ନାଉଗାଁ ଆଶ୍ରା ଜରାଶ୍ରମରେ ବାଂଲାଦେଶୀ ଯୁବକ ଆଶ୍ରିତ : ସମାଜସେବୀଙ୍କ ଜିଲ୍ଲାପାଳଙ୍କୁ ଅନୁରୋଧ
ନାଉଗାଁ, (ଯୁଗାବ୍ଦ ନ୍ୟୁଜ) :-ନାଉଗାଁ ବ୍ଳକର ଯୁବ ସମାଜସେବୀ ପ୍ରସନ୍ନଜିତ ସାହୁ ଜଣେ ବାଂଲାଦେଶୀ ଯୁବକକୁ ନିଜ ଦେଶକୁ ଫେରିବା ପାଇଁ ସୁବନ୍ଦୋବସ୍ତ କରିବା ପାଇଁ ସୋମବାର ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ଅଭିଯୋଗ କରିବା ସହ ଜିଲ୍ଲାପାଳ ପାରୁଲ ପଟୱାରୀଙ୍କୁ ଲିଖିତ ଭାବେ ଜଣାଇଛନ୍ତି । ଅଭିଯୋଗ ମୁତାବକ ବାଂଲାଦେଶର ଥାନା-ମୋଙ୍ଗରା, ଜିଲ୍ଲା-ବାଗରହାଟର ଏମ.ଡି ମିଜାନୁର ଶେଖ, ପାରାଦୀପରେ ଶ୍ରମିକ ଭାବରେ କାର୍ଯ୍ୟ କରୁଥିଲେ । କାର୍ଯ୍ୟ କରିବା ସମୟରେ ଓଡିଶା ପୋଲିସ ହାତରେ ୨୦୧୬ ମସିହାରେ ଗିରଫ ହୋଇଥିଲେ । ୨୦୧୬ରୁ ୨୦୧୯ ପର୍ଯ୍ୟନ୍ତ ଜେଲରେ ରହି ସଜ୍ଜା କାଟିଥିଲେ । ସଜ୍ଜା ସରିବା ପରେ ତତ୍କକାଳିନ ଜିଲ୍ଲାପାଳ ଯାମିନୀ ଷଡଙ୍ଗୀଙ୍କ ତତ୍ୱାବଧାନରେ ତାଙ୍କୁ ନାଉଗାଁ ବ୍ଳକଛକସ୍ଥିତ ଆଶ୍ରା ଜରାଶ୍ରମରେ ରଖାଯାଇଛି । ଘରେ ତାଙ୍କର ପତ୍ନୀଙ୍କ ସମେତ ପୁଅ, ଝିଅ ଅଛନ୍ତି । ମିଜାନୁର ଶେଖ ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ହୋଇଥିବା ବେଳେ ନିଜ ଦେଶକୁ ଯାଇ ନିଜ ପରିବାର ସହ ରହିବା ପାଇଁ ଆକୁଳ ନିବେଦନ କରିଛନ୍ତି । ଘରକୁ ନ ଫେରି ପାରିବାରୁ ସେ ମାନସିକ ଚାପରେ ରହୁଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ ଏମ.ଡି ମିଜାନୁର ଶେଖଙ୍କୁ ତାର ନିଜ ଦେଶକୁ ପଠାଇବା ପାଇଁ ସୁବନ୍ଦୋବସ୍ତ କରିବା ପାଇଁ ଯୁବ ସମାଜସେବୀ ପ୍ରସନ୍ନଜିତ ସାହୁ ଅଭିଯୋଗରେ ଦର୍ଶାଇଛନ୍ତି । ଜିଲ୍ଲାପାଳ ପାରୁଲ୍ ପଟୱାରୀ ଏବିଷୟରେ ଅବଗତ ନଥିଲେ । ଏମ.ଡି ମିଜାନୁର ଶେଖ କିପରି ତାର ନିଜ ଦେଶକୁ ଫେରିବେ ସେ ଦିଗରେ ପଦକ୍ଷେପ ନେବେ ବୋଲି ଜିଲ୍ଲାପାଳ କହିଛନ୍ତି ବୋଲି ଯୁବ ସମାଜସେବୀ ପ୍ରସନ୍ନଜିତ ଗଣମାଧ୍ୟମକୁ କହିଛନ୍ତି । ଜିଲ୍ଲାପାଳ ବାଂଲାଦେଶର ଦୂତାବାସଙ୍କ ସହିତ ଆଲୋଚନା କରି ଏମ.ଡି ମିଜାନୁର ଶେଖଙ୍କୁ ତାର ଦେଶକୁ ତୁରନ୍ତ ପଠାଇବାର ବ୍ୟବସ୍ଥା କରନ୍ତୁ ବୋଲି ଯୁବ ସମାଜସେବୀ ପ୍ରସନ୍ନଜିତ ଗଣମାଧ୍ୟମ ଜରିଆରେ ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି ।