ନଷ୍ଟ ନୀଡ଼ର ଉଡ଼ାପକ୍ଷୀ
ବନ୍ଧୁ ନରହରି ୟୁରୋପରୁ ଫେରି ନରୱେ ଦେଶର ହୋଟେଲ ମାନଙ୍କରେ ଯେଉଁ ଗୁପ୍ତଦାନ କଥା କହିଗଲେ ଅର୍ଥାତ ଧନୀ ଲୋକ କଫି ଓ ଲଞ୍ଚ କିଣିନେଲା ବେଳେ ଧରନ୍ତୁ ପାଞ୍ଚୋଟି ପ୍ୟାକେଟର ପଇସା ଦେଇ ଦୁଇ କି ତିନୋଟି ନେଇ ଅନ୍ୟ ଦୁଇ କି ତିନୋଟି ପ୍ୟାକେଟ ଛାଡିଦେଇ ଯାଆନ୍ତି. ଯାହାସବୁ ଅସହାୟ ଗରୀବ ନିଷ୍ପେସିତ ଜନତାଙ୍କ ପାଇଁ ଉଦିଷ୍ଟ ଥାଏ. ଏସବୁ କଥା ମନରେ ଥାଏ କୃପାସିନ୍ଧୁବାବୁଙ୍କର. ସେଦିନ ସ୍ତ୍ରୀ ଅନୁରାଧାଙ୍କ ଅନୁରୋଧରେ ହୋଟେଲ ଯାଇଥାନ୍ତି କୃପାସିନ୍ଧୁବାବୁ. ସେଠାରେ ଲକ୍ଷ କଲେ ଜଣେ ଜଣେ ବ୍ୟକ୍ତି ବିଶେଷ ନିଜ ଲଞ୍ଚ ପାଇଁ ବହୁ ଆଇଟମ ମଗେଇ ଦେଇ ଅଳ୍ପ ଟିକେ ଖାଇ କାଉଣ୍ଟରକୁ ଯାଇ ପଇସା ଦେଇ ଫେରୁଛନ୍ତି. ଯୋଉ ଖାଦ୍ୟ ପଡିରହୁଛି ତାହା ହୁଏତ କେଉଁ ଭୋକିଲା ମଣିଷର ପେଟ ପୁରିବା ପାଇଁ ଯଥେଷ୍ଟ ଅଧିକ. ଏମିତିକି ହାତମରାଯାଇନଥିବା ଖାଦ୍ୟ ଫିଙ୍ଗା ଯାଉଛି ଡଷ୍ଟବିନରେ. ଏମିତି ଗୋଟେ କି ଦୁଇଟା ପ୍ଲେଟ ନୁହେଁ ବରଂ ବହୁ ପ୍ଲେଟର ଖାଦ୍ୟ ଏମିତି ନଷ୍ଟ ହେଉଥିବା ଦେଖି କୃପାସିନ୍ଧୁବାବୁ ଉଠିଗଲେ କାଉଣ୍ଟର ପାଖକୁ ସେହି ସବୁ ପ୍ଲେଟରେ ଥିବା ଖାଦ୍ୟକୁ ପୁଣି କିଣି ନେଇ ବାହାରକୁ କୌଣସି ଭିକାରୀ,ଶିଶୁ ବା ବୟସ୍କ ବ୍ୟକ୍ତି ବୃଦ୍ଧ କି ବୃଦ୍ଧାଙ୍କୁ ଦେବାକୁ ଆଗେଇ ଯାଉଥିଲେ ତ ପଛରୁ ଭିଡି ଧରିଲେ ସ୍ତ୍ରୀ ଅନୁରାଧା. ସ୍ୱାମୀଙ୍କ ହାତରୁ ସେହି ପ୍ଲେଟର ଖାଦ୍ୟ ସବୁକୁ ନିଜ ପାଇଁ ରଖି, ନିଜେ ମଗାଇଥିବା ଦୁଇଟି ଲଞ୍ଚର ଖାଦ୍ୟପେୟସବୁକୁ ନେଇଯାଇ ଦାନ କରିବାକୁ କହୁଥିଲେ ସ୍ୱାମୀଙ୍କୁ. ହସି ହସି ସ୍ୱାମୀ ସେହିସବୁ ନିଜ ଦୁହିଁଙ୍କ ଖାଦ୍ୟପେୟ ସବୁକୁ ନେଇ ବାହାରେ ଦେଇ ଆସିବା ପରେ ଦେଖୁଥିଲେ ସ୍ତ୍ରୀ ଖାଇଚାଲିଛନ୍ତି ସେହି ଅଳ୍ପ ଅଳ୍ପ ଖାଇ ଛାଡିଯାଇଥିବା ଥାଳିରୁ ଆଉ ନିର୍ଦ୍ଦେଶ ଦେଉଥିଲେ ସ୍ୱାମୀଙ୍କୁ ଖାଇବାକୁ. ହୋଟେଲର ସମସ୍ତ କର୍ମଚାରୀ ତାଳି ମାରୁଥିଲେ. କହୁଥିଲେ ସାକ୍ଷାତ ମାଆ ଅନ୍ନପୂର୍ଣ୍ଣା.
ବାଟରେ ଅନୁରାଧା କହିଲେ ତୁମ ବନ୍ଧୁ ନରହରି ବାବୁ ସିନା ୟୁରୋପର ହୋଟେଲ ମାନଙ୍କରେ ଗୁପ୍ତଦାନ ବିଷୟରେ କହି ଆମେ ସମସ୍ତେ ସେମାନଙ୍କ ରାସ୍ତା ଆପଣେଇବାକୁ କହିଗଲେ କିନ୍ତୁ ଆମ ଦେଶରେ କଣ ଅସହାୟ ବୃଦ୍ଧ, ବୃଦ୍ଧା ତଥା ଶିଶୁମାନଙ୍କ ପାଇଁ ବେସରକାରୀ ଅନାଥାଆଶ୍ରମ ଖୋଲିନିକି? ଲୋକମାନେ ସେମାନଙ୍କ ମାସିକ ଖର୍ଚ୍ଚରୁ କାଟି ଦେଉଛନ୍ତି ବୋଲିତ ସଂସ୍ଥା ଚାଲିଛି. ଖାଲି ଖାଦ୍ୟପେୟ ନୁହେଁ ବରଂ ସମସ୍ତ ପୋଷକ ତତ୍ୱ ଯଥା ଶିକ୍ଷା, ସ୍ୱାସ୍ଥ୍ୟ, ପୋଷାକ ଓ ସୁଷମ ଖାଦ୍ୟ ସହ ଅନ୍ୟାନ୍ୟ ଆନୁସାଙ୍ଗିକ ପଦାର୍ଥ ଓ ଦ୍ରବ୍ୟ ଯୋଗାଇବାରେ ସେମାନେ ସବା ଆଗରେ ରହିଛନ୍ତି . ତା ଛଡା ଆମ ଦେଶ ଓ ରାଜ୍ୟରେ ଯିଏ ବି କିଛି ଦାନ କରୁଛି ତାର ଫଟୋ ନଛାଡିଲେ ଲୋକମାନେ ସେସବୁ ପଢି, ଜାଣି, ଶୁଣି, ସେଠାକୁ ଆସିବେ ବା ସେହିଭଳି ବ୍ୟକ୍ତି ବିଶେଷଙ୍କୁ ପଠାଇପାରିବେ ତ!ବାକି ଆମ ରାଜ୍ୟରେ କଣ ନହୋଇଛି କହିଲ? କୃପାସିନ୍ଧୁ ବାବୁ କହିଲେ ହଁ ହେଇଛି. ତୁମ କହିବା ଅନୁସାରେ ଗରୀବ ଦୁଃଖିଙ୍କ ପାଇଁ ଆହାର ଯୋଜନା, କୁଷ୍ଠରୋଗୀମାନଙ୍କ ଥଇଥାନ କରାଯାଇ ମନ୍ଦିର ପ୍ରକଳ୍ପ ଯୋଜନା ହେଇଛି ବୋଲି କହୁଛତ?ହେଲେ ସେସବୁ ଆହାର ଯୋଜନାରେ କଣ ପ୍ରକୃତ ଗରୀବ ଉପକୃତ ହେଉଛନ୍ତି? ସ୍ତ୍ରୀ ଅନୁରାଧା ଚାହିଁଲେ ସ୍ୱାମୀଙ୍କୁ କହିଲେ ୟୁରୋପର ନରଓ୍ବେ ସହରରେ ଯୋଉ ଅସହାୟ ମଣିଷ ଆସି ଗୁପ୍ତଦାନ ହିସାବରେ ଥିବା କଫି ଓ ଲଞ୍ଚ ଖାଉଛନ୍ତି ସେମାନେ ପ୍ରକୃତ ଗରୀବ ବୋଲି ତୁମେ କହିପାରିବ?ବରଂ ମୁଁ ଏଥର ଭୋଟ ପାଇଲେ ଷଣ୍ଢ,ବୁଲା କୁକୁର ବିଲେଇଙ୍କ ପାଇଁ କିଛି ଥଇଥାନ ବ୍ୟବସ୍ଥା କରିବି ଭାବିଛି. କୃପାସିନ୍ଧୁବାବୁ କହିଲେ ତୁମକୁ କେହି ଭୋଟ ଦେଇନଥିବେ. କାହିଁକି? କାରଣ ତୁମ ପାଖରେ ପଇସା ନାହିଁ. ମୋର ପଇସା ନଥାଇ ପାରେ କିନ୍ତୁ ଭଗବାନ ପ୍ରତ୍ୟେକ୍ଷ ଉପହାର ବଦଳରେ ମତେ ପରୋକ୍ଷ ଉପହାର ସ୍ୱରୂପ ସୁସ୍ଥ ମସ୍ତିଷ୍କ ଦେଇଛନ୍ତି. ଯାହା ଦ୍ୱାରା ବୁଦ୍ଧି ଖଟେଇ ମୁଁ ସୁସ୍ଥ ପରମ୍ପରା ଗଢିବା ପାଇଁ ସମସ୍ତ ରୁଗ୍ଣ ଓ ଅସୁସ୍ଥ ପରମ୍ପରାଗୁଡିକର ଶୀରଛେଦ କରିବି ନିଶ୍ଚୟ. କଣ କରିବ ଶୁଣେ?ପ୍ରଥମେ ବୃଦ୍ଧ ବୃଦ୍ଧା ମାନଙ୍କୁ ଘର ଛାଡି ବୃଦ୍ଧାଶ୍ରମରେ ରଖିବାର ସରକାରୀ ଯୋଜନାରେ ମୋହର ମାରିବି. କାରଣ ଆଜିକାଲି ପୁଅ ଝିଅ ସମସ୍ତେ ଚାକିରିଆ. ଯିଏ ଯାହା ଧନ୍ଦାରେ ଥିଲାବେଳେ ଏଇ ବୃଦ୍ଧ ବୃଦ୍ଧାମାନେ ଅଯଥା ଆଶାନ୍ତି ଓ କଳହର କାରଣ ହେଉଛନ୍ତିଘରେ ଘରେ.ବଞ୍ଚିବାର ସର୍ବଶ୍ରେଷ୍ଠ କୌଶଳ ନିଜେ ନିଜ କାମ କରି ଅନ୍ୟର କିଛି କରିବା, ନଚେତ ଅନ୍ତତଃ ନିଜ କାମ ନିଜେ କରିବା. କିନ୍ତୁ ଦେଖାଯାଉଛି ବୃଦ୍ଧ ବୃଦ୍ଧାମାନେ ନିଜକୁ ଅସହାୟ, ଦୁର୍ବଳ ମନେକରି ନିଜ କାମ ଅନ୍ୟ କେହି କରିଦେଉ ପୁଣି ଘଷା ମୋଡା, ମନେପକାଇ ଔଷଧ କେହି ଖାଲି ଦେଉ ନୁହେଁ ବରଂ ଢ଼ୋକିବାକୁ ପାଣି ମଧ୍ୟ ବଢ଼େଇ ଦେଉ. ସତେ ଯେମିତି ନିଜ ଯୁବକ ଯୁବତୀ ଅବସ୍ଥାରେ ଅନ୍ୟ ପାଇଁ କରିଥିଲେ ଏମିତି.ତେଣୁ ଅବସର ପରେ ତୁମର ମୋର ଆଗ ଅନାଥାଶ୍ରମ ଯିବା ପାଇଁ ଆମ ତରଫରୁ କହିବା. ସେଠି ମଧ୍ୟ ବିଭିର୍ନ୍ନ ସହାୟକ ପଦବୀ ନିଯୁକ୍ତି ହୋଇପାରିବ. ବେକାରୀ ଦୂର ହେବ. ବୃଦ୍ଧ ବୃଦ୍ଧାମାନେ ଘର ଓ ପର ଛିଦ୍ର ଖୋଜିବା ବଦଳରେ ଗୋ ମାତା ସେବା, ମାନବ ସେବା, ପଶୁପକ୍ଷୀ ସେବା କରି ପରୋକ୍ଷରେ ଗୀତା, ଭାଗବତ ରାମାୟଣ ପଢି ମାଧବ ସେବା କରିପାରିବେ.କୃପାସିନ୍ଧୁ ବାବୁ କହିଲେ ମୁଁ ସେସବୁ କରିପାରିବି ନାହିଁ. ତେବେ ତୁମେ ଟିଭି ଦେଖିବ, ଭଜନ ଶୁଣିବ ବା ଛୋଟ ଛୋଟ ନିରାଶ୍ରୟ ଶିଶୁଙ୍କୁ ପାଠ ପଢେଇବ ବା ଠାକୁର ପୂଜା ପାଇଁ ଫୁଲ ତୋଳିବ, ଠାକୁର ବାସନ ମାଜିବ ବା ଠାକୁରଙ୍କ ଆସ୍ଥାନ ସଜାଡିବ. ସେସବୁ ମଧ୍ୟ ମୋ ଦ୍ୱାରା ହୋଇପାରିବ ନାହିଁ. ସେସବୁ ଯଦି ନହେବ ତେବେ ଗୋଟେ କାମ କରିବାକୁ ପଡିବ. ଯିଏ ଯେଉଁ ପ୍ରଫେସନରେ ଥିଲା ତାକୁ ସେହିପରି କାମ ଯୋଗାଇ ଦିଆଯିବ.ଆହେ ଏଠି ପରା ସମସ୍ତେ ବସି ବସି ଦରମା ନେବା ଶିଖିଲେ. ତେବେ ତାଙ୍କୁ କେବଳ ବସିବାକୁ କୁହାଯିବ. କେତେ ବସିବେ ଆପେ ଉଠିବେ, ବଗିଚାରୁ ଘାସ ବାଛୁ ବାଛୁ ଆକାଶକୁ ଦେଖିବେ. ତାରା ଫୁଲ ଗଣୁ ଗଣୁ ଗୁଡ଼ି କରି ଶିଖିବେ.ନରହରି ବାବୁ ଧଇଁ ସଇଁ ହୋଇ ଆସି ଖବର ଦେଲେ ଟିଭି ଦେଖୁନ କି? ଭାଉଜ ହାରିଯାଇଛନ୍ତି. କୃପାସିନ୍ଧୁବାବୁ କହିଲେ ଭଲ ହେଲା ନହେଲେ ମତେ ଉପହାର ବଦଳରେ ଖୁଆଡ଼ ମିଳିଥାଆନ୍ତା. ନରହରି ବାବୁ କିଛି ବୁଝିନପାରି ଚାହିଁଥିଲେ ଦୁହିଁଙ୍କୁ କହିଲେ ତୁମ ଦୁହିଁଙ୍କୁ ବୁଝିବା ଭାରି କ୍ଲୀଷ୍ଟ ପ୍ରକୃତରେ.
ସୁନନ୍ଦା ମହାନ୍ତି
ସାକ୍ଷୀଗୋପାଳ
ପୁରୀ