ନାଉଗାଁ ବ୍ଳକରେ ବିଧାୟକଙ୍କ ସଂକଳ୍ପ ଯାତ୍ରା
ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅନ୍ତର୍ଗତ ଅଲଣାହାଟସ୍ଥିତ ନୂଆପାଟଣା ଛକରୁ ରବିବାର ବିଜେପି ବିଧାୟକ ଅମରେନ୍ଦ୍ର ଦାସ ଦଳୀୟ କର୍ମୀଙ୍କ ସହ ଶୋଭାଯାତ୍ରାରେ ଗାରୋଇ ପର୍ଯ୍ୟନ୍ତ ଯାଇଥିଲେ । ବ୍ଳକ ଛକ ଓ ଗଙ୍ଗଦାହାଟରେ ଥିବା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଓ ନାଉଗାଁ ବଜାରରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଓ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତିରେ ବିଧାୟକ ଦାସ ମାଲ୍ୟାର୍ପଣ କରିଥିଲେ । ଶୋଭାଯାତ୍ରାରେ ଯିବା ସମୟରେ ତାଙ୍କୁ ବିଭିନ୍ନ ଛକ ସ୍ଥାନରେ ମହିଳା ଓ କର୍ମୀମାନେ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ସମ୍ବର୍ଦ୍ଧନା ସମୟରେ ବିଧାୟକ ଦାସ ଗାଡିରୁ ଓହ୍ଲାଇ ଗୁରୁଜନମାନଙ୍କ ଠାରୁ ଆଶୀର୍ବାଦ ନେଉଥିଲେ । ଗାରୋଇ ଦେବୀନଦୀ ପଠାରେ ଆୟୋଜିତ ସ୍ୱାଗତ ଓ ସମ୍ବର୍ଦ୍ଧନା ଉତ୍ସବରେ କର୍ମୀମାନେ ବିଧାୟକ ଦାସଙ୍କୁ ପୁଷ୍ପହାର ଦେଇ ସମ୍ବର୍ଦ୍ଧନା କରିଥିଲେ । ସମ୍ବର୍ଦ୍ଧନା ଉତ୍ସବରେ ଯୋଗ ଦେଇ ଜନସାଧାରଣ ତାଙ୍କ ଉପରେ ଆସ୍ଥା ପୋଷଣ କରି ତାଙ୍କୁ ନିର୍ବାଚିତ କରିଥିବାରୁ ସେ ସମସ୍ତ ଜନସାଧାରଣଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । ଏ ସରକାର ହେଉଛି ଗରିବ,ଖଟିଖିଆ ଜନସାଧାରଣଙ୍କ ସରକାର । ନିର୍ବାଚନ ସମୟରେ ଯେଉଁ ସବୁ କାର୍ଯ୍ୟ କରାଯିବ ବୋଲି ଇସ୍ତାହାର ରେ ପ୍ରକାଶ ପାଇଥିଲା ସେହି ସବୁ କାର୍ଯ୍ୟ ଗୁଡିକୁ ପ୍ରଥମେ ପୁରଣ କରିବା ଏ ସରକାରର ମୂଳ ଲକ୍ଷ୍ୟ । ସେହିପରି ଜଗତସିଂହପୁର ନିର୍ବାଚନ ମଣ୍ଡଳୀର ଜନସାଧାରଣ ନିଜର ମୌଳିକ ସୁବିଧାରୁ ବର୍ତମାନ ବି ବଂଚିତ ଅଛନ୍ତି । ଜନସାଧାରଣଙ୍କ ମୌଳିକ ସୁବିଧା ଯୋଗଇଦେବା ମୋର ପ୍ରଥମ ଅଧିକାର । ଚାଷ ଜମିକୁ ଜଳସେଚନ ବ୍ୟବସ୍ଥା, ଶୀତଳଭଣ୍ଡାର, ଭତା, ମହିଳାମାନେ କିପରି ଆତ୍ମନିର୍ଭରଶୀଳ ହୋଇପାରିବେ ସେ ଦିଗରେ ଆମ ସରକାର କାର୍ଯ୍ୟ କରିବେ ବୋଲି ମତବ୍ୟକ୍ତ କରିଥିଲେ । ସେହିପରି ଓଷକଣା ନିକଟର ଦେବୀନଦୀ ବନ୍ଧ ନିକଟରେ ଥିବା ଘେରି ବନ୍ଧରୁ ଅତଡା ଖସିବା ସ୍ଥଳକୁ ନିଜେ ପରିଦର୍ଶନ କରିବା ସହିତ ବେଆଇନ ଭାବେ ସରକାରୀ ଜମିରୁ ମାଟି ଉତୋଳନ ହେଉଥିବାକୁ ନେଇ ବିଭାଗୀୟ ପ୍ରଶାସନିକ ଅଧିକାରୀଙ୍କ ସହ କଥା ହୋଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ । ଉକ୍ତ ସଂକଳ୍ପ ଯାତ୍ରାରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଉପେନ୍ଦ୍ର ବିଶ୍ୱାଳ, ପ୍ରତାପ କୁମାର ମିଶ୍ର, ନାଉଗାଁ ମଣ୍ଡଳ ସଭାପତି ନିଲୁରାମ ଜେନା, ଅଲଣାହାଟ ମଣ୍ଡଳ ସଭାପତି ଦୁର୍ଗା ପ୍ରସାଦ ଆଚାର୍ଯ୍ୟ, ସୋସିଆଲ ମିଡିଆ ସେଲର ସଂଯୋଜକ ଗଣେଶ ମହାନ୍ତି, ଅକ୍ଷୟ ପାତ୍ର, ଅଶୋକ ମହାନ୍ତି, ସୁଶାନ୍ତ ମଲ୍ଲିକ, ବିଷ୍ଣୁ ଚରଣ ବେହେରା, ପ୍ରର୍ଶୁରାମ ଜେନା, ତାପସ ଦାସ, ଓମପ୍ରକାଶ ନାୟକ, ବିଦ୍ୟାଧର ନାୟକ, ଯୁଧିଷ୍ଟିର ପାଳ, ନିଗମାନନ୍ଦ ପରିଡା, ବିଦ୍ୟାଧର ନାୟକ, ଯୁଧିଷ୍ଟିର ସ୍ୱାଇଁ, ବିସ୍ମୟାନନ୍ଦ ସ୍ୱାଇଁ ଆଦିଙ୍କ ସମେତ ବହୁ ଦଳୀୟ କର୍ମୀ ଉପସ୍ଥିତ ଥିଲେ ।


