ନାଚି ନାଚି ଆନ୍ଦୋଳନକୁ ଓହ୍ଲାଇଲେ କଳାକାର
ଛତ୍ରପୁର, (ପ୍ରଶାନ୍ତ ମହାରଣା) : ସାରା ରାଜ୍ୟରେ ଲକଡାଉନ ଓ ସଟଡାଉନ ରେ ସମସ୍ତେ ପ୍ରଭାବିତ ହୋଇପଡିଥବା ବେଳେ କଳାକାର ମାନେ ମଧ୍ୟ ଏଥିରୁ ବାଦ୍ ପଡିନାହାନ୍ତି । ଗତ ବର୍ଷ ଠାରୁ ଗଞ୍ଜାମ ଜିଲ୍ଲାର କଳାକାର ମାନେ ସେମାନଙ୍କ ନୃତ୍ୟକୁ ପରିବେଷଣ ନ କରିପାରି ନିଜ ଜିବିକାକୁ ହରାଇ ବସିଛନ୍ତି । ଏଣୁ ତୁରନ୍ତ ସେମାନଙ୍କ ପାଇଁ ମଂଚ ଖୋଲିବା ଦାବୀ ନେଇ ବାରମ୍ବାର ଗଞ୍ଜାମ ଜିଲ୍ଲାପାଳଙ୍କୁ ଅନୁରୋଧ କରିଥିଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ଆଜି ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ଭିନ୍ନ ଢଙ୍ଗରେ ଢୋଲ , ଗିନି ଆଦି ବାଜା ବଜାଇ ସେହି ବାଜାର ତାଳେ ତାଳେ ମା କାଳୀଙ୍କ ବିଭିନ୍ନ ଗାହାଣୀ ଗୀତରେ ନୃତ୍ୟ କରି ଆନ୍ଦୋଳନ କରିଥିଲେ । ଗଞ୍ଜାମ ଜିଲ୍ଲାର ଏକ ପାରମ୍ପରିକ ଲୋକ ନୃତ୍ୟ ହେଉଛି ଦଣ୍ଡନାଚ । ଗତବର୍ଷ କରୋନା ମହାମାରୀ ଯୋଗୁଁ ଜିଲ୍ଲାରେ ସମସ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ କୁ ବନ୍ଦ କରାଯାଇଥିଲା । ଫଳରେ କଳାକାର ମାନେ କାମ ଧନ୍ଦା ନ ପାଇ ବହୁ ଦୁଃଖ ଦୁର୍ଦ୍ଦଶାରେ ଥିଲେ । ବର୍ତ୍ତମାନ ସବୁ କିଛି ଧିରେ ଧିରେ ସ୍ୱାଭାବିକ ହେବା ପରେ ଜିଲ୍ଲାରେ ଦଣ୍ଡନାଚ ଓ ସାଂସ୍କୃତିକ କାର୍ଯ୍ୟକ୍ରମ କୁ ଅନୁମତି ପ୍ରଦାନ କରିବା ନିମନ୍ତେ ସେମାନେ ଗଞ୍ଜାମ ଜିଲ୍ଲାପାଳଙ୍କ ନିକଟରେ ଦାବୀ କରିଛନ୍ତି । ଆଗାମୀ ଦିନରେ ସେମାନଙ୍କ ଦାବୀ କୁ ପୂରଣ ନ କରାନଗଲେ ସେମାନେ ରାଜରାସ୍ତାକୁ ଓହ୍ଲାଇବା ସହିତ ଆତ୍ମାହୁତି ଦେବେ ବୋଲି କହିଛନ୍ତି ଗଞ୍ଜାମ ଜିଲ୍ଲା କଳାକାର ମହାସଂଘ , ଦଣ୍ଡନାଚ ମହାସଂଘ , ଚିତ୍ରାଳୟ ସଂଘ ଓ ଲାଇଟ ଏଣ୍ଡ ସାଉଣ୍ଡ ସଂଘ ସମେତ ବିଭନ୍ନ ସଂଘର ଶହଶହ କଳାକାର ଓ ସଦସ୍ୟ/ ସଦସ୍ୟା ମାନେ । ଏହି ଧାରଣାରେ ଗଞ୍ଜାମ ଜିଲ୍ଲା ଦଣ୍ଡନାଚ ମହାସଂଘର ସଭାପତି ଶିବାରମ ପ୍ରଧାନ କଳାକାର ସଂଘ ର ମଦନ ମିଶ୍ର, ଚିତ୍ରାଳୟ ସଂଘର ସଭାପତି ଦିଲ୍ଲୀପ କୁମାର ସାମନ୍ତରା , ମାଷ୍ଟର ଦେବେନ୍ଦ୍ର ପ୍ରସାଦ ଶର୍ମା, ଲାଇଟ ଏଣ୍ଡ ସାଉଣ୍ଡ ସଂଘର ସଭାପତି ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁ , ଯୁବନେତା ମଥୁରା ଚରଣ ସୁବୁଦ୍ଧି ଙ୍କ ସମେତ ଶତାଧୀକ କଳାକାର ମାନେ ଉପସ୍ଥିତ ଥିଲେ । ଦୀର୍ଘ ସମୟ ପରେ ସନ୍ଧ୍ୟାରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ କାର୍ଯ୍ୟାଳୟରେ ପହଞ୍ଚିବା ପରେ ଦଣ୍ଡନାଚ ଓ କଳାକାର ମହାସଂଘର ସଦସ୍ୟମାନଙ୍କ ସହ ଆଲୋଚନା କରିଥିଲେ । ଆସନ୍ତା ମଙ୍ଗଳବାର ଦିନ ଗାଇଡ୍ ଲାଇନ୍ ମଧ୍ୟରେ ଦଣ୍ଡବିଧାନ ଲାଗି କିଛି ବିଚାର କରାଯିବ । କିନ୍ତୁ ସାମାଜିକ କାର୍ଯ୍ୟକ୍ରମ ପାଇଁ ଅନୁମତି ଦିଆଯିବ ନାହିଁ ବୋଲି ଜିଲ୍ଲାପାଳ ରୋକଠୋକ୍ ମନା କରି ଦେଇଥିଲେ । ମଙ୍ଗଳବାର ଦିନ ଜିଲ୍ଲାପାଳଙ୍କ କିଛି ନିଷ୍ପତ୍ତି ପରେ ମହାସଂଘ ପକ୍ଷରୁ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି କହି ଆନ୍ଦୋଳନକୁ ସ୍ଥଗିତ ରଖିଥିଲେ ।