ନାନୋ ୟୁରିଆ ତରଳ ବ୍ୟବହାର ଫସଲ ଆଲୋଚନା ଚକ୍ର
ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ବିଭିନ୍ନ କିସମର ଫସଲର ଅଧିକ ଉତ୍ପାଦନ କ୍ଷମତା ବୃଦ୍ଧି ସକାଶେ ନାନୋ ୟୁରିଆ ତରଳ ବ୍ୟବହାର ସମ୍ୱନ୍ଧୀୟ ଏକ ଫସଲ ଆଲୋଚନା ଚକ୍ର ଶନିବାର ବୁରୁପଡା ସ୍ଥିତ ଶ୍ୟାମଳାଇ ପୀଠ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି।ଇଫକୋ ପକ୍ଷରୁ ଆୟୋଜିତ ଆଲୋଚନା ଚକ୍ରରେ ସଂସ୍ଥାର ବରିଷ୍ଠ ବାଣିଜ୍ୟ ପରିଚାଳକ ଏସ କେ ଚାଟେର୍ଜି, ଜିଲ୍ଲା କୃଷି କାର୍ଯ୍ୟାଳୟର କୃଷି ବିଶେଷଜ୍ଞ ବଳରାମ ସୁବୁଦ୍ଧି, କୃଷି ବୈଜ୍ଞାନିକ ଡଃ ଶଶାଙ୍କ ଲେଙ୍କା, ସହକାରୀ ପରିଚାଳକ ବି କେ ପାତ୍ର ଓ ହିଞ୍ଜିଳିକାଟୁ ସହକାରୀ କୃଷି ଅଧିକାରୀ ଅମର ପ୍ରସାଦ ସାହୁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।ଆଞ୍ଚଳିକ କ୍ଷେତ୍ରୀୟ ପରିଚାଳକ ତାପସ ରଞ୍ଜନ ସାହୁ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ।ଏହି ଅବସରରେ ନାନୋ ୟୁରିଆ (ତରଳ)ର ବୈଶିଷ୍ଟ୍ୟ,ଉପକରିତା,ମୁଖ୍ୟ ଲକ୍ଷଣ, ପ୍ରୟୋଗ ମାତ୍ରା ଏବଂ ପଦ୍ଧତି,,ପ୍ରୟୋଗ ପ୍ରକ୍ରିୟା, କାର୍ଯ୍ୟ ପ୍ରକ୍ରିୟା, ନିରାପତ୍ତା ଏବଂ ପୂର୍ବ ସତର୍କତା, କୃଷି ବିଭାଗ ପକ୍ଷରୁ ଉଦ୍ଧିଷ୍ଟ ସରକାରୀ ଯୋଜନା,ଜୈବିକ ସାର ଓ ତରଳ ଜୈବ ସାରର ବିଶେଷତ୍ୱ, ପ୍ରୟୋଗ ଵିଧି,ମ୍ୟାଗନେସିୟମ ସଲଫେଟର ଉପକରିତା ଓ ପ୍ରୟୋଗ ମାତ୍ରା ଆଦି ମାଟିର ଉର୍ବରତା, ଅଧିକ ଅମଳ ନିମନ୍ତେ ଆବଶ୍ୟକତା ପୂରଣ କରିବା ଦିଗରେ ବିଶେଷ ସହାୟକ ହେବ ବୋଲି ଅତିଥିମାନେ ପ୍ରକାଶ କରିଥିଲେ।ସାମ୍ପ୍ରତିକ ସ୍ଥିତିରେ ଫସଲର ପରିଚାଳନା ଏବଂ ନାନୋ ୟୁରିଆ ତରଳ ବ୍ୟବହାର କ୍ଷମତା ବୃଦ୍ଧି, ପରିବେଶ ମିତ୍ର, ପ୍ରଦୂଷଣ ମୁକ୍ତ,ସୁଲଭ ଏବଂ ଶସ୍ତା ଅଟେ ବୋଲି କୃଷକ ମାନଙ୍କୁ ଅବଗତ କରାଇଥିଲେ।ଏହି କାର୍ଯ୍ୟକ୍ରମରେ ପ୍ରତ୍ୟୁଷ ବେହେରା, ସୁବାସ ଗୌଡ଼, ସଂସାରୀ ପ୍ରଧାନ, ସୀମା ପୋଲେଇ ପ୍ରମୁଖ ପରିଚାଳନା କରିଥିଲେ।ସ୍ଥାନୀୟ ଅଞ୍ଚଳର ପ୍ରାଥମିକ ସମବାୟ ସମିତିର ସମ୍ପାଦକ ଓ ଶତାଧିକ ଚାଷୀ ଉପସ୍ଥିତ ଥିଲେ।