ନାନକାର ଗ୍ରାମରେ ବେଆଇନ ଟାୱାର ନିର୍ମାଣ ବିରୋଧରେ ଜିଲ୍ଲାପାଳଙ୍କୁ ଅଭିଯୋଗ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ପଂଚାୟତର ନାନକାର ଗ୍ରାମରେ ବେଆଇନ ଭାବେ ନିର୍ମାଣଧିନ ଏଆରଟେଲ କମ୍ପାନୀ ଟାୱାର ନିର୍ମାଣକୁ ବିରୋଧକରି ଗ୍ରାମର ଦଳିତ ମହିଳାମାନେ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯାଇ ନାନକାର ଗ୍ରାମର ଜନୈକ ଚୈତନ୍ୟ ଚରଣ ସାହୁ ନାମକ ବ୍ୟକ୍ତି ସେହି ଗ୍ରାମର ଜନବସତି ମଝିରେ ସ୍ଥାନୀୟ ଜନସାଧାରଣଙ୍କ ପ୍ରତିବାଦ ସତ୍ୱେ ଏଆରଟେଲ କମ୍ପାନୀର ଏକ ଟାୱାର ନିର୍ମାଣ କରୁଛନ୍ତି । ଏସମ୍ପର୍କରେ ସ୍ଥାନୀୟ ଅଧିବାସୀମାନେ କେନ୍ଦ୍ରାପଡା ସଦର ଥାନା ଓ କେନ୍ଦ୍ରାପଡା ତହସିଲଦାରଙ୍କୁ ଅଭିଯୋଗ କରିବା ପରେ ମଧ୍ୟ କୈାଣସି ପଦକ୍ଷେପ ଗ୍ରହଣ କରାନଯିବାରୁ ଶେଷରେ ଏସମ୍ପର୍କରେ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିଛନ୍ତି । ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ କେନ୍ଦ୍ରାପଡା ତହସିଲଦାର ସଂପୃକ୍ତ ରାଜସ୍ୱ ନୀରିକ୍ଷକଙ୍କୁ ଘଟଣାସ୍ଥଳକୁ ପଠାଇ ସରଜମିନି ତଦନ୍ତ କରିଥିଲେବି ଅଦ୍ୟାବଧି ସେହି ବେଆଇନ ଟାୱାର ନିର୍ମାଣକୁ ବନ୍ଦ କରାଯାଇନଥିବାରୁ ସ୍ଥାନୀୟ ଅଚଂଳରେ ଚାପା ଉତେଜନା ପ୍ରକାଶ ପାଇଥିବା ଦେଖାଯାଇଛି । ଟାୱାର ନିର୍ମାଣ ସ୍ଥଳଟି ଏକ ବିବାଦୀୟ ସ୍ଥାନ ଓ ଜନବସତି ମଝିରେ ହୋଇଥିବାରୁ ସ୍ଥାନୀୟ ଅଚଂଳର ଦଳିତ ମହିଳାମାନେ ଏହାକୁ ଦୃଢ ବିରୋଧ କରିଛନ୍ତି । ସେମାନଙ୍କ ବାସଗୃହ ନିକଟରୁ ମାତ୍ର ୧୦ମିଟର ଦ୍ୱରରେ ଏଭଳି ବେଆଇନ ଟାୱାର ନିର୍ମାଣ କରାଯାଉଥିବାରୁ ମମତା ମଳିକ, ମଧୁସ୍ମିତା ମଳିକ, ଅଜି ମଳିକ, ବାସନ୍ତି ମଳିକ, ଶାନ୍ତିଲତା ମଳିକ, ଲକ୍ଷ୍ମୀପ୍ରୀୟା ମଳିକ, ପିଙ୍କି ମଳିକ, ଲୋଚନ ମଳିକ, ଧୁରଦେବୀ ମଳିକ, ପ୍ରତିମା ମଳିକ, ପମି ମଳିକ, ମୋନାଲିସା ମହାନ୍ତି, ରଞ୍ଜିତା ମହାନ୍ତି, ରଶ୍ମିତା ଦାସ ପ୍ରମୁଖ ଏହାର ବିରୋଧକରି ଜିଲ୍ଲାପାଳଙ୍କୁ ଅଭିଯୋଗ କରିବା ସହ ଟାୱାର ନିର୍ମାଣକୁ ବିରୋଧ କରିଛନ୍ତି । ଜିଲ୍ଲାପାଳ ଆସନ୍ତା ସୋମବାର ସୁଧା ତହସିଲଦାରଙ୍କୁ ଏସମ୍ପର୍କରେ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦେଶ ଦେଇଥିବା ଜଣାପଡିଛି ।