ନାଉଗାଁରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର
ନାଉଗାଁ, (ଯୁଗାବ୍ଦ ନ୍ୟୁଜ) :ନାଉଗାଁ ବ୍ଳକ ପରିସରରେ ଶୁକ୍ରବାର ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ବିଡିଓ ରଶ୍ମୀରେଖା ମଲ୍ଲିକ ଓ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପବିତ୍ର କୁମାର ଦାସ ପ୍ରଦୀପ ପ୍ରଜ୍ୱଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏହି ଶିବିରରେ ବ୍ଲକର ୧୬ଟି ପଂଚାୟତର ସମସ୍ତ ବିଭାଗରୁ ମୋଟ ୧୬୧ଜଣ ଭିନ୍ନକ୍ଷମ ବ୍ୟକ୍ତି ନାମ ପଂଜୀକୃତ କରି ବିଭିନ୍ନ ଶାରୀରିକ ଅକ୍ଷମତା ପରିକ୍ଷା କରିଥିଲେ । ବିଭିନ୍ନ ବିଭାଗର ବିଶେଷଜ୍ଞ ଭିନ୍ନକ୍ଷମମାନଙ୍କର ସ୍ୱାସ୍ଥ୍ୟ ପରିକ୍ଷା କରିଥିଲେ । ସେଥିମଧ୍ୟରୁ ଅସ୍ଥିଶଲ୍ୟ, ସ୍ନାୟୁ ବିଭାଗର ୭୮, ଶ୍ରବଣ ଓ ବାକ୍ଶକ୍ତି ବାଧିତରେ ୪, ଦୃଷ୍ଟିଶକ୍ତି ବାଧିତରେ ୩, ମାନସିକ ବିକାରଗ୍ରସ୍ତରେ ୪୧, ଥାଲାସେମିଆରେ ୩ଜଣଙ୍କୁ ନେଇ ସମୁଦାୟ ୧୨୯ଜଣଙ୍କୁ ଭିନ୍ନକ୍ଷମ ଭାବେ ଚିହ୍ନଟ କରାଯାଇଥିବା ବେଳେ ୩୨ଜଣଙ୍କୁ ବାଦ୍ ଦିଆଯାଇଛି । ଏହି ଶିବିରକୁ ବ୍ଳକ ସମାଜମଙ୍ଗଳ ସଂପ୍ରସାରଣ ଅଧିକାରୀ ଦେବାଶିଷ ସ୍ୱାଇଁ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଜୟକୃଷ୍ଣ ସ୍ୱାଇଁ, କନିଷ୍ଠ ସହାୟକ ଶ୍ରୀନିବାସ ବେହେରା, ପିଏ ପ୍ରସନ୍ନଜିତ ନାୟକ ପ୍ରମୁଖ ପରିଚାଳନା କରୁଥିବା ବେଳେ ବ୍ଲକର ସମସ୍ତ କର୍ମଚାରୀ, ଅଙ୍ଗନୱାର୍ଡି କର୍ମଚାରୀ, ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଓ କର୍ମଚାରୀମାନେ ପରିଚାଳନାରେ ସହଯୋଗ କରିଥିଲେ ।