ନାଉଗାଁ ବ୍ଳକର ବିଭିନ୍ନ ସ୍ଥାନରେ ବାହୁଡା ଯାତ୍ରା ଅନୁଷ୍ଠିତ
ନାଉଗାଁ,(ଯୁଗାଦ୍ଦ ନ୍ୟୁଜ): ନାଉଗାଁ ବ୍ଳକର ବିଭିନ୍ନ ଜଗନ୍ନାଥ ମନ୍ଦିର ଯଥା ଧର୍ମକ୍ଷେତ୍ର ଅଲଣା,ତିହୁଡା ବାଲିସାହିସ୍ଥିତ ଶ୍ରୀ ଶ୍ରୀ ପତିତପାବନ ଜୀଉ ମନ୍ଦିର, ଚାନ୍ଦଖାଁପାଟଣାସ୍ଥିତ ବଳଦେବଜୀଉ ମନ୍ଦିର ଆଦିରେ ଶୁକ୍ରବାର ପବିତ୍ର ବାହୁଡା ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଶ୍ରୀ ଜିୟୁମାନଙ୍କୁ ଯଥାରୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇଥିଲା । ମାଉସୀ ମା ମନ୍ଦିରରେ ୯ ଦିନ ରହିବା ପରେ ଜଗନ୍ନାଥ,ବଳଭଦ୍ର,ସୁଭଦ୍ରା ବାହୁଡା ଅବସରରେ ନିଜ ମନ୍ଦିରକୁ ବାହୁଡିଛନ୍ତି । ଏହି ଅବସରରେ ତେଲସରାସ୍ଥିତ ମାଉସୀ ମା ମନ୍ଦିରରେ ରୀତିନିତି ଅନୁଯାୟୀ ରଥ ଟଣା କାର୍ଯ୍ୟ ହୋଇଥିଲା । ମାଉସୀ ମା ମନ୍ଦିର ସମ୍ମୁଖରେ ୩ ରଥ ସୁସଜ୍ଜିତ ହୋଇରହିଥିଲେ । ନିର୍ଘଂଟ ନିତି ଅନୁଯାୟୀ ଶ୍ରୀ ଜୀୟୁଙ୍କର ପୂଜାର୍ଚ୍ଚନା କରାଯାଇଥିଲା । ଶଙ୍ଖ,ହୁଳ ହୁଳି,ନାମ ସଂକୀର୍ତନରେ ପ୍ରଥମେ ବଡ ଭାଇ ବଳଭଦ୍ରଙ୍କୁ ତାଳଧ୍ୱଜ,ମା ସୁଭଦ୍ରାଙ୍କୁ ଦର୍ପଦଳନ ଓ ଜଗନ୍ନାଥଙ୍କୁ ନନ୍ଦିଘୋଷ ରଥକୁ ପହଣ୍ଡି କରି ଶ୍ରଦ୍ଧାଳୁ ମାନେ ରଥାରୁଢ କରିଥିଲେ । ଠାକୁର ରାଜା ଭାବେ ଜ୍ଞାନ ରଂଜନ ବିଶ୍ୱାଳ ୩ ରଥରେ ଛେରା ପହଁରା କରିଥିଲେ । ପୂଜାର୍ଚ୍ଚନା ଓ ଛେରା ପହଁରା କାର୍ଯ୍ୟ ସରିବା ପରେ ଶ୍ରଦ୍ଧାଳୁ ମାନେ ରଥକୁ ଗାରୋଇସ୍ଥିତ ଗୋବର୍ଦ୍ଧନ ପୀଠ ଅଭିମୁଖେ ଟାଣି ନେଇଥିଲେ । ରଥରେ ଶ୍ରଦ୍ଧାଳୁମାନେ ତିନି ଠାକୁରଙ୍କୁ ଦର୍ଶନ କରିଥିଲେ । ଏଠାରେ ସାଧାରଣତଃ ମା ସୁଭଦ୍ରାଙ୍କ ରଥକୁ ମହିଳା ମାନେ ହିଁ ଟାଣିଥିଲେ । ରଥ ଯାତ୍ରାକୁ ଶାନ୍ତି ଶୃଙ୍ଖଳା ସହିତ ଶେଷ କରିବାକୁ ପୋଲିସ ପ୍ରଶାସନ ପକ୍ଷରୁ ସୁବନ୍ଦୋବସ୍ତ କରାଯାଇଥିଲା । ଜୟ ଜଗନ୍ନାଥ ଧ୍ୱନୀରେ ଚାରିଆଡ ପ୍ରକମ୍ପିତ ହେଉଥିଲା । ଏହି ବାହୁଡା ଯାତ୍ରା ଦେଖିବା ପାଇଁ ବ୍ଳକ ତଥା ବ୍ଳକ ବାହାରୁ ବହୁ ଶ୍ରଦ୍ଧାଳୁ ସମାଗମ ହୋଇଥିଲେ । ଗ୍ରାମବାସୀ ଓ ଜଗନ୍ନାଥ ସଂସଦର କର୍ମକର୍ତାମାନେ ଉକ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।ସେହିପରି ଗଜରାଜପୁର, ବେଲବଣ,ଗୋଠଦା,ତିହୁଡା ଆଦି ସ୍ଥାନରେ ବାହୁଡା ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ବ୍ଳକର ବିଭିନ୍ନ ଗ୍ରାମର ପିଲାମାନେ ବିଭିନ୍ନ ରଙ୍ଗ ବେରଙ୍ଗର କାଗଜ ଗୁଡାଇ ରଥ ନିର୍ମାଣ କରିଥିବାର ଦେଖିବାକୁ ମିଳିଥିଲା । ଉକ୍ତ ରଥରେ ଜଗନ୍ନାଥ,ବଳଭଦ୍ର ମା ସୁଭଦ୍ରା ଙ୍କ ଫଟୋ ରଖି ଗାଁ ଦାଣ୍ଡରେ ଘଂଟ ବଜାଇ ଟାଣିବାର ଦେଖିବାକୁ ମିଳିଥିଲା ।