ନାଉଗାଁ ବ୍ଳକରେ ଶାନ୍ତିଶୃଙ୍ଖଳା ସହ ଦୁର୍ଗାପୂଜା ଶେଷ
ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ନାଉଗାଁ ବ୍ଳକରେ ବୁଧବାର ଶାନ୍ତିଶୃଙ୍ଖଳାର ସହ ମା’ଦୁର୍ଗାଙ୍କର ପୂଜା ଶେଷ ହୋଇଛି । ବର୍ଷା ଲାଗି ରହିଥିଲେ ମଧ୍ୟ ଦଶହରା ଦିନ ସାମାନ୍ୟ ପାଗର ପରିବର୍ତନ ଆସିଥିଲା । ଏହି ଦିନ ମଧ୍ୟାହ୍ନ ଠାରୁ ରାତି ପର୍ଯ୍ୟନ୍ତ ମା’ଙ୍କ ମଣ୍ଡପ ନିକଟରେ ଶ୍ରଦ୍ଧାଳୁମାନଙ୍କର ଭିଡ ଦେଖିବାକୁ ମିଳିଥିଲା । ନାଉଗାଁ ବଜାର, ବ୍ଳକଛକ,ଗଂଗଦାହାଟ, କଂଟୁଣିଆହାଟ, ମୁଣ୍ଡାଳୋ,ନନ୍ଦିଗ୍ରାମ, ଗଲଦାରୀ ଆଦିରେ ମା’ଙ୍କ ମଣ୍ଡପ ଗୁଡିକ ଶ୍ରଦ୍ଧାଳୁମାନେ ବୁଲି ଦେଖିଥିଲେ । ବିଶେଷକରୀ ନାଉଗାଁ ବଜାରରେ ଶ୍ରଦ୍ଧାଳୁମାନଙ୍କର ଅଧିକ ଭିଡ ପରିଲକ୍ଷିତ ହୋଇଥିଲା । ଭିଡକୁ ଦୃଷ୍ଟିରେ ରଖି ନାଉଗାଁ ଥାନା ଆଇଆଇସି ଅନିରୁଦ୍ଧ ନାୟକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଥାନା ଛକ, କୋକିଢିହ ଛକ, ତିହୁଡା ଛକ ଓ ବ୍ଳକଛକ ନିକଟରେ ବ୍ୟାରିକେଡ୍ କରାଯାଇଥିଲା । ସମସ୍ତ ଶ୍ରଦ୍ଧାଳୁ ଯେପରି ଶୃଙ୍ଖଳିତ ଭାବେ ମା’ଙ୍କ ଦର୍ଶନ କରିପାରିବେ ସେଥିପ୍ରତି ତୀକ୍ଷଣ ନଜର ଦିଆଯାଇଥିଲା । ଶାନ୍ତିଶୃଙ୍ଖଳାର ସହ ମା’ଙ୍କ ପୂଜା ଶେଷ ହୋଇଥିବା ବେଳେ ନାଉଗାଁ ବଜାର ସାର୍ବଜନୀନ ଦୁର୍ଗାପୂଜା କମିଟିର ସଭାପତି ଅଶୋକ କୁମାର ମହାନ୍ତି ପୋଲିସର ସହଯୋଗ ପାଇଁ ଆଇଆଇସି ଶ୍ରୀ ନାୟକଙ୍କ ସମେତ ଅନ୍ୟ ପୋଲିସ କର୍ମଚାରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।


