ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲ୍, ୧୦ ହଜାର ଟଙ୍କା ଜରିମାନା

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ଫୁଲବାଣୀ ପକ୍‌ସୋ କୋର୍ଟ ଏକ ମାମଲାର ବିଚାର କରି ନାବାଳିକା ଦୁଷ୍କର୍ମକାରୀ ବୃଦ୍ଧକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହିତ ୧୦ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି।ମାମଲାରୁ ଜଣାଯାଇଛି ଯେ, ୨୦୨୨ ଏପ୍ରିଲ ୯ ତାରିଖ ଅପରାହ୍ନ ୪ଟା ବେଳେ ବାଲିଗୁଡ଼ା ଥାନା ଅଞ୍ଚଳର ଜଣେ ନାବାଳିକା(୮) ତା’ର ଦୁଇ ଜଣ ସାଙ୍ଗ ସହିତ ଆମ୍ବ ବଗିଚାକୁ ଆମ୍ବ ତୋଳିବାକୁ ଯାଇଥିଲା। ନାବାଳିକା ଜଣକ ଆମ୍ବ ତୋଳୁଥିବା ସମୟରେ ଲୁପରା ଡିଗଲ ଓରଫ ନୁପରା(୬୧) ତାକୁ ବିଭିନ୍ନ ପ୍ରଲୋଭନ ଦେଖାଇ ନିକଟସ୍ଥ ଜଙ୍ଗଲକୁ ଡାକି ନେଇ ସେଠାରେ ଏକ ଖାଲୁଆ ସ୍ଥାନରେ ଦୁଷ୍କର୍ମ କରିଥିଲା। ନାବାଳିକା ଝିଅଟି ଯନ୍ତ୍ରଣାରେ ପ୍ରବଳ ଚିତ୍କାର କରିଥିଲା। ମାତ୍ର, ତା’ ଚିତ୍କାର କେ‌ହି ଶୁଣି ପାରି ନଥିଲେ। ନାବାଳିକାର ବାପା କେରଳରେ ଚାକିରି କରିଥିବାରୁ ଘରେ କେବଳ ମା’ ରହୁଥିଲେ। ନାବାଳିକା ଘରକୁ ଫେରି ମାଆଙ୍କୁ ଘଟଣା ସମ୍ପର୍କରେ କହିଥିଲା। ତେବେ ନାବାଳିକାର ମା’ ବୃଦ୍ଧ ନୁପରାକୁ ଏ ସମ୍ପର୍କରେ କହିବା ପରେ ସେ ଓଲଟା ତାଙ୍କୁ ଧମକ ଚମକ ଦେଇଥିଲା। ପରେ ନାବାଳିକାଙ୍କ ମାଆ ବାଲିଗୁଡ଼ା ଥାନାରେ ଏତଲା ଦେଇଥିଲେ। ବାଲିଗୁଡ଼ା ପୁଲିସ ଏ ନେଇ ଏକ ମାମଲା ରୁଜୁ କରି ତଦନ୍ତ କରି ଚାର୍ଜସିଟ୍ ଦାଖଲ କରିଥିଲା। ଫୁଲବାଣୀ ପକ୍‌ସୋ କୋର୍ଟର ବିଚାରପତି ସଞ୍ଜିତ କୁମାର ବେହେରା ଏହି ମାମଲାର ବିଚାର କରି ଦୁଷ୍କର୍ମକାରୀ ବୃଦ୍ଧକୁ ଉପରୋକ୍ତ ଦଣ୍ଡ ଶୁଣାଇଛନ୍ତି। ଏହି ମାମଲାରେ ମୋଟ ୧୭ ଜଣଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା। ପିପି ଅସୀମ ପ୍ରହରାଜ ମାମଲା ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ