ନାଆମୀ ଠାରେ ତୀବ୍ର ହେଉଛି ଚାଷୀ ଆନ୍ଦୋଳନ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :ଚଳିତ ଖରିଫ ଧାନ କ୍ରୟ ନେଇ ଅବ୍ୟବସ୍ଥା ଦେଖାଦେଇଥିବାରୁ ଭଣ୍ଡାରିପୋଖରୀ ବ୍ଲକ ଅଞ୍ଚଳରେ ଦିନକୁ ଦିନ ଚାଷୀ ଅସନ୍ତୋଷ ବଢ଼ିବାରେ ଲାଗିଛି। ବ୍ଲକର ୮ଗୋଟି ସେବା ସମବାୟ ସମିତି ଓ ୭ ଗୋଟି ଏସଏଚଜି ମଣ୍ଡିରେ ଚାଷୀ ମାନେ ଦୈନନ୍ଦିନ ପହଂଚି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି। ଏପରିକି କେତେକ ସ୍ଥାନରେ ଆନ୍ଦୋଳନ ଓ ଧାରଣା ଦେଖାଦେଇଛି। ନାରାୟଣପୁର ସେବା ସମବାୟ ସମିତି ଠାରେ ତିନିଦିନ ଧରି ଧାରଣା ଚାଲିଥିବା ବେଳେ ନାଆମୀ ସମିତି ଠାରେ ଆଜି ଚାଷୀ ଆନ୍ଦୋଳନ ତୀବ୍ର ରୂପ ଧାରଣ କରିଛି। ପୂର୍ବ ସୂଚନା ଅନୁଯାୟୀ ଚାଷୀମାନେ ଆଜି ସମିତିରେ ତାଲା ପକାଇ ଅନିର୍ଦ୍ଦିଷ୍ଟ କାଳ ଯାଏଁ ଧାରଣା ଆରମ୍ଭ କରିଛନ୍ତି। ବିଶେଷ କରି ବାଜ୍ୟାପ୍ତି ହୋଇଥିବା ଟୁକନର ନବୀକରଣ ଓ ଶତପ୍ରତିଶତ ଟାର୍ଗେଟ ଯୋଗାଇ ଦେବାକୁ ଦାବି କରିବା ସହ ସମିତି କର୍ତ୍ତୃପକ୍ଷଙ୍କ ମାନମାନିକୁ ବିରୋଧ କରି ଆଜି ଅଞ୍ଚଳର ଶହ ଶହ ଚାଷୀ ଧାରଣା ଆରମ୍ଭ କରିଛନ୍ତି। ଖବର ପାଇ ଜିଲ୍ଲା ସହକାରୀ ଯୋଗାଣ ଅଧିକାରୀ ଶରତ କୁମାର ବେହେରା, ଅତିରିକ୍ତ ଯୋଗାଣ ଅଧିକାରୀ ଚନ୍ଦ୍ରଶେଖର ପାତ୍ର, ସମବାୟ ବିଭାଗ ପ୍ରଶାସନିକ ଅଧିକାରୀ ସତ୍ୟପ୍ରକାଶ ସେଠୀ , ପୁଲିସ ଉପଖଣ୍ଡ ଅଧିକାରୀ ବିଜୟକୃଷ୍ଣ ମହାପାତ୍ର, ଥାନା ଅଧିକାରୀ ଅମିତାଭ ଦାସ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ଚାଷୀ ମାନଙ୍କୁ ଦୀର୍ଘ ସମୟ ଧରି ବୁଝାସୁଝା କରିଛନ୍ତି। ସନ୍ଧ୍ୟା ୭ଟା ଯାଏଁ ଚାଷୀ ମାନେ ଧାରଣା ଦେଇଥିବା ବେଳେ ଅଧିକାରୀଙ୍କ ମିଛ ପ୍ରତିଶ୍ରୁତିକୁ କେହି ଗ୍ରହଣ କରିନଥିବା ଜଣାପଡିଛି। ଦରକାର ପଡ଼ିଲେ ଆସନ୍ତାକାଲି ଠାରୁ ଛତାବର- ଛଚିଣା ମୁଖ୍ୟ ରାସ୍ତା ସହିତ ମଞ୍ଜୁରୀରୋଡ଼ ବଜାରକୁ ବନ୍ଦ କରାଯିବ ବୋଲି ଧାରଣା ସ୍ଥଳରୁ ଚାଷୀ ମାନେ ସୂଚନା ଦେଇଛନ୍ତି ।


