ନାଉଗାଁ ବ୍ଲକ ରେ ବାରମ୍ଭାର ବିଜୁଳି କାଟ୍ , ଲୋକେ ହନ୍ତସନ୍ତ ,ସରକାରୀ ନିର୍ଦ୍ଦେଶକୁ ଫୁ
ନାଉଗାଁ,(ଯୁଗାବ୍ଦ ନ୍ୟୁଜ୍):ନାଉଗାଁ ବ୍ଳକରେ ବିଦ୍ୟୁତ ସେବା ଯୋଗାଇ ଦେବା ପାଇଁ ସହଭାଗୀତା ଭାବେ ସେସୁ ଓ ଏନଜେଏନ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି । କିନ୍ତୁ ବିଦ୍ୟୁତ ସମସ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଜନସାଧାରଣଙ୍କ ନିକଟରେ ନିରବଚ୍ଛିନ୍ନ ଭାବେ ବିଦ୍ୟୁତ ସେବା ଯୋଗଇ ଦେବା ପାଇଁ ସରଜାରଙ୍କ ପକ୍ଷରୁ ନିର୍ଦ୍ଦେଶ ରହିଥିଲେ ବି ଏହି ବ୍ଳକରେ ତାହାର ଓଲଟା ଦେଖିବାକୁ ମିଳୁଛି । ଏପରିକି ଆକାଶରେ ମେଘ ଢାଙ୍କିଲେ ବ୍ଳକରେ ବିଦ୍ୟୁତ ଯିବା ନିଶ୍ଚିତ ହୋଇଯାଇଛି । କେବଳ ମେଘ କିମ୍ବା ଘଡଘଡି ମାରିଲେ ନୁହେଁ ଗଛରୁ ପତ୍ର ହଲିଲେ ବି ବିଦ୍ୟୁତ କାଟ ହେଉଛି । ଏ ସଂକ୍ରାନ୍ତରେ ବାରମ୍ବାର ବିଦ୍ୟୁତ ଉପଭୋକ୍ତା ସଂଘ ପକ୍ଷରୁ ଅନଶନ, ଗଣଧାରଣା ଦିଆଯାଉଥିଲେ ବି କେବଳ ପ୍ରତିଶୃତି ଦିଆଯିବା ବ୍ୟତିତ ସୁଫଳ କିଛି ମିଳି ନଥିବା ଜଣାଯାଇଛି । ଏହି ବ୍ଳକରେ ବିଦ୍ୟୁତ ସେବା ଯୋଗାଇ ଦେବା ପାଇଁ ନାଉଗାଁ ଥାନା ଛକ ଠାରେ ଏକ ବିଦ୍ୟୁତ ଷ୍ଟ୍ରକଚର ନିର୍ମାଣ କରାଯାଇଛି । ବ୍ଳକରେ ବିଦ୍ୟୁତ ସେବାକୁ ତ୍ୱରାନ୍ୱିତ କରିବା ପାଇଁ ଗଜରାଜପୁର ଭାତପଡା ଠାରେ ନୂତନ ଷ୍ଟ୍ରକଚର ନିର୍ମାଣ କରାଯାଇ ୨ ବର୍ଷ ହେବ ଉଦଘାଟନ ହୋଇ ରହିଥିବା ବେଳେ ଡେରିକି ଠାରେ ନିର୍ମିତ ଷ୍ଟ୍ରକଚରଟି ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲେ ବି ସେମିତି ପଡି ରହିଛି । ଏହି ୨ଟି ଷ୍ଟ୍ରକଚର କୋଟି କୋଟି ଟଙ୍କା ବ୍ୟୟରେ ଦୀର୍ଘ ଦିନ ହେବ ନିର୍ମିତ ହୋଇଥିଲେ ବି ଜନସାଧାରଣଙ୍କ ସେବାରେ ଆସୁନାହିଁ । ଅନ୍ୟପକ୍ଷରେ ନାଉଗାଁ ବିଦ୍ୟୁତ ଷ୍ଟ୍ରକଚରରୁ ବ୍ଳକର ବିଭିନ୍ନ ପଂଚାୟତକୁ ୪ଟି ଫିଡର କରାଯାଇ ବିଦ୍ୟୁତ ସଂଯୋଗ କରାଯାଇଛି ।ଏହି ଫିଡରରେ ଡେରିକି,ରୋହିଆ,ଚାନ୍ଦପୁରା,ଅଲଣାହାଟ ରହିଛି । ଅଲଣାହାଟ ଫିଡରରୁ ନାଉଗାଁ ଓ ଅଲଣାହାଟ,ନୁଆଁଗା ଓ ଘୋଡାଂଶ ଆଦିକୁ ବିଦ୍ୟୁତ ସଂଯୋଗ କରାଯାଇଛି । କିନ୍ତୁ ନାଉଗାଁ ଷ୍ଟ୍ରକଚରରୁ ନାଉଗାଁ ବଜାର ଅଧା କିଲୋମିଟର ବାଟ ହୋଇଥିବା ବେଳେ ଏଠାକୁ ୧୦ କିଲୋମିଟର ବାଟ ଅତିକ୍ରମ କରି ଅଲଣାହାଟରୁ ନାଉଗାଁକୁ ବିଦ୍ୟୁତ ସଂଯୋଗ କରାଯାଇଛି । ଫଳରେ ଏହି ଫିଡରରେ ନାହିଁ ନଥିବା ଅସୁବିଧା ସୃଷ୍ଟି ହେଉଛି । ସେହିପରି ଚାନ୍ଦପୁରା ଫିଡରରେ ବାଂଶ, ନରଣପୁର, ତେଂଟୋଇ, ଉର, ତିରୁଣା, କୁରିକି ଆଦି ଗ୍ରାମ ନିର୍ଭର କରୁଥିବା ବେଳେ ଏହି ଫିଡରରେ ସର୍ବଦା ଲୋଭୋଲଟେଜର ସମସ୍ୟା ଲାଗି ରହୁଛି । ଏପରିକି ଏହି ଗ୍ରାମର ଜନସାଧାରଣ ଇଲେକ୍ଟ୍ରି ଚାଳିତ କୈାଣସି ଯନ୍ତ୍ରପାତି ବ୍ୟବହାର କରି ପାରୁ ନାହାନ୍ତି । ସଂଧ୍ୟା ହେଲେ ସମସ୍ତଙ୍କ ଘରେ ଡିବିରି ଓ ଳଣ୍ଠନ ଏକମାତ୍ର ମାଧ୍ୟମ ପାଲଟିଛି । ବାରମ୍ବାର ଏହି ବିଷୟରେ ଅଭିଯୋଗ କଲେ ମଧ୍ୟ ବିଭାଗ ସେଥିପ୍ରତି ଦୃଷ୍ଟି ଦେବା ଦୂରର କଥା । ଏନଜେଏନ-ସେସୁ ଓ ସେସୁ-ଏନଜେଏନ ଉପରେ ଦୋଷ ଲଦି ଊଭୟ ଊଭୟଙ୍କ କାର୍ଯ୍ୟ ବୋଲି କହି ଜନସାଧାରଣଙ୍କୁ କେବଳ ଠକିବା ସାର ହେଉଛି । ଡେରିକି ଫିଡର ଉପରେ ଶିଖର ,ଡେରିକି, କୋରୁଅ,ଓଷକଣା ପଂଚାୟତ ସମେତ ପୁରୀ ଜିଲ୍ଲାର ୩ଟି ଗାଁର ବିଦ୍ୟୁତ ଉପଭୋକ୍ତା ନିର୍ଭର କରୁଛନ୍ତି । ବିଦ୍ୟୁତ କଟିବା ଦ୍ୱାରା ସେମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଦ୍ୟୁତ ଉପରେ ବ୍ଳକର ୧୬ ଟି ପଂଚାୟତର ଜନସାଧାରଣଙ୍କ ସମେତ ବ୍ଳକ,ତହସିଲ,ସ୍ୱାସ୍ଥ୍ୟ କେନ୍ଦ୍ର ଭଳି ବିଭିନ୍ନ ସରକାରୀ ଓ ବେସରକାରି କାର୍ଯ୍ୟାଳୟ ନିର୍ଭର କରୁଛନ୍ତି । ବିଶେଷକରି ବର୍ତମାନ ବିଭିନ୍ନ ପରୀକ୍ଷା ଫଳ ପ୍ରକାଶ ପାଉଥିବା ବେଳେ ଅନଲାଇନ ମାଧ୍ୟମରେ ନାମ ଲେଖା ପାଇଁ ଫର୍ମ ଆବେଦନ ପକ୍ରିୟା ଜାରୀ ରହିଛି । ତେଣୁ ଏହି ଆବେଦନ ପାଇଁ ଛାତ୍ରଛାତ୍ରୀ ମାନେ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ବ୍ଳକର ସେସୁ ଅଧୀନରେ ଥିବା ବିଭାଗୀୟ କନିଷ୍ଠ ଯନ୍ତ୍ରୀ କମଳାକାନ୍ତ ବିଷୋଇଙ୍କୁ ବ୍ରହ୍ମପୁର ଡେପୁଟେସନରେ ସ୍ଥାନାନ୍ତର କରାଯାଇଛି । ତାଙ୍କ ଦାୟିତ୍ୱ ତୁଲାଇବା ପାଇଁ ବାଲିକୁଦା ବ୍ଳକର ବିଭାଗୀୟ କନିଷ୍ଠ ଯନ୍ତ୍ରୀଙ୍କୁ ଦାୟିତ୍ୱ ଦିଆଯାଇଛି । ସଂପୃକ୍ତ ଯନ୍ତ୍ରୀ ୨ଟି ବ୍ଳକ ଦାୟିତ୍ୱରେ ରହିଥିବାରୁ ଠିକ ଭାବେ କାର୍ଯ୍ୟ ହୋଇପାରୁ ନଥିବା ଜନସାଧାରଣ ଅଭିଯୋଗ କରିଛନ୍ତି । ତେଣୁ ବିଦ୍ୟୁତ କାଟ ଓ ଲୋ ଭୋଲଟେଜ ସମସ୍ୟାର ସୁଧାର ନ ଆସିଲେ ଆଗାମୀ ଦିନରେ ବିଦ୍ୟୁତ ଉପଭୋକ୍ତ ସଂଘ ପକ୍ଷରୁ ଆନ୍ଦୋଳନ କରାଯିବ ବୋଲି ମଧ୍ୟ ଚେତାବନୀ ଦିଆଯାଇଛି ।