ନାଗ ଚତୁର୍ଥୀ ଉପଲକ୍ଷେ ପାରଳାରେ ପୂଜାର୍ଚ୍ଚନା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଆଜି ପବିତ୍ର ନାଗ ଚତୁର୍ଥୀ । ଏହି ଅବସରରେ ପାରଳାଖେମୁଣ୍ଡି ସହରରେ ନାଗ ଚତୁର୍ଥୀକୁ ଅତ୍ୟନ୍ତ ଭକ୍ତିପୂତ ଭାବରେ ପାଳନ କରାଯାଇଥିଲା । ସହରର ବିଭିନ୍ନ ଶିବାଳୟ ଏବଂ ଅନ୍ୟ କେତେକ ଅଞ୍ଚଳରେ ରହିଥିବା ଉଇ ହୁଙ୍କା (ସାପ ରହୁଥିବା ବିଳା) ଆଦିରେ ଭୋର ସକାଳୁ ମଧ୍ୟାହ୍ନ ପର୍ଯ୍ୟନ୍ତ ଭକ୍ତଙ୍କ ବେଶ ଭିଡ ଜମିଥିବା ଦେଖାଯାଇଥିଲା । ବିଶେଷ କରି ମହିଳା ଭକ୍ତମାନେ ସାପ ରହୁଥିବା ଉଇହୁଙ୍କା ନିକଟରେ ପହଞ୍ଚି ନାଗଦେବଙ୍କୁ ପୂଜାର୍ଚ୍ଚନା କରିବା ସହ ଉଇହୁଙ୍କା ମଧ୍ୟରେ ନାଗଦେବଙ୍କ ପ୍ରିୟ ଖାଦ୍ୟ ଯଥା କ୍ଷୀର, ଅଣ୍ଡା, ମିଷ୍ଟାନ୍ନ, ରାଶି ଲଡୁ ଆଦି ଅର୍ପଣ କରିଥିଲେ । ଏହି ଅବସରରେ ଭକ୍ତ ମାନେ ଉଇ ହୁଙ୍କା ନିକଟରେ ଭୋଜି ଭାତ ଆସର ଜମେଇବା ସହ ଅତ୍ୟନ୍ତ ଅନନ୍ଦରେ ବାଣ ଫୁଟାଇ ନୃତ୍ୟ,ସଙ୍ଗୀତରେ ନିଜ ନିଜ କୁ ହଜାଇ ନାଗ ଚତୁର୍ଥୀ ପାଳନ କରିଥିଲେ ।