ନାଉଗାଁ ବ୍ଳକର ପିଡିଏସ ବଂଟନରେ ସରକାରୀ ନିର୍ଦ୍ଦେଶକୁ ଫୁ ଗୁରୁତ୍ୱ ଦିଆଯାଉ ନାହିଁ ସାମାଜିକ ଦୁରତ୍ୱ

ନାଉଗାଁ (ଓ୍ବାଇଏନ୍ଏସ୍): ମହାମାରୀ କରୋନା ଲୋକଙ୍କ ମନରେ ହଇଚଇ ସୃଷ୍ଟି କରିଛି । ଲୋକେ ଘରୁ ନ ବାହାରିବାକୁ ସରକାର ସାରା ଦେଶରେ ଲକ ଡାଉନ ଘୋଷଣା କରିଛନ୍ତି । ସାମାଜିକ ଦୁରତ୍ୱ ରକ୍ଷା କରିବା ପାଇଁ ସରକାରଙ୍କ ପକ୍ଷରୁ ଜନସାଧାରଣଙ୍କୁ ନିବେଦନ କରାଯାଉଛି । ବର୍ତମାନ ଲକ ଡାଉନ ସମୟ ଚାଲିଥିବାରୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ପାଇଁ ଜନସାଧାରଣମାନେ ଯେପରି ହଇରାଣ ନ ହୁଅନ୍ତି ସେଥିପ୍ରତି ମଧ୍ୟ ଦୃଷ୍ଟି ଦିଆଯାଇଛି । ଏପରିକି ଭତା ପାଉଥିବା ହିତାଧିକାରୀମାନଙ୍କୁ ପ୍ରଶାସନ ପକ୍ଷରୁ ଘରକୁ ଘର ବୁଲି ଭତା ବଂଟନ କରାଯାଉଛି । ଏହି ସମୟରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଜନସାଧାରଣଙ୍କୁ ସହାୟତା ଯୋଗାଇବାକୁ ବିଭିନ୍ନ ପ୍ୟାକେଜ ଘୋଷଣା କରିଛନ୍ତି । ଏଥିରେ ରାସନ କାର୍ଡଧାରୀଙ୍କୁ ଆଗୁଆ ୩ ମାସର ଯୋଗାଣ ସାମଗ୍ରୀ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଖାଉଟି ସାମଗ୍ରୀ ବଂଟନ ସମୟରେ ଯେପରି ସାମାଜିକ ଦୁରତ୍ୱ ରକ୍ଷା ଯାଇପାରିବ ସେଥିପାଇଁ ପ୍ରଶାସନ ପକ୍ଷରୁ ଦୃଷ୍ଟି ଦିଆଯାଇ ସମସ୍ତ ହିତାଧିକାରୀଙ୍କୁ ରିଟେଲ ପଏଂଟରେ ଖାଉଟି ସାମଗ୍ରୀ ବଂଟନ ନ କରାଯାଇ ୱାର୍ଡ ଅନୁସାରେ ସେମାନଙ୍କ ଗାଁରେ ଯୋଗାଇ ଦେବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଏପରିକି ଯେଉଁ ହିତାଧିକାରୀ ଉକ୍ତ ସ୍ଥାନକୁ ଆସିବାକୁ ଅକ୍ଷମ ସଂପୃକ୍ତ ରିଟେଲର ସେମାନଙ୍କ ଘରେ ଖାଉଟି ସାମଗ୍ରୀ ପହଁଚାଇବା ପାଇଁ ମଧ୍ୟ ନିର୍ଦ୍ଦେଶ ରହିଛି । ଏହା ସହିତ ଖାଉଟି ସାମଗ୍ରୀ ନେବା ପାଇଁ କୌଣସି ହିତାଧିକାରୀ ବାଇକି ନ ଆଣି ଆସିବା ପାଇଁ ମଧ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏହି ନିଦ୍ଦେର୍ଶକୁ ଉଲଙ୍ଘନ କରାଗଲେ ଆଇନାନୁଯାୟୀ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି କଡା ନିର୍ଦ୍ଦେଶ ରହିଛି । ହେଲେ ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକର ଅଧିକାଂଶ ରିଟେଲର କରୋନା ପାଇଁ ସରକାରଙ୍କ ପକ୍ଷରୁ ଜାରୀ ହୋଇଥିବା ନିର୍ଦ୍ଦେଶଙ୍କୁ ଫୁ କରି ଦେଇଥିବା ଅଭିଯୋଗ ହୋଇଛି । ଫୁଡ ଓଡିଶା ୱବେସାଇଟି ତଥ୍ୟ ଅନୁସାରେ ନାଉଗାଁ ବ୍ଲକର ୧୬ଟି ପଂଚାୟତରେ ଜନସାଧାରଣଙ୍କୁ ଖାଉଟି ସାମଗ୍ରୀ ଯୋଗାଇବା ପାଇଁ ୨୮ଟି ରିଟେଲ ପଏଂଟ ରହିଛି । ଏଥିରେ ସମୁଦାୟ ପାଖାପାଖି ୧୬, ୫୦୦ ରାସନ କାର୍ଡଧାରୀ ରହିଥିବା ବେଳେ ଏଥିରେ ପ୍ରାୟ ୬୪ ହଜାର ହିତାଧିକାରୀ ରହିଛନ୍ତି । ଉକ୍ତ ହିତାଧିକାରୀଙ୍କୁ କରୋନା ପାଇଁ ଆଗୁଆ ୩ ମାସର ଚାଉଳ ସାମାଜିକ ଦୁରତ୍ୱ ରକ୍ଷା କରି ପ୍ରଦାନ କରିବା ପାଇଁ ରିଟେଲରମାନଙ୍କୁ ନିଦ୍ଦେର୍ଶ ରହିଛି । ହେଲେ ହାତ ଗଣତି କେତେ ଜଣ ରିଟେଲରଙ୍କୁ ଛାଡି ଦେଲେ ଅଧିକାଂଶ ରିଟେଲର ନିଜ ରିଟେଲ ପଏଂଟରେ ବାଂଟୁଥିବାବେଳେ ସାମାଜିକ ଦୁରତ୍ୱକୁ ଗୁରୁତ୍ୱ ଦେଉନାହାନ୍ତି । ଯାହାଫଳରେ ସ୍ଥାନୀୟ ଅଂଚଳରେ ଅସନ୍ତୋଷ ଦେଖାଦେଇଛି । ଏହି ବ୍ଳକର ରୋହିଆ ପଂଚାୟତରେ ଖାଉଟି ସାମଗ୍ରୀ ବଂଟନ କରିବା ପାଇଁ ଗଜରାଜପୁର ପଂଚାୟତର ବଂଟନ ଦାୟିତ୍ୱରେ ଥିବା ରିଟେଲରଙ୍କୁ ଟ୍ୟାଗ କରାଯାଇଛି । ସୋମବାର ଉକ୍ତ ରିଟେଲର ଖାଉଟି ସାମଗ୍ରୀ ବଂଟନ କରୁଥିବା ବେଳେ ସାମାଜିକ ଦୂରତ୍ୱକୁ ଆଦୌ ଗୁରୁତ୍ୱ ଦେଇ ନଥିଲେ । ହିତାଧିକାରୀମାନେ ଖାଉଟି ସାମଗ୍ରୀ ନେବା ପାଇଁ ଭିଡ ଜମାଇ ଥିବାର ଦେଖିବାକୁ ମିଳିଥିଲା । ଉକ୍ତ ରିଟେଲ ପଏଂଟରେ ଖୋଲାଖୋଲି ଭାବେ ସରକାରୀ ନିୟମଙ୍କୁ ଉଲଘଂନ କରାଯାଇଥିବା ଦେଖାଯାଇଥିଲା । କେବଳ ଉକ୍ତ ରିଟେଲ ପଏଂଟ ନୁହେଁ ନାଉଗାଁ ବ୍ଲକର ଅନେକ ରିଟେଲ ପଏଂଟ ରହିଛି ଯେଉଁଠି ୩ ରୁ ୪ ଜଣ ହିତାଧିକାରୀ ସାମାଜିକ ଦୂରତ୍ୱ ରକ୍ଷା କରି ଛିଡା ହେଲେ ପରେ ଅନ୍ୟ ହିତାଧିକାରୀ ଛିଡା ହେବାକୁ ସ୍ଥାନର ଅଭାବ ହେଉଛି । ଫଳରେ ଉକ୍ତ ସ୍ଥାନରେ ଜନଗହଳି ହେଉଥିବା ଦେଖାଯାଉଛି । ଖାଉଟି ସାମଗ୍ରୀ ବଂଟନ କରାଯାଉଥିବା ସ୍ଥାନରେ ସାମାଜିକ ଦୁରତ୍ୱ ରକ୍ଷା କରିବା ସହିତ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ୱାର୍ଡ ଅନୁସାରେ ଖାଉଟି ସାମଗ୍ରୀ ବଂଟନ କରିବାକୁ ସ୍ଥାନୀୟ ଜନସାଧାରଣ ଜିଲ୍ଲା ପ୍ରଶାସନ ନିକଟରେ ଦୃଢ ଦାବି କରିଛନ୍ତି । ଏ ବିଷୟକୁ ନେଇ ଜିଲ୍ଲା ଅତିରିକ୍ତ ଯୋଗାଣ ଅଧିକାରୀ ପଦ୍ୟୁମ୍ନ ରାଉତରାୟଙ୍କୁ ପଚାରିବାରୁ ରାସନ ସାମଗ୍ରୀ ରିଟେଲ ପଏଂଟରେ ବଂଟନ କରାଯିବ । ଯେଉଁମାନେ ରିଟେଲ ପଏଂଟକୁ ଆସିବା ପାଇଁ ଅକ୍ଷମ ସେମାନଙ୍କ ଘରେ ରିଟେଲରଙ୍କ ଦ୍ୱାରା ଯୋଗାଇ ଦିଆଯିବ । କିନ୍ତୁ ସାମଗ୍ରୀ ବଂଟନ କରିବା ସମୟରେ ସାମାଜିକ ଦୁରତ୍ୱ ରଖିବା ଜରୁରୀ । କିନ୍ତୁ ଯେଉଁମାନେ ରକ୍ଷା କରୁ ନାହାନ୍ତି ବ୍ଳକ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ ବୋଲି ପ୍ରକାଶ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ