ନିଆଁରେ ପୋଡି ବୃଦ୍ଧ ଗୁରୁତର
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :ଗଜପତି ଜିଲ୍ଲାରେ ଲାଗିରହିଛି ପ୍ରବଳ ଶୀତ । ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଦୁର୍ଗମ ଅଞ୍ଚଳର ଲୋକେ ଘରେ କାଠ ଜାଳି ନିଆଁ ପୁଉଁଥିବା ଦେଖିବାକୁ ମିଳୁଛି । ଅନେକ ଲୋକେ ନିଜ ଜମିରେ କୁଡ଼ିଆ କରି ଫସଲ ଜଗିଥିବା ବେଳେ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ନିଆଁ ଲଗାଇଥାନ୍ତି । ହେଲେ ସେହି ନିଆଁ କାଳ ହେବ ବୋଲି କିଏ ଜାଣିଥିଲା । ନିଆଁ ପୁଉଁଥିବା ବେଳେ ସେହି ନିଆଁରେ ପୋଡି ବୃଦ୍ଧ ଗୁରୁତର। ଗଜପତି ଜିଲ୍ଲା ମୋହନା ଥାନା କପାଖାଲ ଗାଁରେ କାର୍ତ୍ତିକ ବଡରାଇତ ଧାନ ଖଳାରେ ଥିବା କୁଡ଼ିଆ ଘରେ ରାତିରେ ନିଆଁ ଜାଳି ନିଆଁ ପୂଉଁଥିବା ବେଳେ ହଠାତ ଦେହରେ ନିଆଁ ଲାଗିଯାଇଥିଲା । ଗୁରୁତର ଅବସ୍ଥାରେ ବିଳମ୍ବିତ ରାତିରେ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରିଥିଲେ । ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ଡାକ୍ତର ତାଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ । କିନ୍ତୁ ଅର୍ଥ ଅଭାବରୁ ପରିବାର ଲୋକେ କଟକ ନେଇ ନ ପାରି ଘରକୁ ଫେରାଇ ଆଣିଛନ୍ତି । ଏଭଳି ଗୁରୁତର ଥିବା କାର୍ତ୍ତିକ ବଡ଼ରାଇତଙ୍କ ଚିକିତ୍ସା ପାଇଁ ସରକାରୀ ସହାୟତା ଦାବି କରିଛନ୍ତି ପରିବାର ଲୋକେ ।


