ନାଗରିକତା ସଂପର୍କିତ ଆଇନକୁ ବିରୋଧ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର
ବାଲେଶ୍ୱର : କେନ୍ଦ୍ର ସରକାର ଦେଶର ନାଗରିକତା ସମ୍ପର୍କରେ ପ୍ରଣୟନ କରିଥିବା ନୂତନ ଆଇନ୍ ଦେଶର ସଂବିଧାନକୁ ଉଲ୍ଲଙ୍ଘନ କରୁଥିବାରୁ ଭାରତବର୍ଷର ପ୍ରାୟ ସମସ୍ତ ଅଣବିଜେପି ଶାସିତ ରାଜ୍ୟମାନେ ସେମାନଙ୍କ ରାଜ୍ୟରେ କାର୍ଯ୍ୟକାରୀ କରିବେନାହିଁ ବୋଲି ରାଜ୍ୟ ବିଧାନସଭାରେ ବିଧାୟକ ପାରିତ କରିଛନ୍ତି । ଗତ ସପ୍ତାହରେ ବିହାରରେ ପରିଚାଳିତ ଏନ୍.ଡି.ଏ. ନେତୃତ୍ୱାଧିନ ରାଜ୍ୟ ସରକାର ସେମାନଙ୍କ ରାଜ୍ୟରେ ଏହି ସଂବିଧାନ ବିରୋଧି ନାଗରିକତା ଆଇନ ଲାଗୁ କରିବେ ନାହିଁ ବୋଲି ସର୍ବସମ୍ମତ ବିଧେୟକ ପାରିତ କରିଛନ୍ତି । ଓଡ଼ିଶାର ମୁଖ୍ୟମନ୍ତ୍ରୀ ଆମ ରାଜ୍ୟରେ ଏହି ଆଇନକୁ ଲାଗୁ କରିବେ ନାହିଁ ବୋଲି ଘୋଷଣା କରିଛନ୍ତି । କିନ୍ତୁ ବିଜେଡିର ସାଂସଦମାନେ ସଂସଦର ଉଭୟ ଗୃହରେ ଏହି ସଂବିଧାନ ବିରୋଧି ଆଇନକୁ ସମର୍ଥନ ଜଣାଇଥିଲେ । ତେଣୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ଅନୁଯାୟୀ ଚଳିତ ବିଧାନସଭା ଅଧିବେଶନରେ କେନ୍ଦ୍ରସରକାର ପ୍ରଣିତ କରିଥିବା ନାଗରିକତା ସଂପର୍କିତ ଆଇନକୁ ଓଡ଼ିଶାରେ ଲାଗୁ କରାଯାଇପାରିବନାହିଁ ବୋଲି ବିଧେୟକ ପାରିତ କରିବାକୁ ବାଲେଶ୍ୱର ଜିଲ୍ଲାର ‘ଆମେ ଭାରତୀୟ’ ସଂଗଠନ ତରଫରୁ ଜିଲ୍ଲାପାଳଙ୍କ ଜରିଆରେ ଶନିବାର ଦିନ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନବେଳେ ସଂଗଠନର ଆବାହକ ତଥା ପୂର୍ବତନ ବିଧାୟକ ପ୍ରଦୀପ୍ତ ପଣ୍ଡାଙ୍କ ସମେତ ବିଭିନ୍ନ ଗଣସଂଗଠନରୁ ଗୌରାଙ୍ଗ ପାଣିଗ୍ରାହୀ, ସେକ୍ ଅବଦୁଲ ରଫିକ୍, ଶିଶିର କୁମାର ହୁଇ, ଅରୁଣ ଜେନା, ସନ୍ଧ୍ୟା ଦାସମଜୁମଦାର, କବି ଶ୍ରୀଦେବ, ସେକ୍ ନସୁରଅମେନ୍, ଏସ୍.କେ. ଫୁଲଟନ୍, ପ୍ରେମରଂଜନ ପାତ୍ର, ସତ୍ୟନାରାୟଣ ଦାସ, ଆସଫ୍ଉଦ୍ଦିନ୍ ଅହମ୍ମଦ ଖାଁ, ସେଖ୍ ରବାନି, ଅଲେଖ ଦାସ, ମନ୍ମଥ ପରିଡ଼ା, ରାଜକିଶୋର ଲେଙ୍କା ଓ ଶ୍ୟାମସୁନ୍ଦର ଜେନା ପ୍ରମୁଖ ଉପସ୍ଥିତ ଥିଲେ ।