ନାଉଗାଁ ପଂଚାୟତ ସମିତି ବୈଠକ : ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଉପରେ ଗୁରୁତ୍ୱାରୋପ
ନାଉଗାଁ, (ଯୁଗାବ୍ଦ ନ୍ୟୁଜ) :-ନାଉଗାଁ ପଂଚାୟତ ସମିତିର ତୃତୀୟ ଅଧିବେଶନ ପଂଚାୟତ ସମିତି ସମ୍ମିଳନୀ କକ୍ଷରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଚଳିତ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ନବ ନିର୍ବାଚିତ ଜନପ୍ରତିନିଧିମାନଙ୍କୁ ଶୁଭେଚ୍ଛା ଜଣାଇ ପଂଚାୟତ ସମିତିର ଉନ୍ନତି ପାଇ ବିଧାୟକ ପ୍ରଶାନ୍ତ ମୁଦୁଲି ସମସ୍ତଙ୍କ ସହଯୋଗ ଲୋଡିଥିଲେ । ପଂଚାୟତ ସମିତି ଅଧ୍ୟକ୍ଷା ତୃଷ୍ଣା ଲେଙ୍କାଙ୍କ ପୌରୋହିତ୍ୟ ଆୟୋଜିତ ବୈଠକରେ ବିଧାୟକଙ୍କ ସମେତ ବିଡିଓ ରଶ୍ମୀରେଖା ମଲ୍ଲିକ, ଏବିଡିଓ ଦେବେନ୍ଦ୍ର ପ୍ରଧାନ, ଜିପିଇଓ ଦିନେଶ ରାୟ, ପଂଚାୟତ ସମିତି ଉପାଧ୍ୟକ୍ଷ ସୁଜିତ ପୁହାଣ, ଜିଲ୍ଲା ପରିଷଦ ସଭ୍ୟା ଅମିତା ସ୍ୱାଇଁ, ସାଂସଦଙ୍କ ପ୍ରତିନିଧି ଅଜୟ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ଏହି ବୈଠକରେ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ତଥା ଡାବର ପଂଚାୟତ ସମିତି ସଭ୍ୟ ସୁବଳ ବେହେରା ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଆୟୋଜିତ ଆୟୁଷ୍ମାନ ଭାରତ ବ୍ଲକସ୍ତରୀୟ ସ୍ୱାସ୍ଥ୍ୟମେଳାକୁ ସରପଂଚ ଓ ସମିତି ସଭ୍ୟମାନଙ୍କୁ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକ୍ଷକ ଅଣଦେଖା କରିବାକୁ ନେଇ କ୍ଷୋଭ ପ୍ରକାଶ କରିବା ସହିତ ବିଧାୟକଙ୍କ ଦୃଷ୍ଟି ଗୋଚର କରିଥିଲେ । ସେହିପରି ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ତଥା ଡାବର ପଂଚାୟତ ସମିତି ସଭ୍ୟ ସୁବଳ ବେହେରା , ଘୋଡାଂଶ ପଂଚାୟତର ସଭ୍ୟ ତରୁଣକାନ୍ତ ବାରିକ, ଜାମୁଗାଁ ସରପଂଚ ଶୁଭ୍ରସ୍ମୃତୀ ପରିଡା, ଗଳଦାରୀ ସରପଂଚ ଦିଲ୍ଲିପ ନାୟକ ଆଦି ପାନୀୟ ଜଳ ସମସ୍ୟା ଉପରେ ଆଲୋକପାତ କରିଥିଲେ । ବିଭିନ୍ନ ପଂଚାୟତରେ ପାନୀୟ ଜଳ ପାଇଁ କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କ ସହ ଅଳ୍ପ ଦିନ ମଧ୍ୟରେ ଏକ ସ୍ୱତନ୍ତ୍ର ବୈଠକ ଡକାଇ ପାନୀୟ ଜଳ ସମସ୍ୟାକୁ ଦୁର କରିବା ପାଇଁ ବିଧାୟକ ବିଡିଓ ରଶ୍ମୀରେଖା ମଲ୍ଲିକଙ୍କୁ ପରାମର୍ଶ ଦେଇଥିଲେ । ସେହିପରି ସମନ୍ୱିତ ଶିଶୁ ବିକାଶ ମାଧ୍ୟମରେ ପ୍ରଦାନ କରାଯାଉଥିବା ଖାଦ୍ୟର ମାନ ପରୀକ୍ଷା, ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ନିଯୁକ୍ତି, ନାଉଗାଁ ପଂଚାୟତରେ ବିଭିନ୍ନ ବିଦ୍ୟାଳୟରେ ଶିକ୍ଷକଙ୍କର ଅଭାବ ସହିତ ଭିତିଭୂମି ସଜାଡିବା ସହ ଆବଶ୍ୟକୀୟ ସରଂଜମା ଯୋଗାଇ ଦେବାକୁ ଉକ୍ତ ପଂଚାୟତର ସରପଂଚ ପ୍ରାଚୀ ସାଗରିକା ଜେନା ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ନିଯୁକ୍ତ କିଛି କର୍ମଚାରୀ ରାତ୍ର ସମୟରେ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ନିଶା ପାନ କରି ରୋଗୀଙ୍କୁ ଦୁର୍ବ୍ୟବହାର କରୁଥିବା ଘୋଡାଂଶ ପଂଚାୟତର ସମିତି ସଭ୍ୟ ତରୁଣକାନ୍ତ ବାରିକ ଓ ସରପଂଚ ନିହାରରଂଜନ ବସ୍ତିଆ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ କୌଣସି କର୍ମଚାରୀ ନିଶାସକ୍ତ ଅବସ୍ଥାରେ ରହିଲେ ତୁରନ୍ତ ତାଙ୍କ ନାମରେ ଥାନାରେ ଲିଖିତ ଅଭିଯୋଗ କରିବାକୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀଙ୍କୁ ବିଧାୟକ ନିର୍ଦ୍ଦେଶ ଦେଇଥିଲେ । ବର୍ଷା ଦିନେ ଚାଷ ଜମିରୁ ଜଳ ନିଷ୍କାସନ ପାଇଁ ଜାମୁଗାଁ ପଂଚାୟତ ଓ ଘୋଡାଂଶ ପଂଚାୟତର ଘୋଡେଶ୍ୱର ଠାରେ ଏକ କଲର୍ଭଟ ନିର୍ମାଣ କରିବା ପାଇଁ ଘୋଡାଂଶ ପଂଚାୟତ ସମିତି ସଭ୍ୟ ତରୁଣକାନ୍ତ ବାରିକ ଦାବି କରିଥିଲେ । ସେହିପରି ନନ୍ଦିଗ୍ରାମରୁ ଡାବରକୁ ଏକ ରାସ୍ତା ନିର୍ମାଣ କରାଯିବା ସହ ଦେଓପଡାରୁ ଡାବର ପଂଚାୟତ କାର୍ଯ୍ୟାଳୟକୁ ଏକ ରାସ୍ତାର ବ୍ୟବସ୍ଥା କରିବା ପାଇଁ ଡାବର ପଂଚାୟତ ସମିତି ସଭ୍ୟ ସୁବଳ ବେହେରା ଦାବି କରିଥିଲେ । ନୂଆଗାଁ ପଂଚାୟତରୁ ଅଲଣା ପଂଚାୟତ ମଧ୍ୟରେ ଥିବା ଜୋରଟିକୁ କଂଟାପଡା ଠାରୁ ବେଣାପଡା ଶେଷ ପର୍ଯ୍ୟନ୍ତ ସଫେଇ କରିବା ଦାବି କରିବା ସହ , ଗତବର୍ଷ ଅତ୍ୟଧିକ ବର୍ଷାରେ କ୍ଷତିଗ୍ରସ୍ତ ହୋଇଥିବା ବୀମାଭୁକ୍ତ ଚାଷୀଙ୍କୁ ବୀମା ସହାୟତା ଓ କ୍ଷତିଗ୍ରସ୍ତ ଚାଷୀଙ୍କୁ ସରକାରୀ ସହାୟତା କେବେ ମିଳିବ ବୋଲି ନୂଆଗାଁ ପଂଚାୟତ ସମିତି ସଭ୍ୟା ସୁଶ୍ରୀ ଶ୍ରାବଣୀ ରାୟ ପ୍ରଶ୍ନ କରିଥିଲେ । ବିଭିନ୍ନ ପଂଚାୟତରେ ଥିବା ସମସ୍ୟାକୁ ଜନ ପ୍ରତିନିଧିଙ୍କ ସହ ଆଲୋଚନା କରି ଯଥାଶୀଘ୍ର ଏଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ବିଧାୟକ ଶ୍ରୀ ମୁଦୁଲି ସମସ୍ତ ପ୍ରଶାସନିକ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ । ଏହି ବୈଠକରେ ନୂଆଗାଁ ସରପଂଚ ଦୋଳଗୋବିନ୍ଦ ରାଉଳ, ଡେରିକି ପଂଚାୟତ ସରପଂଚ ପ୍ରଶାନ୍ତ ଜେନା, ରୋହିଆ ସରପଂଚ ହେମାମାଳିନୀ ମହାନ୍ତିଙ୍କ ସହ ସମସ୍ତ ନିର୍ବାଚିତ ସରପଂଚ ଓ ସମିତି ସଭ୍ୟଙ୍କ ସମେତ ବିଭିନ୍ନ ବିଭାଗର ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।


