ନାଉଗାଁ ବ୍ଳକର ବିଭିନ୍ନ ସ୍ଥାନରେ ଘୋଷଯାତ୍ରା ଅନୁଷ୍ଠିତ
ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକର ବିଭିନ୍ନ ସ୍ଥାନରେ ରବିବାର ଘୋଷଯାତ୍ରା ଅନୁଷ୍ଠିତ ହୋଇଯାଇଛି । ବ୍ଳକର ବିଭିନ୍ନ ଜଗନ୍ନାଥ ମନ୍ଦିର ଯଥା ଧର୍ମକ୍ଷେତ୍ର ଅଲଣା, ତିହୁଡା ବାଲିସାହିସ୍ଥିତ ଶ୍ରୀ ଶ୍ରୀ ପତିତପାବନ ଜୀଉ ମନ୍ଦିର, ଚାନ୍ଦଖାଁପାଟଣାସ୍ଥିତ ବଳଦେବଜୀଉ ମନ୍ଦିର ଆଦିରେ ପବିତ୍ର ଘୋଷ ଯାତ୍ରା ଉପଲକ୍ଷେ ଯଥାରୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇଥିଲା । ଏହି ଅବସରରେ ଗାରୋଇ ଗୋବର୍ଦ୍ଧନ ପୀଠରେ ରୀତିନିତି ଅନୁଯାୟୀ ରଥ ଟଣା କାର୍ଯ୍ୟ ହୋଇଥିଲା । ଗୋବର୍ଦ୍ଧନ ପୀଠରେ ୩ରଥ ପ୍ରାତଃ ସମୟରୁ ସୁସଜ୍ଜିତ ହୋଇ ବଡ ଦାଣ୍ଡରେ ରହିଥିଲେ । ନିର୍ଘଂଟ ନିତି ଅନୁଯାୟୀ ଶ୍ରୀ ଜୀୟୁଙ୍କର ପୂଜାର୍ଚ୍ଚନା କରାଯାଇଥିଲା । ଶଙ୍ଖ, ହୁଳହୁଳି, ନାମ ସଂକୀର୍ତନରେ ପ୍ରଥମେ ବଡ ଭାଇ ବଳଭଦ୍ରଙ୍କୁ ତାଳଧ୍ୱଜ, ମା’ସୁଭଦ୍ରାଙ୍କୁ ଦର୍ପଦଳନ ଓ ଜଗନ୍ନାଥଙ୍କୁ ନନ୍ଦିଘୋଷ ରଥକୁ ପହଣ୍ଡି କରି ଶ୍ରଦ୍ଧାଳୁମାନେ ରଥାରୁଢ କରିଥିଲେ । ଠାକୁର ରାଜା ଭାବେ ଜ୍ଞାନରଂଜନ ବିଶ୍ୱାଳ ୩ ରଥରେ ଛେରା ପହଁରା କରିଥିଲେ । ପୂଜାର୍ଚ୍ଚନା ଓ ଛେରା ପହଁରା କାର୍ଯ୍ୟ ସରିବା ପରେ ଶ୍ରଦ୍ଧାଳୁମାନେ ରଥକୁ ତେଲସରାସ୍ଥିତ ମାଉସୀ ମା’ମନ୍ଦିର ଅଭିମୁଖେ ଟାଣି ନେଇଥିଲେ । ଏଠାରେ ସାଧାରଣତଃ ମା’ସୁଭଦ୍ରାଙ୍କ ରଥକୁ ମହିଳାମାନେ ହିଁ ଟାଣିଥିଲେ । ରଥଯାତ୍ରାକୁ ଶାନ୍ତିଶୃଙ୍ଖଳା ସହିତ ଶେଷ କରିବାକୁ ନାଉଗାଁ ଥାନାଧିକାରୀ ସଂଘମିତ୍ରା ନାୟକଙ୍କ ନେତୃତ୍ୱରେ ସୁବନ୍ଦୋବସ୍ତ କରାଯାଇଥିଲା । ଜୟ ଜଗନ୍ନାଥ ଧ୍ୱନୀରେ ଚାରିଆଡ ପ୍ରକମ୍ପିତ ହେଉଥିଲା । ମା’ଶାରଳା ସାଂସ୍କୃତିକ ପରିଷଦର ସଦସ୍ୟ ମାନେ ଘଂଟ ବଜାଇଥିଲେ । ଶ୍ରୀ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟ ଗାରୋଇ ଓ ଓଡପଏଙ୍ଗାର ସ୍କାଉଟ ଗାଇଡି ଛାତ୍ରଛାତ୍ରୀମାନେ ଶାନ୍ତିଶୃଙ୍ଖଳା ରକ୍ଷା କରିବାରେ ସହଯୋଗ କରିଥିଲେ । ଅବସରପ୍ରାପ୍ତ ଶିକ୍ଷକ ରବିନ୍ଦ୍ର ସ୍ୱାଇଁ, ଅବସରପ୍ରାପ୍ତ ଶିକ୍ଷକ ଅରୁଣ ମହାନ୍ତି, ଅଧ୍ୟାପକ ଡଃ.ନିରଂଜନ ବିଶ୍ୱାଳ ପ୍ରମୁଖ ଧାରା ବିବରଣୀ ପ୍ରଦାନ କରିଥିଲେ । ଏହି ଘୋଷଯାତ୍ରା ଦେଖିବା ପାଇଁ ବ୍ଳକ ତଥା ବ୍ଳକ ବାହାରୁ ବହୁ ଶ୍ରଦ୍ଧାଳୁ ଏଠାରେ ସମାଗମ ହୋଇଥିଲେ । ଗ୍ରାମବାସୀ ଓ ଜଗନ୍ନାଥ ସଂସଦର କର୍ମକର୍ତାମାନେ ଉକ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ମାଉସୀ ମା ଘରେ ପହଂଚିବା ପରେ ପ୍ରତ୍ୟହ ସଂଧ୍ୟାରେ ଆଧ୍ୟାତ୍ମିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେବ ବୋଲି ଜଗନ୍ନାଥ ସଂସଦର ସଦସ୍ୟଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ସେହିପରି ବ୍ଳକର ବିଭିନ୍ନ ଗ୍ରାମର ପିଲାମାନେ ବିଭିନ୍ନ ରଙ୍ଗ ବେରଙ୍ଗର କାଗଜ ଗୁଡାଇ ରଥ ନିର୍ମାଣ କରିଥିବାର ଦେଖିବାକୁ ମିଳିଥିଲା । ଉକ୍ତ ରଥରେ ଜଗନ୍ନାଥ, ବଳଭଦ୍ର ଓ ମା’ସୁଭଦ୍ରାଙ୍କ ଫଟୋ ରଖି ଗାଁ ଦାଣ୍ଡରେ ଘଂଟ ବଜାଇ ଟାଣୁଥିବାର ଦେଖିବାକୁ ମିଳିଥିଲା ।