ନାଲି ପତାକା ମାରିବା ସହ ବିଜ୍ଞାପନ ବ୍ୟାନର ଲଗାଇଲେ ଖଣି ଅଧିକାରୀ
ଆରଡି, (ଆଲୋକ ଚନ୍ଦ୍ର ନାୟକ):ଧାମନଗର ବ୍ଲକ ଅଧୀନସ୍ଥ ବାଲିପାଟଣା, ମମଦୁଲା, ଅସ୍ତକ ଆଦି ସ୍ଥାନରେ ବୈତରଣୀ ନଦୀରୁ ଦୀର୍ଘ ଦିନ ଧରି ଚୋରା ବାଲି ବ୍ୟବସାୟ ଚାଲିଥିଲା । ବାଲି ବ୍ୟବସାୟୀଙ୍କ ଦୌରାତ୍ମ୍ୟରେ ସାଧାରଣ ଜନତା ଅଣନିଶ୍ବାସୀ ହୋଇଯାଇଥିଲେ । ଶହଶହ ସଂଖ୍ୟାରେ ଟ୍ରାକ୍ଟର ନଦୀବନ୍ଧ ଓ ରାସ୍ତାରେ ଚାଲିବା ଯୋଗୁଁ ଦୈନନ୍ଦିନ ଛୋଟମୋଟ ଦୁର୍ଘଟଣା ଘଟିବା ସହିତ ରାସ୍ତା ମଧ୍ୟ ଖାଲଖମାରେ ପରିଣତ ହୋଇଥିଲା । ଏହାଛଡା ରାଜସ୍ବ ହାନି ମଧ୍ୟ ହେଉଥିଲା । ବାଲିଘାଟ କରିଥିବା ବ୍ୟକ୍ତି ମାନେ ନଦୀବନ୍ଧକୁ କାଟି ନାରଖାର ମଧ୍ୟ କରି ଦେଇଥିଲେ । ଏ ବାବଦରେ ସ୍ଥାନୀୟ ଜନ ସାଧାରଣ ଭଦ୍ରକ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ । ଜିଲାପାଳ ଦିଲ୍ଲୀପ କୁମାର ରାଉତରାଏ ଏହାକୁ ଗୁରୁତ୍ବର ସହ ଗ୍ରହଣ କରି କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲା ଖଣି ଉପ ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଶୁକ୍ରବାର ଅପରାହ୍ନରେ ଖଣି ଅଧିକାରୀ ଅନିଲ କୁମାର ଦାସ, ଧାମନଗର ଅତିରିକ୍ତ ତହସିଲଦାର ତପନ ତରାଇ, ଧୂଷୁରୀ ଥାନା ଏଏସଆଇ ମନୋରଞ୍ଜନ ପାତ୍ରଙ୍କ ସହ ଦୁଇ ପୋଲିସ କର୍ମଚାରୀ, ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟ କର୍ମଚାରୀ ବାଲିଘାଟକୁ ଯାଇ ମିଳିତ ଚଢାଉ କରିବା ସହ ବାଲିଘାଟକୁ ଜେସିବି ସାହାଯ୍ୟରେ ତାଡିବା ସହ ନାଲିପତାକା ଓ ବିଜ୍ଞାପନ ବ୍ୟାନର ଲଗାଇଥିଲେ । ଅଧିକାରୀଙ୍କ ମିଳିତ ଚଢାଉ ହେବା ଖବର ସଂପୃକ୍ତ ଅଞ୍ଚଳରେ ପୂର୍ବରୁ ମିଳି ଯାଇଥିଲା । ତେଣୁ କୌଣସି ଘାଟରେ ବାଲି ଉଠାଇବାକୁ ଟ୍ରାକ୍ଟର ଯାଇ ନଥିଲା । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି ।