ନାଉଗାଁ ଠାରୁ ରୋହିଆ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ରାସ୍ତା ନିର୍ମାଣ ନିମ୍ନମାନର କାର୍ଯ୍ୟ ସରିବାର ମାସକ ପରେ ରାସ୍ତା ଦୁଇ ଫାଳ

ନାଉଗାଁ (,ଯୁଗାବ୍ଦ ନ୍ୟୁଜ):ଗ୍ରାମ୍ୟ ଉନ୍ନୟନ ବିଭାଗର ଜଗତସିଂହପୁର ବିଭାଜନ ଅଧିନ ନାଉଗାଁ ବ୍ଲକରେ ନାଉଗାଁ ଠାରୁ ରୋହିଆ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ରାସ୍ତା ନିର୍ମାଣ କରାଯାଇଛି । କିନ୍ତୁ ଏହି ରାସ୍ତା ନିର୍ମାଣ କାର୍ଯ୍ୟ ଚାଲୁଥିବା ସମୟରେ ବିଭାଗୀୟ ଯନ୍ତ୍ରୀ ଓ ଠିକାଦାରଙ୍କ ସଲାସୁତରା ହେତୁ ରାସ୍ତା କାମ ନ ସରୁଣୁ ରାସ୍ତାରେ ଫାଟ ସୃଷ୍ଟି ହୋଇଥିଲା । ଯାହାକୁକି ଗଣମାଧ୍ୟମରେ ପ୍ରକାଶ ପାଇଲା ପରେ ରାସ୍ତାକୁ ମରାମତି କରାଯାଇଥିଲା । ରାସ୍ତାର ନିର୍ମାଣ କାର୍ଯ୍ୟ ଦୁଇ ମାସ ନପୁରୁଣୁ ମରାମତି ହୋଇଥିବା ରାସ୍ତାଟି ଦୁଇ ଫାଳରେ ପରିଣତ ହୋଇଛି । ଯାହାଫଳରେ ଉଭୟ ପଟକୁ ଯାତାୟତରେ ଅସୁବିଧାର ସମ୍ମୁଖୀନ ହେଉଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି । ଏହି କାର୍ଯ୍ୟ ଚାଲୁଥିବା ସମୟରେ ଯନ୍ତ୍ରୀ ଉପସ୍ଥିତ ନଥିବା ହେତୁ ଏହି ପରି ହୋଇଥିବା ସ୍ଥାନୀୟ ଜନସାଧାରଣ ଅଭିଯୋଗ କରିବା ସହିତ ଭିଜିଲାନ୍ସ ତଦନ୍ତ ପାଇଁ ଦାବି କରିଛନ୍ତି ।ସୂଚନା ଅନୁସାରେ ଏହି ରାସ୍ତା ନିର୍ମାଣ ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ୧୦୮.୬୬ ଲକ୍ଷ ଟଙ୍କା ବ୍ୟୟ ବରାଦରେ୨.୨୮୧କିଲୋମିଟର ରାସ୍ତା ନିର୍ମାଣ କରାଯିବା ପାଇଁ ସୂଚନା ଫଳକରେ ଦର୍ଶାଯାଇଛି । ଏଥି ମଧ୍ୟରୁ ପିଚୁ ରାସ୍ତା ୦.୧୫୧ କିମି ରହିଥିବା ବେଳେ କଂକ୍ରିଟ ରାସ୍ତା ୨.୧୩୦ କିମି ନିର୍ମାଣ କରାଯିବା ପାଇଁ ସୂଚନା ଫଳକରେ ଦର୍ଶାଯାଇଛି । ଉକ୍ତ ରାସ୍ତାଟି ପୂର୍ବରୁ କଂକ୍ରିଟ ରାସ୍ତା ଥିବାରୁ ବିଭାଗ ପକ୍ଷରୁ ରାସ୍ତାର ଉଭୟ ପ୍ରାଶ୍ୱର୍କୁ ସଂପ୍ରସାରଣ କରାଯିବା ସହିତ ରାସ୍ତାର ଉପରେ ପୂର୍ଣ୍ଣବାର କଂକ୍ରିଟ ରାସ୍ତା ନିର୍ମାଣ କରାଯାଉଥିଲା । କିିନ୍ତୁ ଉକ୍ତ କାର୍ଯ୍ୟରେ ବିଭାଗୀୟ ଯନ୍ତ୍ରୀ ଓ ଠିକାଦରଙ୍କ ସଲାସୁତରାରେ କାର୍ଯ୍ୟ କରାଯାଉଥିବା ହେତୁ ଯନ୍ତୀ କାର୍ଯ୍ୟ ସ୍ଥଳରେ ଅନୁପସ୍ଥିତ ରହୁଥିଲେ । ଏହାଫଳରେ ଉକ୍ତ ଠିକାଦାର ରାସ୍ତାର ଉଭୟ ପାଶ୍ୱର୍ରେ ଏଷ୍ଟିମେଟ ଅନୁସାରେ ନକରି ନିଜ ଇଛା ଅନୁସାରେ ମେଟାଲରେ କାର୍ଯ୍ୟ କରି ସଂପ୍ରସାରଣ କରାଯିବା ସହିତ କଂକ୍ରିଟ ଢଳେଇ ରାସ୍ତା ନିର୍ମାଣ କରାଯାଉଥିଲା । ଉକ୍ତ କାର୍ଯ୍ୟ ସମୟରେ ଠିକାଦାର ନିଜ ଇଛା ମୁତାବକ ବାଲି,ଗୋଡି ଓ ନିମ୍ନମାନର ସିମେଂଟ ଆଦି ମିଶ୍ରଣ କରି ଭାଗ ନିମ୍ନମାନ କରି କାର୍ଯ୍ୟ କରୁଥିବାରୁ ରାସ୍ତା ନିର୍ମାଣ କାର୍ଯ୍ୟ ଶେଷ ନ ହେଉନୁ ରାସ୍ତାରେ ଫାଟ ସୃଷ୍ଟି ହୋଇଥିଲା । ଯାହାକୁ ଖବର ପ୍ରକାଶ ପାଇଲା ପରେ ଠିକାଦାର ତରଫରୁ ମରାମତି କରାଯାଇଥିଲା । କିନ୍ତୁ ଉକ୍ତ ରାସ୍ତାର ନିର୍ମାଣ କାର୍ଯ୍ୟ ସରିବାର ଦୁଇ ମାସ ନ ହେଉଣୁ ରାସ୍ତାଟି ଦୁଇ ଫାଳରେ ପରିଣତ ହୋଇଛି । ଯାହାମଧ୍ୟରେ ସ୍ଥାନୀୟ ଜନସାଧାରଣ ଯାତାୟତରେ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି । ଏ ସଂର୍ପକରେ ଜଗତସିଂହପୁର ବିଭାଜନର ବିଭାଗୀୟ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀଙ୍କ ମତାମତ ନେବା ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ସମ୍ଭବ ହୋଇପାରିନାହଁ । ଏଥିପ୍ରତି ବିଭାଗୀୟ ଉଚ୍ଚ କତୃପକ୍ଷ ଦୃଷ୍ଟି ଦେବା ସହିତ ଭିଜିଲାନ୍ସ ତଦନ୍ତ ପାଇଁ ସ୍ଥାନୀୟ ସାଧାରଣରେ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ