ନାଉଗାଁ ବ୍ଲକରେ ଆଗ ଧାଡିର କୋଭିଡ-୧୯ ଯୋଦ୍ଧା
ନାଉଗାଁ,(ଓ୍ବାଇଏନ୍ଏସ୍):କୋଭିଡ-୧୯ ଯୁଦ୍ଧରେ ସାରା ବିଶ୍ୱ ଅବତୀର୍ଣ୍ଣ ହୋଇଛି । ମାନବ ଜାତି ପ୍ରତି ଚ୍ୟାଲେଂଜ ସୃଷ୍ଟି କରିଥିବା କରୋନା ଭାଇରସକୁ ମୁକାବିଲା କରିବା ପାଇଁ ସବୁ ସ୍ତରରେ ଲଢେଇ ଚାଲିଛି । କୋଭିଡ ଯୋଦ୍ଧା ଭାବେ ଡାକ୍ତର, ନର୍ସ, ସ୍ୱାସ୍ଥ୍ୟ କର୍ମଚାରୀମାନେ ସିଧାସଳଖ ଚିକିତ୍ସା ଅସ୍ତ୍ର ପ୍ରୟୋଗ କରୁଥିବା ବେଳେ ବ୍ଲକ ପ୍ରଶାସନ,ପୋଲିସ ପ୍ରଶାସନ, ଆଶା କର୍ମୀ, ଅଙ୍ଗନୱାଡି କର୍ମୀ ଆଦି ଜାଗ୍ରତ ପହରୀ ହୋଇ କାର୍ଯ୍ୟ କରୁଛନ୍ତି । ଏହି ଜରୁରୀ ପରିସ୍ଥିତରେ ଏମାନେ ନିଷ୍ଠାର ସହ କାର୍ଯ୍ୟ କରି ଆସୁଛନ୍ତି । ଏପରିକି କ୍ୱାରେଂଟାଇନ,ସାମାଜିକ ଦୁରତ୍ୱ ଓ ନମୁନା ସଂଗ୍ରହ କ୍ଷେତ୍ରରେ ବେଶ ଭଲ କାମ କରୁଥିବାରୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଉଛି । ଏମାନଙ୍କ ମଧ୍ୟରେ ନାଉଗାଁ ବିଡିଓ ରଶ୍ମୀରେଖା ମଲ୍ଲିକ ଓ ତହସିଲଦାର ଜେ.କଳ୍ପନାଙ୍କୁ ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଜିଲ୍ଲାର ମହିଳା ଯୋଦ୍ଧା ଭାବେ ସରକାରଙ୍କୁ ଜଣାଇଛନ୍ତି । ନାଉଗାଁ ବ୍ଲକରେ ନାଉଗାଁ ଥାନା ଆଇଆଇସି ଗୋବର୍ଦ୍ଧନ ସାହୁ ଓ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧୀକ୍ଷକ ଡାକ୍ତର ସୁନନ୍ଦନ ମହାନ୍ତି ନାଉଗାଁ ବ୍ଲକରେ ଯୋଦ୍ଧା ହୋଇ କରୋନା ବିରୁଦ୍ଧରେ ସଂଗ୍ରାମ ଜାରୀ ରଖଛନ୍ତି । ଦେଶରେ ଲକ୍ ଡାଉନ ଲାଗୁ ହେବା ପରେ ଏହି ମାନେ ନିଜ ପରିବାରକୁ ଛାଡି ଦିନରାତିକୁ ଏକ କରି ନାଉଗାଁର ଜନସାଧାରଣଙ୍କ ସେବାରେ ନିୟୋଜିତ ଅଛନ୍ତି । ସେମାନଙ୍କୁ ନାଉଗାଁ ଅଂଚଳର ବିଭିନ୍ନ ମହଲରୁ ପ୍ରଶଂସା କରାଯାଉଥିବା ବେଳେ ସେମାନଙ୍କୁ ସହଯୋଗ କରୁଥିବା କର୍ମଚାରୀମାନଙ୍କୁ ମଧ୍ୟ ପ୍ରଶଂସା କରାଯାଉଛି ।


