ନର୍ଲା ଫରେଷ୍ଟ ରେଞ୍ଜରେ କାମ୍ପା ଫଣ୍ଡରେ କୋଟିକୋଟି ଟଙ୍କା ଲୁଟ
ଭୁବନେଶ୍ୱର : କଳାହାଣ୍ଡି ନର୍ଥ ଡ଼ିଭିଜନ ଅନ୍ତର୍ଗତ ନର୍ଲା ରେଞ୍ଜରେ କମ୍ପା ଫଣ୍ଡରେ ପ୍ଲାଣ୍ଟେସନ ପାଇଁ ଆସିଥିବା ୨ କୋଟିରୁ ଉର୍ଦ୍ଧ୍ୱ ଟଙ୍କାକୁ କିଭଳି ଚାରାଗଛ ରୋପଣ କରାନଯାଇ ଜାଲ ଭାଉଚର ବିଲ୍ ମାଧ୍ୟମରେ ଲୁଟ୍ କରାଯାଇଛି, ସୂଚନା ଅଧିକାର ଆଇନ୍ରେ ଏହାର ଖୁଲାସା ହୋଇଛି । ଏହି ତଥ୍ୟ ଆଧାରରେ ଭବାନୀପାଟଣାର ବିନ୍ଦୁ ନାୟକ ନାମକ ସୂଚନାଧିକାର କର୍ମୀ ଏହି ଲୁଟ୍ ଉପରେ ତଦନ୍ତ କରି ସମ୍ପୃକ୍ତ ଅଧିକାରୀମାନଙ୍କୁ ଦଣ୍ଡିତ କରିବା ସହିତ ତାଙ୍କଠାରୁ ହଡ଼ପ ହୋଇଥିବା ସମସ୍ତ ଅର୍ଥ ଆଦାୟ କରିବା ପାଇଁ ଲୋକାୟୁକ୍ତରେ ଆଜି ଅଭିଯୋଗ କରିଛନ୍ତି । ସୂଚନାଥାଉକି, ରାଜ୍ୟମାନଙ୍କରେ ବନୀକରଣ ପାଇଁ ଗଚ୍ଛିତ ହୋଇଥିବା ବଳକା ଅର୍ଥ କଚ୍ଛପ ଗତିରେ ଦେୟ ହେଉଥିବା ଉପରେ ଉଦ୍ବିଗ୍ନ ପ୍ରକାଶ କରି ସୁପ୍ରିମକୋର୍ଟ ସ୍ୱୟଂ କାମ୍ପା ଫଣ୍ଡ / ଯୋଜନା ଗଠନ କଲେ । ପରବର୍ତ୍ତୀ ସମୟରେ ଏବେକାର କେନ୍ଦ୍ର ସରକାର ୨୦୧୬ ମସିହାରେ ଏହାକୁ ସଂସଦରେ ବିଲ୍ ପାରିତ କରି ଆଇନ୍ରେ ପରିଣତ କଲେ । ଏହି ଯୋଜନାଟିର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଗଚ୍ଛିତ ହୋଇ ହୋଇଥିବା ୩୯ ହଜାର କୋଟି ଟଙ୍କାକୁ ରାଜ୍ୟମାନେ ନିଜ ନିଜର ରାଜ୍ୟରେ ବନୀକରଣ ସହିତ ନୂତନ ଜଙ୍ଗଲ ସୃଷ୍ଟି ଏବଂ ଜୈବ ବିବିଧତା ସଂରକ୍ଷଣ ପାଇଁ ବ୍ୟବହାର କରିବେ । ଏହି ଯୋଜନାରେ ଓଡ଼ିଶା ସମେତ ପ୍ରତ୍ୟେକ ରାଜ୍ୟକୁ ବନୀକରଣ ଲାଗି ବିଭିନ୍ନ ଡ଼ିଭିଜନ ଓ ରେଞ୍ଜକୁ କୋଟି କୋଟି ଟଙ୍କା ପ୍ରଦାନ କରିଛନ୍ତି । ଗତ ୨୬.୧୧.୨୦୧୯ ମସିହାରେ ସୂଚନା ଅଧିକାର କର୍ମୀ ବିନ୍ଦୁ ନାୟକ କଳାହାଣ୍ଡ ଫରେଷ୍ଟ ଡ଼ିଭିଜନର ନର୍ଲା ରେଞ୍ଜକୁ କେତେ ଟଙ୍କା କାମ୍ପା ଯୋଜନାରେ ଆସିଛି ବୋଲି ତଥ୍ୟ ମାଗିଥିଲେ । ଫଳରେ ୩.୧.୨୦୨୦ ମସିହାରେ ତାଙ୍କୁ ଯେଉଁ ସୂଚନା ମିଳିଲା ସେଥିରେ ୨୦୧୫-୧୬ ଏବଂ ୨୦୧୬-୧୭ ମସିହାରେ କଳାହାଣ୍ଡି ନର୍ଥ ଡ଼ିଭିଜନ ଅନ୍ତର୍ଗତ ନର୍ଲା ରେଞ୍ଜକୁ ୨,୨୧,୬୨,୬୦୮ ଟଙ୍କା ଅନୁମୋଦନ ହୋଇଛି । ଉକ୍ତ ଅର୍ଥରେ ନର୍ଲା ରେଞ୍ଜରେ ୧୪୫୦ ହେକ୍ଟର ଜମି ଉପରେ ଚାରା ଗଛ ରୋପଣ କରାଯାଇଛି ବୋଲି ସୂଚନା ପ୍ରଦାନ କରାଯାଇଛି । ଏହି ତଥ୍ୟ ପାଇବା ପରେ ବିନ୍ଦୁ ନାୟକ ଏହାର ସତ୍ୟାସତ୍ୟ ଜାଣିବା ପାଇଁ ସେ ନିଜେ ସେ ଜାଗାକୁ ଯାଇଥିଲେ ଏବଂ ସେ ଜାଗା ଉପରେ ବାସ୍ତବରେ ଚାରା ଗଛ ରୋପଣ ହୋଇଛି କି ନାହିଁ ଅନୁଧ୍ୟାନ କରିଥିଲେ । ଅନୁଧ୍ୟାନରୁ ଜଣାପଡ଼ିଲା ସେହି ୧୪୫୦ ହେକ୍ଟର ଜମି ଉପରେ ବର୍ତ୍ତମାନ ସୁଦ୍ଧା କୌଣସି ଚାରାଗଛ ରୋପଣ କରାଯାଇ ନାହିଁ ଏବଂ ସୂଚନା ମିଳିଥିବା ସମସ୍ତ ତଥ୍ୟକୁ ତନ୍ନ ତନ୍ନ କରି ପରୀକ୍ଷା କରିବାରୁ ଜଣାପଡ଼ିଲା ବାସ୍ତବରେ ଉପରୋକ୍ତ ଜାଗାରେ କୌଣସି ଚାରା ଗଛ ରୋପଣ ନୂତନ ଜଙ୍ଗଲ ସୃଷ୍ଟି ନ କରି ଫରେଷ୍ଟର, ରେଞ୍ଜରମାନେ ବହୁତ ଗୁଡ଼ିଏ ଜାଲ୍ ବିଲ୍ ଏବଂ ଭାଉଚର କରି ସମସ୍ତ ନୀତିନିୟମକୁ ଜଳାଞ୍ଜଳି ଦେଇ ଅନୁମୋଦନ ହୋଇଥିବା ସମସ୍ତ ଅର୍ଥ ହଡ଼ପ କରିଛନ୍ତି । ଓଡ଼ିଶା ଫରେଷ୍ଟ କୋଡ଼ ଅନୁଯାୟୀ ଯେତେବେଳେ ଚାରାଗଛ ରୋପଣ କରିବା ପାଇଁ କୌଣସି ଲେବର ବା ଶ୍ରମିକ ନିଯୁକ୍ତି କରାଯାଏ, ତାଙ୍କୁ ଦୈନିକ ମଜୁରୀ ପ୍ରଦାନ କରିବା ପାଇଁ ମଷ୍ଟର ରୋଲ୍ ବ୍ୟବସ୍ଥା କରି ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ପଠାଯାଏ । କିନ୍ତୁ ଏଠାରେ ଏହା କରାନଯାଇ କଣ୍ଟ୍ରାକ୍ଟର ଭାଉଚର ମାଧ୍ୟମରେ ଶ୍ରମିକମାନଙ୍କୁ ଲକ୍ଷ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି ଯାହାକି ଗତ ଜାନୁୟାରୀ ୨୦୧୭ ମସିହାରେ ୧୫ଟି କଣ୍ଟ୍ରାକ୍ଟର ଭାଉଚର ମାଧ୍ୟମରେ ୪୮ ହଜାର ଟଙ୍କା ଲେବରମାନଙ୍କୁ ପ୍ରଦାନ କରାଯାଇଛି ଏବଂ ସର୍ବମୋଟ ୭ ଲକ୍ଷ ୧୬ ହଜାର ଟଙ୍କା କଣ୍ଟ୍ରାକ୍ଟର ଭାଉଚର ମାଧ୍ୟମରେ ପ୍ରଦାନ କରାଯାଇଛି । ସେହିପରି ଫେବୃୟାରୀ ୨୦୧୬ ମସିହାରେ ମୋଟ ୧ଲକ୍ଷ ୫୮ହଜାର ଟଙ୍କା ୫ଜଣ ଶ୍ରମିକ /ବ୍ୟକ୍ତିଙ୍କୁ ପ୍ରଦାନ କରାଯାଇଛି । କିନ୍ତୁ ଏହି ଅର୍ଥ କୌଣସି ଆକାଉଣ୍ଟ ମାଧ୍ୟମରେ ପ୍ରଦାନ କରି ସେମାନଙ୍କୁ ସିଧାସଳଖ ପ୍ରଦାନ କରାଯାଇଛି ଯାହାକି ନିୟମ ବର୍ହିଭୁତ ଅଟେ । ଉଭୟ ରେଞ୍ଜର ଏବଂ ଫରେଷ୍ଟର ଶ୍ରମିକମାନଙ୍କୁ ଅର୍ଥ ପ୍ରଦାନ କରିବା ପାଇଁ ଜାଲ୍ ମଷ୍ଟର ରୋଲ ତିଆରି କରିଛନ୍ତି ଏବଂ ଜାଲ୍ ଦସ୍ତଖତ ମଧ୍ୟ କରାଇଛନ୍ତି । ଏଭଳି ସମସ୍ତ ଡ଼କ୍ୟୁମେଣ୍ଟସରେ ଜଣେ ବ୍ୟକ୍ତି ସମସ୍ତ ଦସ୍ତଖତ କରିଛି ବୋଲି ଜଳ ଜଳ ହୋଇ ଜଣାପଡ଼ୁଛି । ସେହିପରି ଡ଼େଲି ଲେବର ଭାଉଚରକୁ ଦେଖିଲେ ଜଣାପଡ଼ୁଛି ପ୍ରତ୍ୟେକ ଜଗୁଆଳୀମାନଙ୍କୁ ୨୬ ଦିନ କାମ ପାଇଁ ୫୨୦୦ ଟଙ୍କା ପ୍ରଦାନ କରାଯାଇଛି ଯାହାକି ମଧ୍ୟ ଜାଲିଆତି ବୋଲି ଜଣାପଡ଼ୁଛି । ତେଣୁ ଏହିଭଳି ଭାବରେ ଲକ୍ଷ ଲକ୍ଷ ଟଙ୍କା ଜାଲ୍ ଦସ୍ତଖତ ଓ ଭାଉଚର କରି ଉଠାଯାଇଛି ଏବଂ କୌଣସି ଚାରାଗଛ ରୋପଣ ନ କରି ଳକ୍ଷ ଳକ୍ଷ ଟଙ୍କା ଲୁଟ୍ କରାଯାଇଛି । ଏହି କାମରେ ରେଞ୍ଜର୍ସ ଅନ୍ତର୍ଯ୍ୟାମୀ ଦାସ, ଫରେଷ୍ଟର ସମ୍ପଦ କୁମାର, ଏସିଏଫ୍ ସୁଶାନ୍ତ କୁମାର ସାମନ୍ତରାୟ ଏବଂ ଡ଼ିଏଫ୍ଓ ଲଳିତେନ୍ଦୁ ଜେନା ଏବଂ ଆରସିସିଏଫ୍ ସୁରେଶ ପନ୍ଥ ଆଦି ଅଫିସରମାନଙ୍କର ସମ୍ପୃକ୍ତ ରହିଛି ବୋଲି ସନ୍ଦେହ କରାଯାଉଛି ଏବଂ ସୂଚନା ଥାଉକି ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ପୂର୍ବରୁ ଡ଼ିଏଫ୍ଓ ଲଳିତେନ୍ଦୁ ଜେନା ଭିଜିଲାନ୍ସ ଦ୍ୱାରା ନିଲମ୍ବନ ହୋଇଛନ୍ତି । ଏହି ଅଭିଯୋଗକୁ ଭିତ୍ତିକରି ବିନ୍ଦୁ ନାୟକ ଆଜି ଲୋକାୟୁକ୍ତ ଏହା ଉପରେ ଅଧିକ ତଦନ୍ତ ଏବଂ ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଲୋକାୟୁକ୍ତରେ ଅଭିଯୋଗ କରିଛନ୍ତି ।