ନାଉଗାଁ ମହୋତ୍ସବ-୨୦୨୪
ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଅହଙ୍କାରର ପରାଜୟ ହୋଇଛି କିନ୍ତୁ ଅସ୍ମିତାର ବିଜୟ ହୋଇନି; ଲୋକ ଅହଙ୍କାରୀକୁ ବିଦା କରିଛନ୍ତି । ଅସ୍ମିତା ଲାଗି ସମ୍ଭାବନା ଦେଖି ଲୋକେ ବିଜେପିକୁ କ୍ଷମତାକୁ ଆଣିଛନ୍ତି । ଏଥିପାଇଁ ବିଜେପିକୁ ବହୁ ପରିଶ୍ରମ କରିବାକୁ ପଡିବ । ନାଉଗାଁ ବ୍ଳକ ଅନ୍ତର୍ଗତ ନାଉଗାଁ ସାଂସ୍କୃତିକ ପରିଷଦ ପକ୍ଷରୁ ଆୟୋଜିତ ବୋଇତ ବନ୍ଦାଣ ଉତ୍ସବ ଓ ନାଉଗାଁ ମହୋତ୍ସବର ଦ୍ୱିତୀୟ ସଂଧ୍ୟାରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସାମ୍ବାଦିକ ସୌମ୍ୟରଂଜନ ପଟ୍ଟନାୟକ ଯୋଗ ଦେଇ ମନ୍ତବ୍ୟ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ବିଜେଡିକୁ କଡା ସମାଲୋଚନା କରିବା ସହିତ ବିଜେପିକୁ ସତର୍କବାଣୀ ଶୁଣାଛନ୍ତି । ବିଜେଡି ନିଜ ଅହଂକାର ପାଇଁ ହାରିଛି,ମାତ୍ର ଅସ୍ମିତା ପାଇଁ ବିଜେପି ଜିତି ନାହିଁ । ରାଜ୍ୟବାସୀ ଅସ୍ମିତା ସମ୍ଭାବନାକୁ ବିଜେପିକୁ ଜିତାଇଛନ୍ତି । ପାର୍ଟି ବଡ ନୁହେଁ ମାଟି ବଡ । ସମସ୍ତେ ଯତ୍ନବାନ ହୋଇ ମାଟି ପାଇଁ କାର୍ଯ୍ୟ କଲେ ଜାତିର ବିକାଶ ସହିତ ସମାଜର ମଙ୍ଗଳ ହେବ । ସୌମ୍ୟରଂଜନଙ୍କ ବୟାନକୁ ନେଇ ରାଜନୀତିରେ ଚର୍ଚ୍ଚା ପାଲିଟିଛି । ପରିଷଦର ମୁଖ୍ୟ ଉପଦେଷ୍ଟା ପୂର୍ବତନ ବିଧାୟକ ଜ୍ୟୋତିଷ ଚନ୍ଦ୍ର ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ପରିଷଦର ସଂପାଦକ ଅବସରପ୍ରାପ୍ତ ପ୍ରାଧ୍ୟାପକ ସରୋଜ ନାୟକ, ପ୍ରାଧ୍ୟାପକ ଲଳିତ କୁମାର ଲେଙ୍କା,ସମାଜସେବୀ ନିରଞ୍ଜନ ବେହୁରା, ପୂର୍ବତନ ପାରାଦୀପ ପୋର୍ଟର ଟ୍ରଷ୍ଟି ପ୍ରତାପ ମିଶ୍ର, ଅଧ୍ୟାପକ ପ୍ରଶାନ୍ତ ସ୍ୱାଇଁ ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ପରିଷଦ ପକ୍ଷରୁ ସ୍ୱର୍ଗତ ଡାକ୍ତର ତ୍ରିଲୋଚନ ଜେନାଙ୍କୁ ମରଣୋତର, ଗୌରହରି ସଂକୀର୍ତନ ମଣ୍ଡଳୀର ସଦସ୍ୟ ରବିନ୍ଦ୍ର ଓଝାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ପରିଷଦର ସଦସ୍ୟମାନେ ପରିଚାଳନା କରିଥିଲେ ।