ନାଉଗାଁରେ ବହୁଜନ ଛାତ୍ର ଓ ଯୁବ ସାମ୍ମୁଖ୍ୟର ସଭାସ୍ଥଳରେ ୧୪୪ ଧାରା ଜାରୀଅଭିଯୋଗକୁ ନେଇ ୨ଟି ମାମଲା ରୁଜୁ
ନାଉଗାଁ, (ଓ୍ବାଇଏନ୍ଏସ୍):ବହୁଜନ ଛାତ୍ର ଓ ଯୁବ ସାମ୍ମୁଖ୍ୟ ପକ୍ଷରୁ ଡିସେମ୍ବର ୨୫ ତାରିଖ ତଥା ଶୁକ୍ରବାର ୬୪ତମ ମହାପରିନିର୍ବାଣ ଦିବସ ଏବଂ ମନୁସ୍ମୃତି ଦହନ ଦିବସ ନାଉଗାଁ ବ୍ଳକରେ ପାଳନ କରିବା ପାଇଁ ସ୍ଥିର ହୋଇଥିଲା । ଏହାକୁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଓ ବଜରଂଗୀଦଳ ପକ୍ଷରୁ ଦୃଢ ବିରୋଧ କରାଯିବା ସହିତ ଥାନାରେ ଲିଖିତ ଅଭିଯୋଗ ପ୍ରଦାନ କରାଯାଇଥିଲା । ଅଭିଯୋଗ ପ୍ରଦାନ ପରେ ବହୁଜନ ଛାତ୍ର ଓ ଯୁବ ସାମ୍ମୁଖ୍ୟ ପକ୍ଷରୁ ସଭା କରିବା ପାଇଁ ଅନୁମତି ପ୍ରଦାନ ସହ ବ୍ୟାନରରେ ଥିବା ଡଃ ଆମ୍ବେଦକରଙ୍କ ଫଟୋଚିତ୍ରକୁ ଚିରିବା ସହିତ ପାଦରେ ଦଳିଥିବା ବ୍ୟକ୍ତି ବିଶେଷଙ୍କୁ ଗିରଫ କରିବା ଦାବିରେ ଥାନା ସମ୍ମୁଖରେ ଗୁରୁବାର ରାତିରେ ଧାରଣା ବସି ରହିଥିଲେ । ଘଟଣାସ୍ଥଳରେ ଏସଡିପିଓ ପ୍ରିୟରଂଜନ ଶତପଥୀ ପହଂଚି ଦୁଇ ଗୋଷ୍ଠୀଙ୍କ ସହ ଆଲୋଚନା କରି ସର୍ତମୂଳକ ଭାବେ ସଭା କରିବା ପାଇଁ ଅନୁମତି ପ୍ରଦାନ କରିଥିଲେ । ହେଲେ ପରବର୍ତୀ ସମୟରେ ଅନିଲ ମଲ୍ଲିକ ସୋସିଆଲ ମିଡିଆରେ ଏକ ଉତେଜନାମୂଳକ ଭାଷଣକୁ ନେଇ ପୁନର୍ବାର ଦୁଇ ଗୋଷ୍ଠୀ ମଧ୍ୟରେ ଉତେଜନା ଦେଖାଦେଇଥିଲେ । ଯାହାଫଳରେ ଶୁକ୍ରବାର ଆୟୋଜିତ ସଭାସ୍ଥଳ ତଥା ନାଉଗାଁ ବଜାରର ସୂର୍ଯ୍ୟମଣ୍ଡପକୁ ଥାନାଧିକାରୀଙ୍କ ଅପିଲ ଫଳରେ ନାଉଗାଁ ତହସିଲ ପକ୍ଷରୁ ମିସ କେଶ ନଂ ୧୮/୨୦୨୦ରେ ମଣ୍ଡପ ସମେତ ଆଖପାଖ ଅଂଚଳକୁ ସକାଳ ୭ଟା ଠାରୁ ସଂଧ୍ୟା ୫ ପର୍ଯ୍ୟନ୍ତ ୧୪୪ ଧାରା ଜାରୀ କରାଯାଇଥିଲା । ଯାହାଫଳରେ ଉକ୍ତ ସ୍ଥାନରେ ସଭା କାର୍ଯ୍ୟ ବନ୍ଦ ରହିଥିଲା । ଦୁଇ ଗୋଷ୍ଠୀ ମଧ୍ୟରେ ଉତେଜନା ରହିଥିବାରୁ ଏସଡିପିଓ ପ୍ରିୟରଂଜନ ଶତପଥୀ, ଜଗତସିଂହପୁର ଥାନା ଆଇଆଇସି ରଜନୀକାନ୍ତ ମିଶ୍ର, ବାଲିକୁଦା ଥାନା ଆଇଆଇସି ସର୍ବେଶ୍ୱର ବେହେରା, ନାଉଗାଁ ଥାନା ଆଇଆଇସି ଭରତ କୁମାର ବେହେରା, ଏସଆଇ ପ୍ରତାପ ଦାସ, ଏଏସଆଇ ଅଶୋକ ମହାନ୍ତି ପ୍ରମୁଖ ମଣ୍ଡପ ସମ୍ନାରେ ଉପସ୍ଥିତ ରହିବା ସହିତ ଆଇନିଶୃଙ୍ଖଳା ପରିସ୍ଥିତି ଦୃଷ୍ଟିରୁ ଫୋର୍ସ ମୃତୟନ କରାଯାଇଥିଲା । ଅନ୍ୟପଟରେ ସୋସିଆଲ ମିଡିଆରେ ଅନିଲ ମଲ୍ଲିକଙ୍କ ଦ୍ୱାରା ଭାଇରାଲ ହୋଇଥିବା ଭିଡିଓକୁ ଆଧାର କରି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ବିଶ୍ୱଜିତ ପାତ୍ର ନାଉଗାଁ ଥାନାରେ ଏକ ଲିଖିତ ଅଭିଯୋଗ ପ୍ରଦାନ କରିଥିଲେ । ଅଭିଯୋଗ ମୁତାବକ ଅନିଲ କୁମାର ମଲ୍ଲିକ ସମାଜ ବିଭାଜନ ପାଇଁ ଚେଷ୍ଟା ଚଳାଇଥିବା ବେଳେ ଆପତିଜନକ ଶଦ୍ଦ ସମ୍ବଳିତ ପୋଷ୍ଟର ଲଗାଇଛନ୍ତି । ଏପରିକି ଅଶ୍ଳିଳ ଭାଷାରେ ଗାଲିଗୁଲଜ କରିବା ସହିତ ହତ୍ୟା ଧମକ ମଧ୍ୟ ଦେଇଛନ୍ତି । ସେହିପରି ପୋଲିସ ଉପରେ ଚାପ ପକାଇ ସଭା କରିବା ପାଇଁ ମସୁଧା ଚଳାଇବା ସହିତ ସୋସିଆଲ ମିଡିଆର ଅପବ୍ୟବହାର କରିଥିବା ଅଭିଯୋଗରେ ଦର୍ଶାଯାଇଛି । ଅପରପକ୍ଷେ ବହୁଜନ ଛାତ୍ର ଓ ଯୁବ ସାମ୍ମୁଖ୍ୟର ରାଜ୍ୟ ସଂଯୋଜକ ଅନିଲ ମଲ୍ଲିକ ଅଭିଯୋଗରେ ଦର୍ଶାଇଛନ୍ତି ଯେ ଘୋଡାଂଶ ଗ୍ରାମର ଗୌରାଙ୍ଗ ପରିଡା, ଜ୍ଞାନ ରଂଜନ ପରିଡା, ପଉନି ମହାନ୍ତି, ସଂଜୟ ମହାନ୍ତି, ବିକାଶ ଲେଙ୍କାଙ୍କ ସହିତ ୪୦ଜଣ ମୁଗେଈ ଛକରେ ମରାଯାଥିବା ଡଃ ଆମ୍ବେଦକରଙ୍କ ବ୍ୟାନର ଛିଣ୍ଡାଇବା ସହିତ ତଳେ ପକାଇ ପାଦରେ ଦଳିଛନ୍ତି । ଦେଶର ସମ୍ବିଧାନ ପ୍ରଣେତାଙ୍କ ପ୍ରତି ଏହା ଅପମାନ ହେବା ସହିତ ସମ୍ବିଧାନର ଅପମାନ ହୋଇଛି । ଏହା ସହିତ ସେମାନେ ଜାତିଆଣ ମନ୍ତବ୍ୟ ଦେଇ ଗାଳିଗୁଲଜ ମଧ୍ୟ କରିଥିବା ଅଭିଯୋଗରେ ଦର୍ଶାଯାଇଛି ।ବିଶ୍ୱଜିତଙ୍କ ଅଭିଯୋଗକୁ ଭିତିକରି ନାଉଗାଁ ଥାନା ପକ୍ଷରୁ ୧୬୪/୨୦୨୦ ଓ ଅନିଲଙ୍କ ଅଭିଯୋଗକୁ ଭିତିକରି ୧୬୫/୨୦୨୦ରେ ମାମଲା ରୁଜୁ କରାଯାଇଛି । ଏ ସଂପର୍କରେ ଜଗତସିଂହପୁର ଏସଡିପିଓ ପ୍ରିୟରଂଜନ ଶତପଥୀଙ୍କୁ ପଚାରିବାରୁ ଦୁଇ ଗୋଷ୍ଠୀଙ୍କ ପକ୍ଷରୁ ଅଭିଯୋଗ କରାଯାଇଥିଲା । ଉକ୍ତ ଅଭିଯୋଗକୁ ଭିତିକରି ୨ଟି ମାମଲା ରୁଜୁ କରାଯାଇଛି । କାହାରିକୁ ଗିରଫ କରାଯାଇନାହିଁ । କିନ୍ତୁ ଆଇନିଶୃଙ୍ଖଳାକୁ ଦୃଷ୍ଟି ରଖି ସଭା ବନ୍ଦ ରଖାଯିବା ସହିତ ସଭାସ୍ଥଳ ଓ ଆଖପାଖ ଅଂଚଳରେ ୧୪୪ ଧାରା ଜାରି କରାଯାଇଛି ।