ନାବାଳିକା ଝିଅକୁ ଉଦ୍ଧାର ପାଇଁ ଥାନାରେ ମା’ର ଅଭିଯୋଗ
କେନ୍ଦ୍ରାପଡା , (ଯୁଗାବ୍ଦ ନ୍ୟୁଜ୍): ନାବାଳିକା ଝିଅକୁ ଉଦ୍ଧାର ପାଇଁ ମାଆ ଥାନାରେ ଅଭିଯୋଗ କରିଥିବା ଜଣାପଡିଛି । ଅଭିଯୋଗରୁ ପ୍ରକାଶ ଯେ କେନ୍ଦ୍ରାପଡା ସଦରଥାନା ଅନ୍ତର୍ଗତ ଶ୍ୟାମସୁ୍ନ୍ଦରପୁର ଗ୍ରାମର ଶୁକଦେବ ସେନାପତିଙ୍କ ଝିଅ ଝୁନିଲତା ନିକିରାଇ ଥାନା ଅନ୍ତର୍ଗତ ବାରୋ ପଂଚାୟତର ଭଗବତୀପୁର ଗ୍ରାମରେ ଗତ ୨୦୦୫ ମସିହାରେ ବିବାହ କରିଥିଲେ । କିନ୍ତୁ ବିବାହର କିଛିଦିନ ପରେ ଅଧିକ ଯୈ÷ାତୁକ ଦାବିକରି ଝୁନିଲତାକୁ ସ୍ୱାମୀ ପ୍ରଦୀପ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଉଥିଲେ । ଚଳିତ ଜୁନମାସ ୪ ତାରିଖ ସକାଳେ ଝୁନିଲତାକୁ ଏକଲକ୍ଷ ଟଙ୍କା ବାପଘରୁ ଆଣିବାକୁ କହି ତାଠାରୁ ସବୁ ଅଳଙ୍କାର ଶଶୁର ଘର ଲୋକେ ଛଡାଇ ନେବା ସହ ମା ଝିଅ ଦୁଇଜଣଙ୍କୁ ମାରିଦେବାକୁ ଧମକ ଦେବା ଏବଂ ରାତି ୧୧ଟାରେ ଝୁନିଲତାକୁ ନିସ୍ତୁକ ମାଡମାରି ଶାଶୁ ଶ୍ୱଶୁର ଓ ଦିଅର ପ୍ରମୁଖ କିରୋସିନି ଢାଳି ପୋଡିଦେବା ପାଇଁ ଉଦ୍ୟମ କରିଥିବା ଥାନାରେ ଅଭିଯୋଗ ହୋଇଛି । ଝୁନିଲତାର ଛୋଟ ଝିଅ ଓ ବଡଝିଅଙ୍କୁ ମଧ୍ୟ ସେମାନେ ମାରିବୋକୁ ଧମକ ଦେଇଛନ୍ତି । ଛୋଟ ଝିଅକୁ ଉଦ୍ଧାର କରି ଆଣିବା ସହ ସ୍ୱାମୀ ପ୍ରଦୀପ ନାୟକ, ଶ୍ୱଶୁର ଗଗନ ନାୟକ, ଶାଶୁ ମାଳତୀ ନାୟକ, ଦିଅର କାଳିଆ ନାୟକ ଓ ଦୀପକ ନାୟକ, ଦେଢଶୁର ଧୁନା ନାୟକ, ଜା ଧୁଲିଆ ନାୟକ ଓ ମୀନା ନାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ଝୁନିଲତା ଥାନାରେ ନିବେଦନ କରିଛନ୍ତି । ତାଙ୍କୁ ୪ ତାରିଖ ବିଳମ୍ବିତ ରାତିରେ ନିସ୍ତୁକ ମାଡ ମାରିବା ସହ ସ୍ୱାମୀ ସହିତ ରିବାରର ଲୋକମାନେ କିରୋସିନି ଢାଳି ମାରିଦେବାକୁ ଉଦ୍ୟମ କରିଥିଲେ । ସ୍ୱାମୀ ପ୍ରଦୀପ ନାୟକ ତାଙ୍କ ଛାତି ଉପରେ ଲୁହା ରଡ୍ ପକାଇ ଚଢିଯିବା ଫଳରେ ସେ ବେହୋସ ହୋଇଗଲେ । ରାତି ଅଧରେ ତାଙ୍କର ଚେତା ଫେରିଲା ବେଳକୁ ସେ ଏକ ବାଉଁଶବୁଦା ଭିତରେ ପଡିଥିବା ଦେଖିବାକୁ ପାଇଥିଲେ । ସେଠୁ ଚାଲିଚାଲି ଜଝାଙ୍ଗ ପର୍ଯ୍ୟନ୍ତ ଆସିବା ପରେ ପେଟ୍ରୋଲିଂ କରୁଥିବା ଏକ ପିସିଆର ଭ୍ୟାନ୍ ତାଙ୍କୁ ଉଦ୍ଧାର କରିଥିଲା । ଏଣୁ ତାଙ୍କର ଛୋଟ ଝିଅଟିକୁ ଉଦ୍ଧାର କରାଯିବା ସହିତ ଦୋଷୀମାନଙ୍କୁ କଠୋର ଦଣ୍ଡ ଦିଆଯାଉ ବୋଲି ସେ ନିକିରାଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଭିତ୍ତି କରି ନିକିରାଇ ଥାନା ପୋଲିସ ଏକ ମାମଲା ରୁଜୁ କରିବା ସହିତ ଘଟଣାର ଅନୁସନ୍ଧାନ କରୁଥିବା ଜଣାପଡିଛି ।