ନାରୀ କବି କୁନ୍ତଳା କୁମାରୀ ସାବତଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ଉନ୍ମୋଚିତ
ବାଲେଶ୍ୱର, (ସରୋଜ ପଣ୍ଡା):ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ନାରୀ କବି କୁନ୍ତଳା କୁମାରୀ ସାବତଙ୍କର ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ତାଙ୍କ ନାମରେ ନାମିତ ବାଲେଶ୍ୱରସ୍ଥିତ କୁନ୍ତଳା କୁମାରୀ ସାବତ ମହିଳା ମହାବିଦ୍ୟାଳୟ ପରିସରରେ ଆଜି ଅପରାହ୍ନ ଘ. ୩.୩୦ ଟିକା ସମୟରେ ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ତଥା ଅବକାରୀ ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ଅଶ୍ବିନୀ କୁମାର ପାତ୍ରଙ୍କ ଦ୍ୱାରା ଅନାବରଣ ହୋଇଯାଇଛି I ଏହି ପରିପ୍ରେକ୍ଷୀରେ ମାନ୍ୟବର ମନ୍ତ୍ରୀ ମହାନ ନାରୀ କବି ଉତ୍କଳଭାରତୀ କୁନ୍ତଳା କୁମାରୀ ସାବତଙ୍କ ସୃଜନୀ ଶକ୍ତି ଦ୍ୱାରା ଯେଉଁ ସମ୍ଭାର ସୃଷ୍ଟି ହୋଇଛି ଏଥି ପ୍ରତି ଆଗାମୀ ପିଢ଼ି ସହିତ ସ୍ଥାନୀୟ ଅଞ୍ଚଳବାସୀ ଅବଗତ ହେବା ସହ କବିଙ୍କ ପ୍ରତି ଶ୍ରଦ୍ଧା ନିବେଦନ କରିପାରିବେ ବୋଲି ବାର୍ତ୍ତା ରଖିଥିଲେ I ଏହି କାର୍ଯ୍ୟକ୍ରମକୁ କଲେଜ ଅଧ୍ୟକ୍ଷା ଡ଼. ସୁବ୍ରତା ଦେବାଙ୍ଗନା ସଂଯୋଜନା କରିବା ସହିତ ସ୍ୱାଗତ ଜଣାଇଥିଲେ I ଉଲ୍ଲେଖ ଯୋଗ୍ୟ କି, ୧୦ ଫୁଟ ଉଚ୍ଚତାରେ ନିର୍ମିତ ଏହି ପ୍ରତିମୂର୍ତ୍ତିଟି ୧୫ ଲକ୍ଷ ୮୭ ହଜାର ଟଙ୍କା ବ୍ୟୟରେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧିନସ୍ଥ ରାଜ୍ୟ ପ୍ରତ୍ନତତ୍ୱ ସଂସ୍ଥା ଦ୍ୱାରା ସମ୍ପୂର୍ଣ କରାଯାଇଅଛି I ରାଜ୍ୟ ପ୍ରତ୍ନତତ୍ୱ ସଂସ୍ଥାର ଅଧିକ୍ଷକ ଶ୍ରୀଯୁକ୍ତ ଅଶ୍ୱିନୀ ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ I ଅନାବରଣ ଉତ୍ସବ କାର୍ଯ୍ୟକ୍ରମ ପରେ କୁନ୍ତଳା କୁମାରୀ ସାବତ ମହିଳା ମହାବିଦ୍ୟାଳୟ ଆନୁକୂଲ୍ୟରେ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି I ଏହି ଅବସରରେ ବାଲେଶ୍ୱର ପୌରପାଳିକା ଉପାଧ୍ୟକ୍ଷ ଶ୍ରୀଯୁକ୍ତ କୈଳାଶ ଚନ୍ଦ୍ର ସେଠି, ରାଜ୍ୟ ପ୍ରତ୍ନତତ୍ୱ ସଂସ୍ଥାର ସହକାରୀ ନିର୍ବାହୀ ଯନ୍ତ୍ରୀ ଶ୍ରୀଯୁକ୍ତ ସରୋଜ କୁମାର ନନ୍ଦ, ଜିଲ୍ଲା ସଂସ୍କୃତି ଅଧିକାରିଣୀ ସୁଶ୍ରୀ ମନସ୍ଵିନୀ ରାଉତ, ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ଛାତ୍ରୀ ଗଣ, ପୁରାତନ ଛାତ୍ରୀ ସଂସଦର ଅଧ୍ୟକ୍ଷା ଓ ସଦସ୍ୟାମାନେ ଏବଂ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ I