ନାସାର ଦାବି : ମଙ୍ଗଳରେ ରହିଛି ଅମ୍ଳଜାନ
ୱାଶିଂଟନ: ଲାଲ୍ ଗ୍ରହ ମଙ୍ଗଳକୁ ବିଭିନ୍ନ ଦେଶର ମହାକାଶ ଗବେଷଣା ସଂସ୍ଥା ପକ୍ଷରୁ ମାନବ ବିହୀନ ମହାକାଶ ଯାନ ପଠାଯାଉଥିଲେ ହେଁ ଏବେ ବି ସେଠାକାର ପରିବେଶ ସମ୍ପର୍କରେ ବୈଜ୍ଞାନିକମାନେ ଦ୍ୱନ୍ଦ୍ୱରେ ରହିଛନ୍ତି । ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା (ନାସା) ମଙ୍ଗଳ ଗ୍ରହକୁ ନେଇ ବହୁ ଗବେଷଣା ଚଳାଇଆସିଛି । ସମ୍ପ୍ରତି ନାସା ଦାବି କରିଛି ଯେ, ମଙ୍ଗଳରେ ଜୀବନ ଖୋଜୁଥିବା ନାସାର ରୋଭର କ୍ୟୁରିଓସିଟି ସେଠାକାର ବାୟୁମଣ୍ଡଳରେ ଅମ୍ଳଜାନ ଥିବା ତଥ୍ୟ ଦେଇଛି । ଏପରି ସୂଚନା ବୈଜ୍ଞାନିକମାନଙ୍କ ମଙ୍ଗଳରେ ଜନବସତି ସ୍ଥାପନ ସମ୍ପର୍କିତ ଗବେଷଣାକୁ ଆଉ ଗୋଟିଏ ପାଦ ଆଗକୁ ନେଇଛି । ମଙ୍ଗଳରେ ଜୀବନ ଧାରଣ କ’ଣ ସମ୍ଭବ? ଏପରି ପ୍ରଶ୍ନର ଉତ୍ତର ଖୋଜିବା ଲାଗି ଉତ୍କଣ୍ଠିତ ସାରା ବିଶ୍ୱବାସୀ । ଏପରି ସ୍ଥିତିରେ ନାସା ପକ୍ଷରୁ ୨୦୧୧ ନଭେମ୍ବର ୨୬ରୁ ଆରମ୍ଭ ହୋଇଥିବା ମଙ୍ଗଳ ମିଶନ ଏକ ବଡ଼ ସଫଳତା । ବର୍ଷର ପ୍ରାରମ୍ଭରେ ନାସା ପକ୍ଷରୁ କୁହାଯାଇଥିଲା, ମଙ୍ଗଳର ବାତାବରଣର ଉପରସ୍ତରରେ ମିଥେନ ରହିଛି । ଜୀବନର ସଞ୍ଚାର ପାଇଁ ମିଥେନକୁ ଏକ ପ୍ରମୁଖ ଉପାଦାନ ଭାବେ ଗଣନା କରାଯାଏ । ଏବେ ମଙ୍ଗଳ ପୃଷ୍ଠରେ ଅମ୍ଳଜାନ ମିଳିବା ସୂକ୍ଷ୍ମ ଜୀବଙ୍କ ଉପସ୍ଥିତିକୁ ଅଣଦେଖା କରାଯାଇ ନ ପାରେ । ଏ ସମ୍ପର୍କରେ କ୍ୟୁରିଓସିଟି ଏବେ ଅଧିକ ଗବେଷଣା ଆରମ୍ଭ କରିଛି । କ୍ୟୁରିଓସିଟିର କେମେଷ୍ଟ୍ରୀ ଲାବ୍ ଗେଲ କ୍ରେଟରରେ ଥିବା ଗ୍ୟାସ୍ ପରୀକ୍ଷା କରିଥିଲା । ସେଠାରେ ୯୫% କାର୍ବନ ଡାଇଅକ୍ସାଇଡ, ୨.୬% ନାଇଟ୍ରୋଜେନ, ୧.୯ % ଅର୍ଗନ, ୦.୧୬% ଅକ୍ସିଜେନ, ୦.୦୬% କାର୍ବନ ମନୋକ୍ସାଇଡ ଥିବା ଜଣାପଡ଼ିଛି । ଏହି ଗ୍ୟାସର ଅନୁପାତ ସମୟକ୍ରମେ ବଦଳୁଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ସେଠାରେ ଥିବା ଅମ୍ଳଜାନ ସବୁଠାରୁ ଅଧିକ ପରିମାଣରେ ବଦଳୁଛି । ବସନ୍ତ ଏବଂ ଗ୍ରୀଷ୍ମ ସମୟରେ ଏହା ୩୦% ଯାଏ ବୃଦ୍ଧିପାଉଛି । ଶୀତ ସମୟରେ ଏହା ପୁଣି ହ୍ରାସ ପାଉଛି । ଏପରି ପରିବର୍ତ୍ତନ ପାଇଁ କେତେକ ଭୂବୈଜ୍ଞାନିକ ପ୍ରକ୍ରିୟା ଦାୟୀ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି ।


