ନାତିର ମୃତ ଘଟଣା ସଂପର୍କରେ ପୁନଃ ତଦନ୍ତ ଦାବି
ଛତ୍ରପୁର,(ଓ୍ବାଇଏନ୍ଏସ୍) : ଗତ ମାର୍ଚ୍ଚ ୧୬ ତାରିଖରେ ରମ୍ଭା ଥାନା ଅନ୍ତର୍ଗତ କଳାଯମୁନା ସାଇ ସରସ୍ୱତୀ ବିଦ୍ୟାମନ୍ଦିର ନିକଟରେ ଥିବା ଏକ ପୋଖରୀରୁ ଶକ୍ତିପ୍ରସାଦ ତ୍ରିପାଠୀଙ୍କ ମୃତ ଶରୀର ଉଦ୍ଧାର ହୋଇଥିଲା । କିନ୍ତୁ ଆଜି ପର୍ଯ୍ୟନ୍ତ ମୃତ ଘଟଣା ସଂପର୍କରେ ରମ୍ଭା ପୁଲିସ ଟେର୍ ପାଇପାରିନାହିଁ । ଶକ୍ତିପ୍ରସାଦକୁ କେହି ଦୃବୁତ୍ତମାନେ ହତ୍ୟା କରିଥିବା ନେଇ ସନ୍ଦେହ କରି ରମ୍ଭା ଥାନାରେ ମାର୍ଚ୍ଚ ୧୮ ତାରିଖରେ ଏକ ଅଭିଯୋଗ ହୋଇଥିଲା । ମୃତ୍ୟୁ ସଂପର୍କରେ ରମ୍ଭା ପୁଲିସ କୌଣସି ପଦକ୍ଷେପ ନେଇନାହିଁ । ବହୁବାର ଥାନାକୁ ଯାଇଥିଲେ ମଧ୍ୟ ନିରାଶ ହୋଇ ଫେରିବାକୁ ପଡୁଛି । ଏଣୁ ସୋମବାର ବାଧ୍ୟ ହୋଇ ଗଞ୍ଜାମ ଏସ୍ପି ବ୍ରିଜେଶ୍ କୁମାର ରାଏଙ୍କ ଦ୍ୱାରସ୍ଥ ହୋଇ ମୃତକ ଙ୍କ ଅଜା ନିରଞ୍ଜନ ତ୍ରିପାଠୀ ଅଭିଯୋଗ କରିଛନ୍ତି । ନାତିର ହତ୍ୟା କରାଯାଇଥିବାରୁ ଉପଯୁକ୍ତ ନ୍ୟାୟ ପାଇବା ପାଇଁ ଆପଣଙ୍କ ଦ୍ୱାରସ୍ଥ ହୋଇଛୁ ବୋଲି ଅଜା ନିରଞ୍ଜନ ଏବଂ ମୃତ ଛାତ୍ରଙ୍କ ମା’ମିନତୀ ତ୍ରିପାଠୀ ଗଞ୍ଜାମ ଏସ୍ପିଙ୍କୁ ସାକ୍ଷତ କରି ନିବେଦନ କରିଥିଲେ । ଘଟଣା ସଂକ୍ରାନ୍ତରେ ପୁନଃ ତଦନ୍ତ କରିବା ପାଇଁ ଛତ୍ରପୁର ଏସ୍ଡିପିଓ ଗୌତମ କିଷାନ୍କୁ ଦାୟିତ୍ୱ ଦିଆଯାଇଛି । ଯଦି ଛାତ୍ରଙ୍କୁ କେହି ହତ୍ୟା କରିଛି ତେବେ ତାକୁ ନିଶ୍ଚିତ ଦଣ୍ଡ ଦିଆଯିବ ବୋଲି ଏସ୍ପି ମୃତକଙ୍କ ପରିବାରକୁ ପ୍ରତିଶ୍ରୁତି ଦେଇଥିଲେ ।


