇଁ ମରଣାତ୍ମକ ଆକ୍ରମଣ ହୋଇଥିବା ପୁଲିସ ନିକଟରେ ଅଭିଯୋଗ ହୋଇଛି । ପ୍ରାପ୍ତ ଅଭିଯୋଗ ଅନୁଯାୟୀ ଦେଓପଦା ଗ୍ରାମର ସ୍ଵର୍ଗତ ବିଶ୍ୱମ୍ବର ରାଉତଙ୍କ ପୁଅ ପ୍ରମୋଦ ସହିତ କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଅଧିନ ବାହାରିପୁର ଗ୍ରାମର ନାରାୟଣ ସ୍ୱାଇଁଙ୍କ ଝିଅ ଗୀତାରାଣୀ ବୈଦିକ ବିଧି ଅନୁଯାୟୀ ଗତ ୧୪.୭.୨୦୨୧ରେ ବିବାହ କରିଥିଲେ । ବାହାଘର ଅଷ୍ଟମଙ୍ଗୁଳା ପରେ ବର ଘର ପକ୍ଷ ଅଧିକ ଯୌତୁକ ପାଇଁ ଗୀତାରାଣୀକୁ ଶାରୀରିକ ନିର୍ଯାତନା ଦେଇ ଆସୁଥିବା ବେଳେ ଏବେ ଜୀବନରୁ ମାରି ଦେବା ପାଇଁ ମଧ୍ୟ ଚେଷ୍ଟା କରିଥିଲେ । ଏପରିକି ଗୀତରାଣୀକୁ ସ୍ୱାମୀ ପ୍ରମୋଦ, ଶାଶୂ ଅନୁପମା ଓ ବଡ ଯା ପୂର୍ଣ୍ଣିମା ମରଣାତ୍ମକ ଆକ୍ରମଣ କରିଥିଲେ । ଏଥିରେ ଗୀତାରାଣୀ ଆହତ ହୋଇ ଭଣ୍ଡାରିପୋଖରୀ ମେଡିକାଲରେ ପ୍ରାଥମିକ ଚିକିତ୍ସା ହୋଇଥିବା ବେଳେ ଅଧିକ ଚିକିତ୍ସା ପାଇଁ ଭଦ୍ରକ ଯାଇଥିବା ଜଣାପଡିଛି । ଏନେଇ ସେ ଥାନାରେ ତିନି ଅଭିଯୁକ୍ତଙ୍କ ନାମରେ ଲିଖିତ ଭାବେ ଜଣାଇବାପରେ ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି ।


