ନଭେମ୍ବର ୩ରେ ରାଜ୍ୟର ସବୁ ଜିଲ୍ଲା ମୁଖ୍ୟାଳୟ ଓ ବ୍ଲକସ୍ତରରେ ହେବ ଛୋଟ ଦୀପାବଳୀ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ଓଡ଼ିଶା ପ୍ରଦେଶ ତରଫରୁ ଆସନ୍ତା ନଭେମ୍ବର ୩ ତାରିଖ ଦିବା ୧୧ ଘଟିକାରେ ଏକସାଙ୍ଗରେ ରାଜ୍ୟର ୩୪ଟି ସାଂଗଠନିକ ଜିଲ୍ଲା ମୁଖ୍ୟାଳୟ ଓ ୩୧୪ଟି ବ୍ଲକସ୍ତରରେ ଛୋଟ ଦୀପାବଳୀ ଉତ୍ସବ ପାଳନ କରାଯିବ । ସମଗ୍ର ଦେଶରେ ୭୪୮ ଜିଲ୍ଲାରେ ଏକା ସମୟରେ ଓ ଗୋଟିଏ ଦିନରେ ସଂଗଠନ ତରଫରୁ ଏହି କାର୍ଯ୍ୟକ୍ରମ ଆୟୋଜିତ ହେବ ବୋଲି ଜନସଂଖ୍ୟା ସମାଧାନ ଫାଉଣ୍ଡେସନର ପ୍ରଦେଶ ସଭାପତି ବିପିନ ବିହାରୀ ଦାସ ପ୍ରକାଶ କରିଛନ୍ତି । ଗତକାଲି ସନ୍ଧ୍ୟାରେ ଆୟୋଜିତ ଏକ ଆଭାସୀ ବୈଠକରେ ଏ ବିଷୟରେ ନିଷ୍ପତ୍ତି ନିଆଯାଇଥିବା ସଭାପତି ଶ୍ରୀ ଦାସ ଜଣାଇଛନ୍ତି । ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ଗଠନ ହେବା ଦିନଠାରୁ ସମଗ୍ର ଦେଶରେ ଦୀର୍ଘ ୮ ବର୍ଷ ଧରି କାର୍ଯ୍ୟ କରିଆସୁଛି । ଦେଶର ସର୍ବାଙ୍ଗୀନ ଉନ୍ନତି, ଜାତୀୟତାବାଦର ସୁରକ୍ଷା, ହିନ୍ଦୁ ସଂସ୍କୃତିର ସୁରକ୍ଷା ଏବଂ ସନାତନ ଧର୍ମର ଅସ୍ମିତା ରକ୍ଷା କରିବା ପାଇଁ ସମଗ୍ର ଦେଶରେ ୭୦ ଲକ୍ଷରୁ ଉର୍ଦ୍ଧ୍ୱ ହିନ୍ଦୁ ସେନାନୀ ସଦା ସର୍ବଦା ତତ୍ପରତା ସହ କାର୍ଯ୍ୟରେ ନିୟୋଜିତ ଅଛନ୍ତି । ଜନସଂଖ୍ୟା ସନ୍ତୁଳନ ପାଇଁ ସଂଗଠନ ସଦାସର୍ବଦା କଠୋର ଓ ସଶକ୍ତ ଜନ୍ମ ନିୟନ୍ତ୍ରଣ ଆଇନ ପାର୍ଲାମେଣ୍ଟର ଉଭୟ ଗୃହରେ ପ୍ରଣୟନ ପାଇଁ ଦାବିକରି ଆସୁଛି । ସବୁ ନାଗରିକମାନଙ୍କ ପାଇଁ ସମାନ ଆଇନ ଏବଂ ଦେଶର ସବୁ ରାଜ୍ୟରେ ସିଏଏ ଲାଗୁ କରିବା ପାଇଁ ସଂଗ୍ରାମ କରିଆସୁଛି । ଓଡ଼ିଶାରେ ସଂଗଠନ ଶୈଶବ ଅବସ୍ଥାରେ ଥିଲେ ମଧ୍ୟ ସଂଗଠନର କାର୍ଯ୍ୟ ଓ ଲକ୍ଷ୍ୟ ପ୍ରତି ଶତାଧିକ ଜନତା ସ୍ୱତଃ ଆକୃଷ୍ଟ ହୋଇ ସଂଗଠନରେ ଯୋଗ ଦେଇଥିବାରୁ ଓଡ଼ିଶାବାସୀଙ୍କୁ ସଂଗଠନ ତରଫରୁ ଧନ୍ୟବାଦ ଦିଆଯାଇଛି । ଆୟୋଜିତ ଆଭାସୀ ବୈଠକରେ ରାଜ୍ୟର ସବୁ ଅଧିକାରୀ, କାର୍ଯ୍ୟକାରିଣୀ ସଦସ୍ୟ, ଜିଲ୍ଲା ସଭାପତି ଓ ଜିଲ୍ଲା ପ୍ରଭାରୀଙ୍କ ସମେତ ବ୍ଲକ ଅଧ୍ୟକ୍ଷମାନେ ଯୋଗ ଦେଇଥିଲେ । ଏହି ଆଭାସୀ ବୈଠକରେ ରାଜ୍ୟ ସଂଯୋଜକ ଯଦୁମଣି ପାଣିଗ୍ରାହୀ, ଉପସଭାପତି ସର୍ବଶ୍ରୀ ନିଗମାନନ୍ଦ ପଟ୍ଟନାୟକ, ଗୋବିନ୍ଦ ଅଗ୍ରୱାଲ, ପ୍ରଦୀପ୍ତ ଜେନା, ସରୋଜ ସାହୁ ଏବଂ ରାଜ୍ୟ ସାଧାରଣ ସମ୍ପାଦକ ମିହିର ପାଣି, ଦିଲ୍ଲୀପ ସ୍ୱାଇଁ, ଜଗନ୍ନାଥ ଗଡ଼ନାୟକ ସିଂ, ଗୋପାଳଜି ପାଣିଗ୍ରାହୀ, ସୂର୍ଯ୍ୟନାରାୟଣ ଦାଶ, ମହିଳା ମୋର୍ଚ୍ଚା ସଭାନେତ୍ରୀ ଭାରତୀ ପଣ୍ଡା ପ୍ରମୁଖ ଦିଗ୍ଦର୍ଶନ ଦେଇଥିଲେ । ବୈଠକ ଶେଷରେ ରାଜ୍ୟ ସମ୍ପାଦକ ମଞ୍ଜୁଲତା ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ ।