ନାଉଗାଁ ବସଷ୍ଟାଣ୍ଡକୁ ଭୂତ କରୁଛି ପରିଚାଳନା
ନାଉଗାଁ, (ଓ୍ବାଇଏନ୍ଏସ୍):ଯାତ୍ରୀ ଓ ଯାତ୍ରୀବାହୀ ଗାଡି ଗୁଡିକ ରହିବା ପାଇଁ ନାଉଗାଁ ବ୍ଳକର ନାଉଗାଁ ବଜାର ଠାରେ ୨୦୧୭ ମସିହାରେ ଏକ ନୂତନ ବସଷ୍ଟାଣ୍ଡ ନିର୍ମାଣ କରାଯାଇଛି । ଏହି ବସଷ୍ଟାଣ୍ଡ ନିର୍ମାଣ ପାଇଁ ପାରାଦୀପ ପୋର୍ଟ ପକ୍ଷରୁ ୫୦ ଲକ୍ଷ ଟଙ୍କା ଆର୍ôଥକ ଅନୁଦାନ ପ୍ରଦାନ କରାଯାଇଛି । ତହସିଲ ପକ୍ଷରୁ ବସଷ୍ଟାଣ୍ଡ ପାଇଁ ଜମି ଚିହ୍ନଟ କରାଯାଇ ଥିବା ବେଳେ ପୂର୍ତ ବିଭାଗ ପକ୍ଷରୁ ଟେଣ୍ଡର କରାଯାଇ ୫୦ଲକ୍ଷ ଟଙ୍କା ବ୍ୟୟରେ ଯାତ୍ରୀ ବିଶ୍ରାମଗାର, ମହିଳା ଓ ପୁରୁଷଙ୍କ ପାଇଁ ପୃଥକ ଶୌଚାଳୟ,ଟିକେଟ କାଉଂଟର ଆଦି କରାଯାଇଛି । ଏହା ସହିତ ବସଷ୍ଟାଣ୍ଡରେ ବିଦ୍ୟୁତକରଣ ମଧ୍ୟ କରାଯାଇଛି । ନୂତନ ବସଷ୍ଟାଣ୍ଡ ନିର୍ମାଣ ପରେ ବସଷ୍ଟାଣ୍ଡ ପରିଚାଳନା ଦାୟିତ୍ୱ କାହା ହାତରେ ରହିଛି ତାହା ସଠିକ ଜଣାପଡୁନାହିଁ । ଯାହା ଦ୍ୱାରା ଯେଉଁ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ନେଇ ବସଷ୍ଟାଣ୍ଡ ନିର୍ମାଣ କରାଯାଇଥିଲା । ତାହା ଏବେ ଲକ୍ଷ୍ୟଚ୍ୟୁତ ହେବାରେ ଲାଗିଛି । ପୂର୍ତ ବିଭାଗର କନିଷ୍ଠ ଯନ୍ତ୍ରୀ ରମେଶ ମିଶ୍ରଙ୍କ କହିବା ମୁତାବକ ବସଷ୍ଟାଣ୍ଡ ନିର୍ମାଣ ଶେଷ ପରେ ଡିସେମ୍ବର ୨୦୧୯ ମସିହାରେ ନାଉଗାଁ ଗ୍ରାମ ପଂଚାୟତକୁ ବସଷ୍ଠାଣ୍ଡ ପରିଚାଳନା ପାଇଁ ଦାୟିତ୍ୱ ହସ୍ତାନ୍ତର କରାଯାଇଛି । କିନ୍ତୁ ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅମର ମଲ୍ଲିକ ଉକ୍ତ ବିଷୟକୁ ଖଣ୍ଡନ କରିବା ସହିତ ପୂର୍ତ ବିଭାଗ ତରଫରୁ ସେମିତି କିଛି ଚିଠି ତାଙ୍କର ହସ୍ତଗତ ହୋଇ ନଥିବା କହିଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଲକ୍ଷାଧିକ ଟଙ୍କାର ନିର୍ମିତ ଗୃହର ଚାବି କାହା ପାଖରେ ରହିଛି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବଜାର ମଧ୍ୟ ଭାଗରେ ଏହି ବସଷ୍ଟାଣ୍ଡଟି ରହିଥିବା ବେଳେ ଯାତ୍ରୀ ବିଶ୍ରାମଗାରରେ ଭୋଜି ଭାତ ହେଉଥିବାର ଦେଖାଯାଉଛି । ଏପରିକି ସଂଧ୍ୟା ହେଲେ ନିଶାଡି ମାନଙ୍କର ଆଡ୍ଡା ମଧ୍ୟ ଉକ୍ତ ବିଶ୍ରାମଗାରରେ ଚାଲୁ ରହିଥିବାର ନଜିର ରହିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯାତ୍ରୀ ବିଶ୍ରାମଗାରରେ ଶୌଚାଳୟ ବ୍ୟବହାର ହେଉଥିବା ବେଳେ ବିଦ୍ୟୁତ ପମ୍ପ ମାଧ୍ୟମରେ ପାଣି ଟାଙ୍କିକୁ ପାଣି ଉଠୁଛି । ହେଲେ ବିଦ୍ୟୁତ ବିଭାଗ ପକ୍ଷରୁ ବସଷ୍ଟାକୁ ବିଦ୍ୟୁତ ସଂଯୋଗ ଦିଆଯାଇ ନଥିବା ବେଳେ କୌଣସି ବିଲ ମଧ୍ୟ ଆଦାୟ କରାଯାଇନାହିଁ ବୋଲି ବିଭାଗୀୟ ଯନ୍ତ୍ରୀ କମଳାକାନ୍ତ ବିଶୋଇ ସୂଚନା ଦେଇଛନ୍ତି । ତେବେ କାହା ଇଙ୍ଗିତରେ ବସଷ୍ଟାଣ୍ଡ ମଧ୍ୟରେ ବେଆଇନ ବିଦ୍ୟୁତ ସଂଯୋଗ କରାଯାଇ ପାଣି ଉଠିବା ଠାରୁ ଆରମ୍ଭ କରି ବିଦ୍ୟୁତ ବଲବ ଜଳିବା ପର୍ଯ୍ୟନ୍ତ ବିଦ୍ୟୁତ ବିନିଯୋଗ କରାଯାଉଛି ତାହା ତଦନ୍ତ ସାପେକ୍ଷ । ପଂଚାୟତ ଓ ପୂର୍ତ ବିଭାଗ କଥାରେ ତାଳମେଳ ରହୁ ନଥିବା ବେଳେ ନାଉଗାଁ ବଜାରରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚରେ ନିର୍ମିତ ବସଷ୍ଟାଣ୍ଡର ଚାବି କାହା ହାତରେ ରହିଛି ଓ ଉକ୍ତ ଷ୍ଟାଣ୍ଡକୁ କିଏ ପରିଚାଳନା କରୁଛି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହାର ସଠିକ ତଦନ୍ତ ପାଇଁ ବୁଦ୍ଧିଜୀବମାନେ ପ୍ରଶାସନ ନିକଟରେ ଦାବି କରିଛନ୍ତି ।


