ନାଳରେ ଫିଙ୍ଗିଦେଲେ ୧ଲକ୍ଷ ମାସ୍କ

ମୁମ୍ବାଇ: ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ଦେଖି ଏବେ ସର୍ଜିକାଲ ମାସ୍କର ଚାହିଦା ବଢ଼ିବାରେ ଲାଗିଛି। ଲୋକେ ମାସ୍କ ସହ ସାନିଟାଇଜର ବ୍ୟବହାର କରିବାରେ ଲାଗି ପଡ଼ିଛନ୍ତି। ଏବେ ବଜାରରେ ମାସ୍କର ଅଭାବ ଦେଖିବାକୁ ମିଳୁଥିବା ବେଳେ କିଛି ଲୋକ ବ୍ୟବହାର ହୋଇ ସାରିଥିବା ମାସ୍କକୁ ସଫା କରି ତାକୁ ପୁଣି ବିକ୍ରି କରୁଥିବା ଜଣା ପଡ଼ିଛି। ମୁମ୍ବାଇର ଭିୱଣ୍ଡିରେ ୧ଲକ୍ଷରୁ ଅଧିକ ମାସ୍କ ନାଳରେ ପଡ଼ିଥିବା ଦେଖିବାକୁ ମିଳିବା ପରେ ପୁରୁଣା ମାସ୍କକୁ ସଫା କରି ପୁଣି ବିକ୍ରି କରିବାର ଯୋଜନା କରାଯାଉଥିବା ସନ୍ଦେହ କରୁଛି ପୁଲିସ।ତେବେ ନାଳରେ ଏକାଧିକ ମାସ୍କ ପଡ଼ିଥିବାର ଭିଡିଓ ଭାଇରାଲ ହେବା ପରେ ଘଟଣାସ୍ଥଳରେ ତଦନ୍ତ ପାଇଁ ମହାରାଷ୍ଟ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ସ୍ୱାସ୍ଥ୍ୟ ବିଭାଗ ଏବଂ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ। ଯାଞ୍ଚ ପରେ ମାସ୍କଗୁଡ଼ିକ ପୁରୁଣା ଏବଂ ସେସବୁକୁ ଧୋଇ ପୁନର୍ବାର ବିକ୍ରି କରିବା ପାଇଁ ପ୍ରସ୍ତୁତି ଚାଲିଥିଲା ବୋଲି ସ‌ନ୍ଦେହ କରୁଛି ପୁଲିସ। ଅଧିକାରୀଙ୍କ କହିବା ମୁତ‌ାବକ, ଏପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ କିନ୍ତୁ ଏହି ମାସ୍କଗୁଡ଼ିକ ବ୍ୟବହାର ହୋଇସାରିଥିବା ଭଳି ଦେଖାଯାଉଛି। ସେ କହିଛନ୍ତି ଯେ, ଦୁଇ ଦିନ ପୂର୍ବରୁ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ଭିଡିଓରେ ଏହି ମାସ୍କଗୁଡ଼ିକ ବିଷୟରେ ଆଲୋଚନା କରାଯାଉଥିଲା।ଭିଡିଓରେ ଦାବି କରାଯାଇଥିଲା ଯେ, ବ୍ୟବହୃତ ଲକ୍ଷ ଲକ୍ଷ ମାସ୍କ ବିଦେଶରୁ ଆମଦାନୀ କରାଯାଇଥିଲା। ଏହି ମାସ୍କଗୁଡ଼ିକ ଭିୱାଣ୍ଡିର ଡୋପଡା ଅଞ୍ଚଳର ଥିବା ଗୋଦାମରେ ରଖାଯାଇଥିଲା। ସେଠାରେ ମାସ୍କକୁ ଧୋଇ ପୁନଃ ବିକ୍ରି କରିବା ପାଇଁ ପ୍ରସ୍ତୁତ କରାଯାଉଥିବା ନେଇ ଭିଡିଓରେ ଦାବି କରାଯାଇଥିବା ବେଳେ ଭିଡିଓ ଭାଇରାଲ ହେବା ପରେ ପୁଲିସ ଗୋଦାମରେ ପହଞ୍ଚି ତଦନ୍ତ କରିିଥିଲେ। ହେଲେ ସେଠାରେ କିଛି ମିଳି ନଥିଲା, ଯାହା ପରେ ଭାଇରାଲ ଭିଡିଓଟି ଅନ୍ୟ ସ୍ଥାନର ବୋଲି ଅଧିକାରୀମାନେ ସ୍ପଷ୍ଟ କରିଥିଲେ। କିନ୍ତୁ ଶନିବାର ଦିନ ଜଣେ ବ୍ୟକ୍ତି ଆଉ ଏକ ଭିଡିଓ ଜାରି କରି ପୁଣି ଦାବି କରିଥିଲେ ଯେ, ଏହି ମାସ୍କଗୁଡ଼ିକ ସମାନ ଗୋଦାମରେ ରହିଥିଲା। ଗୋଦାମରେ କାମ କରୁଥିବା ବ୍ୟକ୍ତି ଭିଡିଓ ଭାଇରାଲ ହେବା ପରେ ଧରାପଡ଼ିଯିବା ଡ଼ରରେ ନାଳରେ ମାସ୍କ ଫିଙ୍ଗି ଦେଇଛନ୍ତି। ତେବେ ଦ୍ବିତୀୟ ଭିଡିଓ ଭାଇରାଲ ହେବା ପରେ ପ୍ରକୃତ ଘଟଣା ବିଷୟରେ ଜାଣିବା ପାଇଁ ଏବେ ପୁଲିସ ତଦନ୍ତ ଆରମ୍ଭ କରିଦେଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ