ନାଉଗାଁ ପଂଚାୟତ ସମିତି ବୈଠକରେ ବିଧାୟକ ଓ ସାଂସଦ
ନାଉଗାଁ ପଂଚାୟତ ସମିତି ବୈଠକରେ ବିଧାୟକ ଓ ସାଂସଦନାଉଗାଁ,(ଯୁଗାବ୍ଦ ନ୍ୟୁଜ୍) : ୮ମ ନାଉଗାଁ ପଂଚାୟତ ସମିତି ବୈଠକ ଶୁକ୍ରବାର ସମ୍ମିଳନୀ କକ୍ଷରେ ପଂଚାୟତ ସମିତି ଅଧ୍ୟକ୍ଷ ଜଗନ୍ନାଥ ଦାସଙ୍କ ସଭାପତିତ୍ୱ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ଜଗତସିଂହପୁର ନିର୍ବାଚିତ ବିଧାୟକ ପ୍ରଶାନ୍ତ ମୁଦୁଲି ଓ ଲୋକସଭା ସାଂସଦ ଡାକ୍ତର ରାଜଶ୍ରୀ ମଲ୍ଲିକ ଯୋଗ ଦେଇ ପଂଚାୟତ ସମିତି ସହିତ ପଂଚାୟତର ଉନ୍ନତି କରିବା ପାଇଁ ସମସ୍ତ ଜନପ୍ରତିନିଧି ଓ ପ୍ରଶାସନିକ ଅଧିକାରୀଙ୍କ ସହଯୋଗ ଲୋଡିଥିଲେ । ବୈଠକର ପ୍ରାରମ୍ଭରେ କୃଷି ବିଭାଗ ତରଫରୁ ବ୍ଳକ କୃଷି ଅଧିକାରୀ ନିର୍ମାଲ୍ୟ ନାୟକ କୃଷି କାର୍ଯ୍ୟ ଉପରେ ତଥ୍ୟ ପ୍ରଦାନ କରିବା ସହିତ କାଳିଆ ଯୋଜନାରେ ୯୯୨୬ ଜଣ ହିତାଧିକାରୀଙ୍କୁ ଅର୍ଥ ପ୍ରଦାନ କରାଯାଇଥିବା ତଥ୍ୟ ପ୍ରଦାନ କରିଥିଲେ । ଆତ୍ମା କମିଟିକୁ ପୁର୍ନ ଗଠନ କରିବା ସହିତ କୃଷି କାର୍ଯ୍ୟାଳୟରେ ହେଉଥିବା ବୈଠକରେ ପଂଚାୟତ ପ୍ରତିନିଧିଙ୍କୁ ସାମିଲ କରିବା ପାଇଁ ବିଧାୟକ ନିର୍ଦ୍ଦେଶ ଦେଇଥିଲେ । ବ୍ଳକରେ ଯୋଗାଣ ଅଧିକାରୀ ଅନୁପସ୍ଥିତ ରହୁଥିବା ଅଲଣା ସମିତ ସଭ୍ୟ ମନ୍ମଥ ଓଝା ଅଭିଯୋଗ କରିଥିଲେ । ଯୋଗଣ ଅଧିକାରୀ ଉଭୟ ବାଲିକୁଦା ଓ ନାଉଗାଁ ବ୍ଳକ ଦାୟିତ୍ୱରେ ଥିବାରୁ ସପ୍ତାହକୁ ୨ ଦିନ ରହିବା ପାଇଁ ବିଧାୟକ ଯୋଗାଣ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଖାଦ୍ୟ ସୁରକ୍ଷା ଯୋଜନାରେ ଅନେକ ଯୋଗ୍ୟ ହିତାଧିକାରୀ ଥିଲେ ମଧ୍ୟ ଏପର୍ଯ୍ୟନ୍ତ ସାମିଲ ହୋଇ ନଥିବା ଅନେକ ପଂଚାୟତ ପ୍ରତିନିଧି ଅଭିଯୋଗ କରିଥିଲେ । ଯଥା ଶୀଘ୍ର ଏହାର ତଦନ୍ତ କରି ରିପୋର୍ଟ ପ୍ରଦାନ କରିବା ପାଇଁ ବିଧାୟକ ଯୋଗାଣ ଅଧିକାରୀଙ୍କୁ କହିଥିଲେ । ମହାତ୍ମା ଗାନ୍ଧୀ କର୍ମ ନିଯୁକ୍ତି ଯୋଜନାରେ କାର୍ଯ୍ୟ ଠିକ ଭାବେ ହେଉ ନଥିବାରୁ ବିଧାୟକ ଅସନ୍ତୋଷ ବ୍ୟକ୍ତ କରିବା ସହିତ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ ଜ୍ୟୋତିର୍ମୟ ନାୟକଙ୍କୁ ଏଥିପ୍ରତି ଦୃଷ୍ଠି ଦେବାକୁ କହିବା ସହିତ ପ୍ରତି ପଂଚାୟତର ପଂଚାୟତ ପ୍ରତିନିଧି ନିଜ ନିଜ ଅଂଚଳରେ ଗୋଟିଏ ଲେଖାଁ ପ୍ରକଳ୍ପ ନିରୁପଣ କରି କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ଏହାପରେ ଚାରାରୋପଣ କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ବ୍ଳକର ଦେବୀଦୋଳସ୍ଥିତ ଦେବୀ ନଦୀରେ ନିର୍ମାଣ ହେଉଥିବା ମେଗା ପାନୀୟ ଜଳ ପ୍ରକଳ୍ପରେ ୪ ଟି ପଂଚାୟତର ୧୨ ଟି ଗ୍ରାମକୁ ଜଳ ଯୋଗଇବା ପାଇଁ ପ୍ରସ୍ତାବ ଦିଆଯାଇଥିଲା ବେଳେ ଉକ୍ତ ପ୍ରସ୍ତାବକୁ ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ ପକ୍ଷରୁ ଏହାକୁ ଅଣଦେଖା କରାଯାଇଛି । ତେଣୁ ସ୍ଥାନୀୟ ଅଂଚଳର ସ୍ୱାର୍ଥ ଦୃଷ୍ଟିରୁ ଉକ୍ତ ପ୍ରସ୍ତାବକୁ କାର୍ଯ୍ୟକ୍ଷମ କରିବା ପାଇଁ ରୋହିଆ ସମିତି ସଭ୍ୟ ପଦ୍ମ ଚରଣ ରାଉତ, ଅଲଣା ପଂଚାୟତ ସଭ୍ୟ ମନ୍ମଥ ଓଝା ଅଭିଯୋଗ କରିଥିଲେ । ସେହିପରି ଓଷକଣା ପଂଚାୟତର ଘେରିବନ୍ଧ,ପାନୀୟ ଜଳ ପ୍ରକଳ୍ପ ଉପରେ ସଭ୍ୟ ଜୟନ୍ତୀ ଭୋଇ, ଡାବର ପଂଚାୟତର ସରପଂଚ ଡମ୍ବରୁଧର ଜେନା ଅଭିଯୋଗ କରିଥିଲେ । ନିରାମୟ ଯୋଜନା,ରୋଗୀ କଲ୍ୟାଣ ସମିତି ଓ ଗାଁ କଲ୍ୟାଣ ସମିତି ଉପରେ ସର୍ବିଶେଷ ତଥ୍ୟ ପ୍ରଦାନ କରିବାକୁ ସାଂସଦ ଡା. ମଲ୍ଲିିକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଭାରାପ୍ରାପ୍ତ ଚିକିତ୍ସା ଅଧିକାରୀ ସୁନନ୍ଦନ ମହାନ୍ତିକୁ କହିଥିଲେ । ହେଲେ ଡା. ମହାନ୍ତି କୌଣସି ଉତର ଦେଇ ପାରି ନଥିବାରୁ ଡାକ୍ତର ମଲ୍ଲିକ ଅସନ୍ତୋଷ ବ୍ୟକ୍ତ କରିଥିଲେ । ଉପାଧ୍ୟକ୍ଷା ମାମିନା ଦଳାଇ ବାଂଶ ସ୍ଳୁଇସ ଗେଟ କାର୍ଯ୍ୟ ନିମ୍ନ ମାନର ହେଇଥିବା ବେଳେ କବାଟ ମରାମତି କରିବା ପାଇଁ ଦାବି କରିଥିଲେ । ପରେ ବ୍ଳକର ନିର୍ମାଣଧିନ କାର୍ଯ୍ୟ,ସମ୍ମିଳନୀ କକ୍ଷ, କର୍ମଚାରୀଙ୍କ ପାଇଁ ବାସଗୃହ ନିର୍ମାଣ ବାବଦରେ ବିଧାୟକ ପ୍ରସ୍ତାବ ରଖିଥିଲେ ଓ ଏହାକୁ ଅଧିବେଶନରେ ପାସ କରାଯାଇଥିଲା ।ଏହି ବୈଠକରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଲିଙ୍ଗରାଜ ସ୍ୱାଇଁ, ପଂଚାୟତ ସମିତି ଉପାଧ୍ୟକ୍ଷା ମାମିନା ଦଲାଇ,ବିଡିଓ ରଶ୍ମୀରେଖା ମଲ୍ଲିକ,ଅତିରିକ୍ତ ତହସିଲଦାର ନେତ୍ରାନନ୍ଦ ବେହେରା, ଜିଲ୍ଲା ପରିଷଦ ସଭ୍ୟ ସୁବଳ ବେହେରା, ଜିପିଓ ଦିନେଶ ରାୟଙ୍କ ସମେତ ସମସ୍ତ ପଂଚାୟତର ପଂଚାୟତ ପ୍ରତିନିଧି ଓ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ । ଶେଷରେ ବ୍ଳକ ଉପାଧ୍ୟକ୍ଷା ମାମିନା ଦଳାଇ ଧନ୍ୟବାଦ ଅର୍ପଣ କରିଥିଲେ ।