ନାବାଳିକା ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତକୁ ୨୦ବର୍ଷ କାରାଦଣ୍ଡ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-ଜଣେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ କେନ୍ଦ୍ରାପଡା ଫାଷ୍ଟଟ୍ରାକ ପୋକସୋ କୋର୍ଟର ଜଜ ତ୍ରିବିକ୍ରମ ଚିନାରା ଅଭିଯୁକ୍ତ ନବୀନ ସେଠୀ(୨୮)ଙ୍କୁ ୨୦ବର୍ଷ ଜେଲଦଣ୍ଡ ସହ ୫୦ହଜାର ଟଙ୍କା ଜୋରିମାନାରେ ଦଣ୍ଡିତ କରିଛନ୍ତି । ଅଭିଯୋଗ ଅନୁଯାଇ ରାଜନଗର ଥାନା ଅଞ୍ଚଳର ସଂପୃକ୍ତ ନାବାଳିକା ଜଣଙ୍କ ଗତ ୨୦୧୮ ମସିହା ନଭେମ୍ବରମାସ ୬ତାରିଖ ଅପରାହ୍ନ ୩ଟା ସମୟରେ ବାରିପଟକୁ ଲୁଗା ଆଣିବାକୁ ଯାଇଥିବା ବେଳେ ସେହି ଥାନା ଅନ୍ତର୍ଗତ ସାନମରିଚାପଲୀ ଗ୍ରାମର ନବୀନ ସେଠୀ ସଂପୃକ୍ତ ନାବାଳିକାକୁ ଟେକି ନେଇ ସେହି ଗ୍ରାମର ଗୋଲଖ ସେଠୀଙ୍କ ଘସିଭାଡି ପଛପଟେ ନାବାଳିକାର ଇଛା ବିରୋଧରେ ଦୁଷ୍କର୍ମ କରିଥିଲେ । ପିଡିତା ନାବାଳିକାଙ୍କ ମା’ଙ୍କ ଅଭିଯୋଗ ଆଧାରରେ ରାଜନଗର ଥାନାରେ ୧୮୬/୨୦୧୮ରେ ଆଇ.ପି.ସି.ର ଦଫା ୩୭୬(୩) ଓ ୪ ପୋକ୍ସୋ ଆଇନରେ ମାମଲା ରୁଜୁ ହୋଇ ତଦନ୍ତ ଚାଲିଥିଲା । ପୋଲିସ କୋର୍ଟରେ ଅଭିଯୋଗ ଫର୍ଦ୍ଦ ଦାଖଲ କରିବା ପରେ ଜି.ଆର. କେଶ ନମ୍ବର- ୮୦/୨୦୧୮ରେ ମାମଲାର ବିଚାର ଚାଲିଥିଲା । ସେହି ମାମଲାର ବିଚାର କରି କେନ୍ଦ୍ରାପଡା ଫାଷ୍ଟଟ୍ରାକ ପୋକସୋ କୋର୍ଟର ଜଜ ତ୍ରିବିକ୍ରମ ଚିନାରା ଗୁରୁବାର ଅଭିଯୁକ୍ତ ନବୀନ ସେଠୀଙ୍କୁ ୨୦ବର୍ଷ ସଶ୍ରମ କାରାଦଣ୍ଡ ସହିତ ୫୦ ହଜାର ଟଙ୍କା ଜୋରିମାନାରେ ଦଣ୍ଡିତ କରିଛନ୍ତି । ଜୋରିମାନା ଅନାଦେୟ ଅଧିକ ଏକବର୍ଷ ଜେଲଦଣ୍ଡ ଭୋଗିବାକୁ ପଡିବ ବୋଲି ଜଜ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି । ଏହି ମାମଲାରେ ଆଇନଜୀବୀ ମନୋଜ କୁମାର ସାହୁ ସରକାରଙ୍କ ପକ୍ଷରୁ ମାମଲାର ପରିଚାଳନା କରୁଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ