ନାମକଟା ଅଭିଯୋଗ : ଜିଲ୍ଲାପାଳଙ୍କଠାରେ ମହିଳାଙ୍କ ଫେରାଦ
ବାଲେଶ୍ୱର, (ସରୋଜ ପଣ୍ଡା) :ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ବିଭିନ୍ନ ପଦ ନିମନ୍ତେ ସୋମବାରଠାରୁ ପ୍ରାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବା ବେଳେ ଭୋଟର ତାଲିକାରେ ନାମ କଟିବା ଯୋଗୁଁ ପ୍ରାର୍ଥିତ୍ୱରୁ ବାଦ ପଡ଼ିବାକୁ ଯାଉଥିବା ଆଶାୟୀ ୱାର୍ଡ଼ସଭ୍ୟା ପ୍ରାର୍ଥୀ ସୋମବାର ଜିଲ୍ଲାପାଳଙ୍କଠାରେ ଫେରାଦ ହୋଇଛନ୍ତି । ଏହି ମହିଳା ଜଣକ ହେଲେ ସଦର ବ୍ଲକ ଅନ୍ତର୍ଗତ ନଗ୍ରମ ପଞ୍ଚାୟତର କହରାକୁଳ ଗ୍ରାମର ହେମନ୍ତ ବାରିକଙ୍କ ପତ୍ନୀ ମୀନତି ବାରିକ । ଏହି ପଞ୍ଚାୟତର ୩ ନଂ ୱାର୍ଡ଼ କହରାକୂଳ ଗ୍ରାମର ସେ ସ୍ଥାନୀୟ ବାସିନ୍ଦା ହୋଇଥିବା ବେଳେ ଭୋଟର ତାଲିକାରେ ଘର ନଂ ୪୪ ଓ ୨୬୯ କ୍ରମିକ ନଂରେ ତାଙ୍କ ନାମ ରହିଥିଲା । ଗତ ୨୦୧୭ ପଞ୍ଚାୟତ ନିର୍ବାଚନରେ ତାଙ୍କର ନାମ ୩ ନଂ ୱାର୍ଡ଼ର ୨୪୧ ନଂ କ୍ରିମକରେ ଥିଲା । ମାତ୍ର ଚଳିତ ନିର୍ବାଚନରେ ୨ ନଂ ୱାର୍ଡ଼ର ଯୋଗ ତାଲିକାରେ ୩୨୫ ନଂ କ୍ରମିକରେ ତାଙ୍କର ନାମ ରହିଥିବା ଭିଯୋଗକାରିଣୀ ଶ୍ରୀମତୀ ବାରିକ କହିଛନ୍ତି । ଉଦ୍ଦେଶ୍ୟମୂଳକ ଭାବେ ତାଙ୍କର ନାମକୁ ଗୋଟିଏ ୱାର୍ଡ଼ରୁ ଅନ୍ୟଏକ ୱାର୍ଡ଼କୁ ପରିବର୍ତ୍ତନ କରାଯାଇଥିବା ସେ ଅଭିଯୋଗ ଉଠାଇଛନ୍ତିି । ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ ପୂର୍ବରୁ ତାଙ୍କର ନାମ ପୂର୍ବଭଳି ୩ ନଂ ୱାର୍ଡ଼ର ୨୬୯ କ୍ରମିକରେ ରଖିବାକୁ ସେ ଦାବି କରିଛନ୍ତି । ନତୁବା ସେ ଅନଶନ କରିବେ ବୋଲି ଚେତାବନୀ ଦେଇଛନ୍ତି । ଏନେଇ ସେ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି ।