ନାଉଗାଁ ବ୍ଲକରେ ସୂଚନା ଅଧିକାର ଆଇନ ଫେଲ ମାଗିଲେ ମିଳୁନାହିଁ ତଥ୍ୟ

ନାଉଗାଁ,(ଯୁଗାବ୍ଦ ନ୍ୟୁଜ୍):ଜନସାଧାରଣଙ୍କୁ ବିଭିନ୍ନ ବିଷୟରେ ତଥ୍ୟ ଦେବା ପାଇଁ ୨୦୦୫ ମସିହାରୁ ସୂଚନା ଅଧିକାର ଆଇନ କାର‌୍ୟ୍ୟକାରୀ ହୋଇଛି । ଏହି ଆଇନ ବଳରେ ଜନସାଧାରଣ ଜାଣିବାକୁ ଚାହୁଁ ଥିବା ତଥ୍ୟ ନିର୍ଭୂଲ ଓ ସଠିକ ଭାବେ ପାଇ ପାରିବେ । କିନ୍ତୁ ନାଉଗାଁ ବ୍ଳକରେ ଏହି ଆଇନ ବଳରେ ମଗା ଯାଉଥିବା ତଥ୍ୟ ଦୀର୍ଘ ଦିନ ଧରି ମିଳୁ ନଥିବା ଅଭିଯୋଗ ହୋଇଛି । ଅଭିଯୋଗ ମୁତାବକ ଗତ ୨୯ ମେ ୨୦୧୯ ରେ କାନୁନଗୋସାହିର ସତ୍ୟ ସୁନ୍ଦର ଦାସ ନାଉଗାଁ ବ୍ଳକରେ ୨୦୧୭ ମସିହା ଠାରୁ ୨୦୧୯ ମସିହା ପର‌୍ୟ୍ୟନ୍ତ ହୋଇଥିବା ଉନ୍ନୟନ ମୂଳକ କାର‌୍ୟ୍ୟ ଓ ନାଉଗାଁ ପଂଚାୟତରେ ହୋଇଥିବା ବିଭିନ୍ନ ଉନ୍ନୟନ ମୂଳକ କାର‌୍ୟ୍ୟ ଉପରେ ସୂଚନା ଅଧିକାର ଆଇନ ବଳରେ ତଥ୍ୟ ମାଗିଥିଲେ । ନିର୍ଦ୍ଧାରିତ ସମୟ ମଧ୍ୟରେ ତଥ୍ୟ ନମିଳିବାରୁ ସେ ପୁନର୍ବାର ୧୫ ଜୁଲାଇ ୨୦୧୯ରେ ପ୍ରଥମ ଅପିଲ ଗ୍ରହଣ କାରୀ ଅଧିକାରୀଙ୍କୁ ମଧ୍ୟ ଆବେଦନ କରିଥିଲେ । କିନ୍ତୁ ବ୍ଳକ ତରଫରୁ ଏସଂକ୍ରାନ୍ତରେ କୌଣସି ତଥ୍ୟ ପ୍ରଦାନ କରା ନଯିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏପରିକି ସୂଚନା ଅଧିକାର ଆଇନ ବଳରେ ତଥ୍ୟ ପ୍ରଦାନ କରାଗଲେ ଅନେକ ଦୁର୍ନୀତି ଧରା ପଡିବା ଭୟରେ ବ୍ଳକ ସୂଚନା ଅଧିକାରୀ ଆବେଦନ ଫର୍ମ ଗୁଡିକୁ ଦୀର୍ଘ ଦିନ ଧରି ଚାପି ରଖିଥିବା ଆବେଦନକାରୀ ପ୍ରକାଶ କରିଛନ୍ତି । କାର‌୍ୟ୍ୟରେ ସ୍ୱଚ୍ଛତା ଆଣିବା ପାଇଁ ଜନସାଧାରଣଙ୍କ ଅବଗତି ନିମନ୍ତେ ଉକ୍ତ ଆଇନ ପ୍ରଣୟନ କରାଯାଇଥିଲେ ବି ବ୍ଳକ ପ୍ରଶାସନ ସାଧାରଣ ଲୋକଙ୍କୁ ମାଗିଥିବା ତଥ୍ୟ ପ୍ରଦାନ ନକରିବା ଓ ଏଥିରେ କାଳ ବିଳମ୍ବ କରିବା ପଛର କାରଣ କ’ଣ ହୋଇପାରେ ତାହା ଜଣା ପଡୁନାହିଁ । ଯାହାଫଳରେ ସାଧାରଣ ଲୋକ ସୂଚନା ଅଧିକାର ଆଇନ ବଳରେ ତଥ୍ୟ ପାଇବାରୁ ବଂଚିତ ହେଉଥିବା ଜଣାଯାଇଛି । ଏ ବିଷୟରେ ବିଡିଓ ରଶ୍ମିରେଖା ମଲ୍ଲିକଙ୍କର ମତାମତ ନେବାପାଇଁ ବାରମ୍ବାର ଫୋନ କରାଯାଇଥିଲେ ମଧ୍ୟ ଯୋଗାଯୋଗ ସମ୍ଭବ ହୋଇପାରିନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ