ନାଉଗାଁ ବ୍ଳକରେ ଖାଦ୍ୟ ସୁରକ୍ଷା ଯୋଜନାରୁ ମୃତ ବ୍ୟକ୍ତିଙ୍କୁ ବାଦ;୮ ମାସରେ ୨୬୦ଜଣ
ନାଉଗାଁ,(ଓ୍ବାଇଏନ୍ଏସ୍): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକର ୧୬ଟି ପଂଚାୟତରେ ଯୋଗାଣ ସାମଗ୍ରୀ ବଂଟନ ଦାୟିତ୍ୱ ୨୮ଟି ଡିଲରଙ୍କୁ ଯୋଗାଣ ବିଭାଗ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଛି । ଉକ୍ତ ଡିଲରମାନେ ଯୋଗାଣ ସାମଗ୍ରୀ ବଂଟନ କରିବା ସହିତ ସେମାନଙ୍କ ଡିଲର ପଂଏଟ ଅଧିନରେ କୌଣସି ହିତାଧିକାରୀ ମୃତ୍ୟୁବରଣ ଅବା ମହିଳା ହିତାଧିକାରୀ ଅନ୍ୟତ୍ର ବିବାହ କଲେ ସେମାନଙ୍କର ନାମକୁ ଯୋଗାଣ ଅଧିକାରୀକୁ ଜଣାଇବାକୁ ନିର୍ଦ୍ଦେଶ ରହିଛି । ନାଉଗାଁ ବ୍ଲକର ଗୋଟିଏ କି ଦୁଇଟି ଡିଲରଙ୍କୁ ଛାଡି ଦେଲେ ଅନ୍ୟ ସମସ୍ତ ଡିଲର ମୃତ ବ୍ୟକ୍ତିଙ୍କ ନାମ ଯୋଗାଣ ଅଧିକାରୀଙ୍କୁ ଦେଉଥିବା ଜଣାଯାଇଛି । ଯାହାଫଳରେ ୮ମାସ ମଧ୍ୟରେ ୫୨୨ ଜଣଙ୍କ ହିତାଧିକାରୀଙ୍କ ନାମକୁ ଖାଦ୍ୟ ସୁରକ୍ଷା ଯୋଜନାରୁ ବାଦ ଦିଆଯାଇଥିବା ଜଣାଯାଇଛି । ସୂଚନା ମୁତାବକ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ଖାଦ୍ୟ ସୁରକ୍ଷା ପୋର୍ଟାଲର ତଥ୍ୟ ଅନୁସାରେ ବୁଧବାର ସୁଦ୍ଧା ୧୬ଟି ପଂଚାୟତରେ ଥିବା ୨୮ଟି ଡିଲର ପଂଏଟରେ ୧୬ ହଜାର ୪୭୬ ରାସନ କାର୍ଡ ରହିଥିବା ବେଳେ ଏଥିମଧ୍ୟରେ ୬୧ ହଜାର ୩୫୬ ହିତାଧିକାରୀ ସାମିଲ ହୋଇଛନ୍ତି । ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ହୋଇଥିବା ହିତାଧିକାରୀଙ୍କର ମୃତ କିମ୍ବା ମହିଳା ହିତାଧିକାରୀଙ୍କର ଅନ୍ୟତ୍ର ବିବାହ ହେଲେ ସଂପୃକ୍ତ ଡିଲରଙ୍କ ଠାରୁ ତଥ୍ୟ ସଂଗ୍ରହ କରାଯାଇ ସେମାନଙ୍କର ନାମ ବାଦ ଦିଆଯାଉଛି । ଯାହାଫଳରେ ବ୍ଲକ ଯୋଗାଣ ବିଭାଗ ତଥ୍ୟ ଅନୁସାରେ ଅପ୍ରେଲ ୨୦୨୦ ଠାରୁ ଜାନୁଆରୀ ୨୦୨୧ ମଧ୍ୟରେ ବିଭିନ୍ନ ଡିଲର ପଂଏଟରୁ ମୃତ ବ୍ୟକ୍ତି ୨୩୬ ଜଣ, ଗୋଟିଏ କାର୍ଡଧାରୀ ମୃତ ବ୍ୟକ୍ତି ୨୪ଜଣ, ବିବାହିତ ମହିଳା ୨୬୨ ଜଣଙ୍କୁ ମିଶାଇ ସମୁଦାୟ ୫୨୨ ଜଣ ହିତାଧିକାରୀଙ୍କୁ ବାଦ ଦିଆଯାଇଥିବା ଜଣାଯାଇଛି । ଅନ୍ୟପଟରେ ନାଉଗାଁ ପଂଚାୟତ ସମିତି ସଭ୍ୟମାନଙ୍କ ଅଜଣାତରେ ସମିତି ସଭ୍ୟଙ୍କ ସହମତିରେ ନାଉଗାଁ ବ୍ଲକ ସମିତି ସଭ୍ୟଙ୍କ ସଭାପତିଙ୍କ ଜାଲ ଦସ୍ତଖତରେ ଏକ ଅଭିଯୋଗ ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ପ୍ରଦାନ କରିଥିଲେ । ଏହି ଅଭିଯୋଗରେ ନାଉଗାଁ ଯୋଗାଣ ବିଭାଗ ପକ୍ଷରୁ ମୃତ ବ୍ୟକ୍ତିଙ୍କ ନାମ ଖାଦ୍ୟ ସୁରକ୍ଷା ଯୋଜନାରୁ କଟା ଯାଉନଥିବା ଦର୍ଶାଯାଇଥିଲା । ଉକ୍ତ ଅଭିଯୋଗକୁ ଭିତିକରି ଜିଲ୍ଲାପାଳଙ୍କ ପ୍ରକୋଷ୍ଠରୁ ତଦନ୍ତ କରିବା ପାଇଁ ବିଡିଓ ନାଉଗାଁଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ଉକ୍ତ ଅଭିଯୋଗ ଭିତି ହୀନ ଓ ଏହିପରି କୌଣସି ଅଭିଯୋଗ ଦିଆଯାଇ ନଥିବା ପଂଚାୟତ ସମିତି ସଭ୍ୟଙ୍କ ସଭାପତି ପଦ୍ମଚରଣ ରାଉତ ପ୍ରକାଶ କରିଛନ୍ତି । ସେହପରି ଏହି ଅଭିଯୋଗ ଭିତିହିନ ବୋଲି ଲିଖିତ ଭାବେ ନାଉଗାଁ ପଂଚାୟତ ସମିତି ଅଧ୍ୟକ୍ଷ ଜଗନ୍ନାଥ ଦାସ, ଉପାଧ୍ୟକ୍ଷା ମାମିନା ଦଳାଇ, ରୋହିଆ ସମିତି ସଭ୍ୟ ପଦ୍ମଚରଣ ରାଉତ, ଜାମୁଗାଁର ରୁଦ୍ର ପ୍ରସାଦ ପ୍ରଧାନଙ୍କ ସମେତ ୧୬ଟି ପଂଚାୟତର ସମିତି ସଭ୍ୟ/ସଭ୍ୟାମାନେ ପତ୍ର ସଂଖ୍ୟା-୧୧୩/ ତା ୧୮ ଜାନୁଆରୀ ୨୦୨୧ ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିବା ଜଣାଯାଇଛି । ଅନ୍ୟପଟରେ ଖାଦ୍ୟ ସୁରକ୍ଷା ଯୋଜନାର ବଂଟନ ଦାୟିତ୍ୱରେ ଥିବା କେତେକ ଡିଲର ନିଜର ଦୋଷକୁ ଲୁଚାଇବା ପାଇଁ ନିଜ ସଂପର୍କୀୟଙ୍କୁ ଧରି ଚତୁରତାର ସହକାରେ ନାଉଗାଁ ପଂଚାୟତ ସମିତି ସଭ୍ୟଙ୍କ ସଭାପତିଙ୍କର ଜାଲି ଦସ୍ତଖତ କରି ଏକ ଅଭିଯୋଗ ପତ୍ର ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ପ୍ରଦାନ କରିଥିବା ଆଲୋଚନା ହେଉଛି । ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି କରିଛନ୍ତି ।