ନାଉଗାଁ ପଂଚାୟତ ସମିତିର ୧୨ତମ ପଂଚାୟତ ସମିତି ବୈଠକ ଅମ୍ଫାନ ଯୋଜନାରେ ଯନ୍ତ୍ରୀଙ୍କ ମନମୁଖୀ କାର୍ଯ୍ୟକୁ ନେଇ ଅଭିଯୋଗ

ନାଉଗାଁ,(ଓ୍ବାଇଏନ୍ଏସ୍): ଜଗତସିଂହପୁର ଜିଲ୍ଲା ନାଉଗାଁ ପଂଚାୟତ ସମିତି କାର୍ଯ୍ୟାଳୟରେ ଶୁକ୍ରବାର ୧୨ତମ ପଂଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଥିଲା । ପଂଚାୟତ ସମିତି ଅଧ୍ୟକ୍ଷ ଜଗନ୍ନାଥ ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଜଗତସିଂହପୁର ବିଧାୟକ ତଥା ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ପ୍ରଶାନ୍ତ ମୁଦୁଲି ଯୋଗ ଦେଇଥିଲେ । ଏହି ବୈଠକ ଆରମ୍ଭ ହେବା ମାତ୍ରେ ଜାମୁଗାଁ ପଂଚାୟତ ସମିତି ସଭ୍ୟ ରୁଦ୍ରପ୍ରସନ୍ନ ପ୍ରଧାନ ଉକ୍ତ ପଂଚାୟତ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ଅମ୍ପାନ ଯୋଜନାରେ ମନମୁଖୀ ପ୍ରକଳ୍ପ ଚୟନ କରିବା ସହିତ କୌଣସି କାର୍ଯ୍ୟରେ ସହଯୋଗ କରୁ ନଥିବା କହିଥିଲେ । ଏପରିକି ଫୋନ କଲେ ମଧ୍ୟ ଫୋନ ଉଠାଉ ନଥିବା ଶ୍ରୀ ପ୍ରଧାନ ଅଭିଯୋଗ କରିଥିଲେ । ସମସ୍ତ ପ୍ରଶାସନିକ ଅଧିକାରୀ ନିଜ ପଂଚାୟତର ପଂଚାୟତ ପ୍ରତିନିଧିଙ୍କ ସହିତ ଆଲୋଚନା କରି କାର୍ଯ୍ୟ କରିବା ପାଇଁ ବିଧାୟକ ଶ୍ରୀ ମୁଦୁଲି ପରାମର୍ଶ ଦେଇଥିଲେ । ସେହିପରି ତହସିଲଦାର ଜେ. କଳ୍ପନା ଠିକ ଭାବେ କାର୍ଯ୍ୟ କରୁ ନଥିବାରୁ ଅନେକ କାର୍ଯ୍ୟ କରାଯାଇ ପାରୁ ନାହିଁ । ଏପରିକି ତହସିଲଦାର ଅଙ୍ଗନୱାର୍ଡି କେନ୍ଦ୍ର ପାଇଁ ଜମି ଚିହ୍ନଟ, ଆମ ଗାଁ ଆମ ବିକାଶ ପ୍ରକଳ୍ପ ପାଇଁ ସ୍ଥାନ ଚିହ୍ନଟ ପ୍ରକ୍ରିୟାରେ ବିଳମ୍ବ କରୁଥିବାରୁ କାର୍ଯ୍ୟ ତ୍ୱରାନ୍ୱିତ ହୋଇ ପାରୁ ନଥିବା ସିଡିପିଓ ରାସେଶ୍ୱରୀ ମହାନ୍ତି, ସହକାରୀ ଯନ୍ତ୍ରୀ କୈଳାସ ବେହେରା ଅଭିଯୋଗ କରିଥିଲେ । ଉକ୍ତ ଅଭିଯୋଗ ପରେ ତହସିଲଦାର ଠିକ ଭାବେ ଦାୟିତ୍ୱ ତୁଲାଉ ନଥିବା ବେଳେ ଉକ୍ତ ବୈଠକରେ ଅନୁପସ୍ଥିତ ଥିବାରୁ ବିଧାୟକ ଅସନ୍ତୋଷ ବ୍ୟକ୍ତ କରିବା ସହିତ ଆଗାମୀ ଦିନରେ ଠିକ ଭାବେ କାର୍ଯ୍ୟ ନ କଲେ ଜିଲ୍ଲା ପ୍ରଶାସନକୁ ଜଣାଇବେ ବୋଲି କହିଥିଲେ । ସେହିପରି ବ୍ଳକରେ ଥିବା ୧୧୯ ଟି ଅଙ୍ଗନୱାର୍ଡି ଗୃହ ମଧ୍ୟରୁ ୧୧୫ଟି ଗୃହ ପାଇଁ ଅର୍ଥ ମଂଜୁର ହୋଇଥିବା ବେଳେ ୪୫ଟି କାର୍ଯ୍ୟ ଆରମ୍ଭ କରାଯାଇଛି ବୋଲି ସିଡିପିଓ ମତବ୍ୟକ୍ତ କରିଥିଲେ । ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ୧୫୪ଟି ପ୍ରକଳ୍ପ ରହିଥିବା ବେଳେ ୪୫ଟି ପ୍ରକଳ୍ପ ସ୍ଥାନ ଚିହ୍ନଟ ପାଇଁ ପଡି ରହିଥିବା ସହକାରୀ ଯନ୍ତ୍ରୀ କୈଳାସ ବେହେରା ସୂଚନା ପ୍ରଦାନ କରିଥିଲେ । ସେହିପରି ବ୍ଳକରେ ଥିବା ୯ଟି ପ୍ରାଣୀଧନ ନିରୀକ୍ଷକ କେନ୍ଦ୍ର ରହିଥିବା ବେଳେ ମାତ୍ର ୩ ଜଣ ପ୍ରାଣୀଧନ ନିରୀକ୍ଷକ କାର୍ଯ୍ୟ କରୁଛନ୍ତି । କେନ୍ଦ୍ର ଗୁଡିକରେ ଆବଶ୍ୟକ ସରଞାମ ନଥିବା ହେତୁ ଜନସାଧାରଣମାନେ ନାହିଁ ନଥିବା ଅସୁବିଧାରେ ସମ୍ମୁଖିନ ହେଉଛନ୍ତି ବୋଲି ଅତିରିକ୍ତ ପଶୁ ଚିକିତ୍ସକ ଡାକ୍ତର ରାଜା ଉଦୟଭାନୁ ରାୟ ପ୍ରକାଶ କରିଥିଲେ । କରୋନା ପାଇଁ ଉନ୍ନୟନ ମୂଳକ କାର୍ଯ୍ୟ ବନ୍ଦ ରହିଥିବା ବେଳେ ଏହି ମାସ ଠାରୁ ସମସ୍ତ ଅଧିକାରୀ ଓ ପଂଚାୟତ ପ୍ରତିନିଧିଙ୍କ ସହଯୋଗରେ କାର୍ଯ୍ୟ କରିବାକୁ ବିଧାୟକ ନିର୍ଦେଶ ଦେଇଥିଲେ । ସମସ୍ତ ପଂଚାୟତ ପ୍ରତିନିଧିଙ୍କ ସହାୟତାରେ ପ୍ରଶାସନିକ ଅଧିକାରୀମାନେ କାର୍ଯ୍ୟ କରିବାକୁ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଲିଙ୍ଗରାଜ ସ୍ୱାଇଁ ମତବ୍ୟକ୍ତ କରିଥିଲେ । ବିଧାତକଙ୍କ ସହିତ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଲିଙ୍ଗରାଜ ସ୍ୱାଇଁ, ଜିଲ୍ଲା ପରିଷଦ ସଭ୍ୟ ସୁବଳ ବେହେରା, ବିଡିଓ ରଶ୍ମିରେଖା ମଲ୍ଲିକ, ବ୍ଲକ ଉପାଧ୍ୟକ୍ଷ ମାମିନା ଦଳାଇ, ଜିପିଇଓ ଦିନେଶ ରାୟ ଆଦି ଯୋଗ ଦେଇଥିଲେ । ଏହି ବୈଠକରେ ସମସ୍ତ ବିଭାଗୀୟ ଅଧିକାରୀ ଓ ପଂଚାୟତର ସରପଂଚ ଓ ସମିତି ସଭ୍ୟାମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ