ନାଳରେ ଭାସି ଗଲେ ଦୁଇ ଯୁବକ ଜଣେ ଉଦ୍ଧାର ଅନ୍ୟଜଣେ ନିଖୋଜ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ଦିଗପହଣ୍ଡି ବ୍ଳକ ଫାସିଗୁଡା ପଞ୍ଚାୟତ ପାଟପୁର ଥାନା ଅନ୍ତର୍ଗତ ବାଙ୍ଗରଡା ଗ୍ରାମର ରାଉତରାୟ ନାଳର ପ୍ରଖର ଜଳ ସ୍ରୋତରେ ଗାଧୋଉଥିବା ବେଳେ ଅସାବଧାନତା କାରଣରୁ ଦୁଇ ଯୁବକ ଭାସି ଯାଇଥିବା ଜଣାପଡିଛି । ଗ୍ରାମବାସୀ ଜଗନ୍ନାଥ ସେଠୀ (୧୮) ନାମକ ଯୁବକକୁ ଗଭୀର ଜଳରାଶିରୁ ଉଦ୍ଧାର କରିଥିବା ବେଳେ ବର୍ତ୍ତମାନ ସୁଦ୍ଧା ବଳରାମ ଡାକୁଆ ନାମକ ଯୁବକ ନିଖୋଜ ରହିଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ଦିଗପହଣ୍ଡି ଓ ସାନଖେମୁଣ୍ଡି ଦମକଳ ବାହିନୀ କର୍ମଚାରୀ ପହଞ୍ଚି ନିଖୋଜ ଯୁବକକୁ ଉଦ୍ଧାର ପାଇଁ ପ୍ରୟାସ ଜାରି ରଖିଥିବା ବେଳେ ଖବର ପରିବେଷଣ ସୁଦ୍ଧା ଯୁବକଙ୍କ କୈାଣସି ସନ୍ଧାନ ମିଳିନଥିବା ଜଣାପଡିଛି । ଖବର ପ୍ରକାରେ ଉଭୟ ଜଗନ୍ନାଥ ଓ ବଳରାମ ମଙ୍ଗଳବାର ୧୦ ଘଣ୍ଟା ସମୟରେ ମିଶି ଗ୍ରାମ ପାର୍ଶ୍ବରେ ବହି ଯାଉଥିବା ଉକ୍ତ ନାଳକୁ ଗାଧୋଇବା ପାଇଁ ଯାଇଥିଲେ । ତେବେ ଗତକାଲି ପ୍ରବଳ ବର୍ଷା କାରଣରୁ ନାଳରେ ଜଳର ସ୍ରୋତ ମଧ୍ୟ ଅଧିକ ରହିଥିଲା । ଦୁଇ ସାଙ୍ଗ ମିଶି ଗାଧୋଇବା ସମୟରେ ଅସାବଧାନତା ଯୋଗୁଁ ଦୁଇଜଣ ଭାସି ଯାଇଥିଲେ । ଜଗନ୍ନାଥଙ୍କ ଚିତ୍କାର ଶୁଣି ଆଖପାଖରେ ଥିବା କିଛି ଲୋକ ନାଳର ଗଭୀର ଜଳରାଶିରୁ ତାଙ୍କୁ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲେ ମଧ୍ୟ ବଳରାମଙ୍କୁ ଉଦ୍ଧାର କରିପାରିନଥିଲେ । ଗ୍ରାମବାସୀଙ୍କ ସହାୟତାରେ ଜଗନ୍ନାଥଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ନିମନ୍ତେ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ତେବେ ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ ବ୍ରହ୍ମପୁର ବଡମେଡିକାଲ ସ୍ଥାନାନ୍ତରିତ କରାଯାଇଥିଲା । ଅପରପକ୍ଷରେ ଖବରପାଇ ପ୍ରଥମେ ସାନଖେମୁଣ୍ଡି ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ବହୁ ଖୋଜାଖୋଜି କରିଥିଲା । ଏହାପରେ ଦିଗପହଣ୍ଡି ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ମଧ୍ୟ ପହଞ୍ଚି ଅପରାହ୍ନ ୫ ଘଣ୍ଟା ପର୍ଯ୍ୟନ୍ତ ଖୋଜାଖୋଜି କରିଥିଲେ ମଧ୍ୟ ଯୁବକଙ୍କ ପତ୍ତା ମିଳିନଥିବା ଜଣାପଡିଛି । ଏହି ଦୁଃଖଦ ଘଟଣାରେ ଫାସିଗୁଡା ସରପଞ୍ଚ ପ୍ରତିନିଧି ଶିବରାମ ପ୍ରଧାନ ଓ ପୂର୍ବତନ ସରପଞ୍ଚ ଦିଲୀପ ସେଠୀ ପହଞ୍ଚି ପରିବାରକୁ ସାନ୍ତ୍ଵନା ଦେବା ସହ ଉଦ୍ଧାର କାର୍ଯ୍ୟରେ ପ୍ରଶାସନକୁ ସହଯୋଗ କରୁଥିବା ଜଣାପଡିଛି ।