ନାମାଙ୍କନରେ ତଥ୍ୟ ଲୁଚାଇଲେ ୬ମାସ ଜେଲ୍, ଜରିମାନା
ନୂଆଦିଲ୍ଲୀ(ଏଜେନ୍ସି): ଚଳିତ ଲୋକସଭା ନିର୍ବାଚନ ପରିପ୍ରେକ୍ଷୀରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ସୀମା ଶେଷ ହୋଇଯାଇଛି । ତେବେ ଯେଉଁ ପ୍ରାର୍ଥୀମାନେ ନିଜ ନାମାଙ୍କନ ପତ୍ରରେ ସଠିକ ତଥ୍ୟ ଦେଇନାହାନ୍ତି ସେମାନଙ୍କ କ୍ଷେତ୍ରରେ କଠୋର ପଦକ୍ଷେପ ଗ୍ରହଣ କରିବାକୁ ନିର୍ବାଚନ କମିସନ ପ୍ରସ୍ତୁତ ହେଉଥିବା ସମ୍ପର୍କରେ ସୂଚନା ମିଳିଛି । ତେବେ ସଠିକ୍ ତଥ୍ୟ ପ୍ରଦାନ କରିନଥିବା ପ୍ରାର୍ଥୀମାନଙ୍କୁ ୬ମାସ ଜେଲ ଦଣ୍ଡାଦେଶ ସହ ଜରିମାନା ମଧ୍ୟ ଗଣିବାକୁ ପଡିପାରେ ବୋଲି ଅନୁମାନ କରାଯାଉଛି । ନିର୍ବାଚନ କମିସନଙ୍କ ପକ୍ଷରୁ ଜାରି କରାଯାଇଥିବା ନିର୍ଦ୍ଦେଶ ଅନୁଯାୟୀ ଜନପ୍ରତିନିଧି ଆଇନ୍ ୧୯୫୧ର ଧାରା ୧୨୫(କ) ଅନ୍ତର୍ଗତ ଯଦି କୌଣସି ପ୍ରାର୍ଥୀ ନାମାଙ୍କନ ଫର୍ମ ସହିତ ସତ୍ୟପାଠରେ ସଠିକ୍ ସୂଚନା ଦେଇନଥିବେ ବା ତଥ୍ୟ ଲୁଚାଇଥିବେ, ତାହାହେଲେ ୬ମାସର ଜେଲ୍ ଦଣ୍ଡ ସହ ଜରିମାନା ଦେବାକୁ ପଡ଼ିବ । ଏହା ସହିତ ତାଙ୍କ ପ୍ରାର୍ଥିୀତ୍ୱକୁ ମଧ୍ୟ ରଦ୍ଦ କରାଯିବ । ଆୟୋଗଙ୍କ କହିବା ଅନୁସାରେ ଲୋକ ପ୍ରତିନିଧିଙ୍କ ଦ୍ୱାରା ମିଥ୍ୟା ତଥ୍ୟ ଆଇପିସିର ଧାରା ୧୭୭ ଅନ୍ତର୍ଗତ ଅପରାଧ ବିବେଚନା ହେବ ।