ନିଆରା ଢଙ୍ଗରେ ପାଳିଲେ ଜନ୍ମଦିନ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ଥରେ ନୁହେଁ କି ଦୁଇଥର ନୁହେଁ, ୬୫ ବର୍ଷ ବୟସ ମଧ୍ୟରେ ୧୬୫ଥର ନିଃସ୍ୱାର୍ଥପର ଭାବେ ରକ୍ତଦାନ କରି ସମସ୍ତଙ୍କ ପ୍ରଶଂସାର ପ୍ରିୟପାତ୍ର ହୋଇପାରିଛନ୍ତି ଭୁବନେଶ୍ୱର ଭୀମଟାଙ୍ଗି ନିବାସୀ ଗୋପୀମୋହନ ପଟ୍ଟନାୟକ । ରକ୍ତଦାନକୁ ଜୀବନର ବ୍ରତ ଭାବେ ଗ୍ରହଣ କରି ନିଜର ପ୍ରତିଟି ରକ୍ତବୁନ୍ଦାକୁ ଗରିବ, ଅସହାୟ, ଦୁର୍ଘଟଣାଗ୍ରସ୍ଥ, ଥାଲେସେମିଆ ଶିଶୁଙ୍କୁ ସମର୍ପିତ କରିଦେଇଛନ୍ତି ସେ । ପ୍ରତିବର୍ଷ ପରି ଚଳିତବର୍ଷ ଫେବୃୟାରୀ ୨୧ ତାରିଖରେ ନିଜର ଜନ୍ମଦିନରେ ସାଙ୍ଗ, ସାଥୀ, ବନ୍ଧୁବାନ୍ଧବଙ୍କୁ ଏକାଠି କରି ୬୫ତମ ଜନ୍ମଦିନ ପାଳନ କରିଛନ୍ତି । ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ପରିସର ମଧ୍ୟରେ ଥିବା ରକ୍ତଭଣ୍ଡାର ପରିସର ମଧ୍ୟରେ ଏହି ଅବସରରେ ନିଜେ ୧୬୫ଥର ପାଇଁ ରକ୍ତଦାନ କରିଥିଲେ । ଯୁବ ସମାଜ ପାଇଁ ଧାଡ଼ିଏ ବାର୍ତ୍ତା ସେ ମଧ୍ୟ ଦେଇଥିଲେ । ବାର୍ତ୍ତାଟି ଥିଲା ଡୋନେଟ୍ ବ୍ଲଡ୍‌, ବି ଏ ହିରୋ । ସେଞ୍ଚୁରିୟାନ ବ୍ଲଡ ଡ଼ୋନର ଭାବେ ଦେଶରେ ସେ ବେଶ୍ ଜଣାଶୁଣା । ଅଦ୍ୟାବଧି ୧୯ଥର ପ୍ଲେଟ୍‌ଲେଟ୍ ସେ ଦାନ କରିସାରିଲେଣି । ବିଭିନ୍ନ ଘଡ଼ିସନ୍ଧି ମୁହୂର୍ତ୍ତରେ ରକ୍ତ ଭଣ୍ଡାରରେ ଉପୁଜୁଥିବା ରକ୍ତର ଅଭାବକୁ ବିଭିନ୍ନ ପରିସ୍ଥିତିକୁ ସାମ୍ନା କରି ପୂରଣ କରିବା ସହ ଆଜି ପର୍ଯ୍ୟନ୍ତ ୨ହଜାରରୁ ଉର୍ଦ୍ଧ୍ୱ ରକ୍ତଦାନ ଶିବିର ସେ ଆୟୋଜନ କରିସାରିଲେଣି । ନିରାଡ଼ମ୍ବର ରୂପେ ଆୟୋଜିତ ଏହି ଜନ୍ମଦିନ ଉତ୍ସବରେ ଧର୍ମପତ୍ନୀ ଆଶାଲତା ପଟ୍ଟନାୟକଙ୍କ ସମେତ ରକ୍ତଭଣ୍ଡାରର ନିର୍ଦ୍ଦେଶକ ଡା. ଦେବାଶିଷ ମିଶ୍ର, ସାମାଜିକ କର୍ମୀ ସୁଶାନ୍ତ ସାହୁ, ବାଳକୃଷ୍ଣ ରାଉତ, ଶକ୍ତିରଞ୍ଜନ ଦାଶ, ବସନ୍ତ କୁମାର ସାମଲ, ନିରଞ୍ଜନ ପଟ୍ଟନାୟକ, ଗୁନୁ ଆଚାର୍ଯ୍ୟ, କ୍ଷେତ୍ରମୋହନ ପଟ୍ଟନାୟକ, ସନ୍ତୋଷ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହି ଗୋପୀମୋହନଙ୍କୁ ଶୁଭେଚ୍ଛା ଜଣାଇବା ସହ ଈଶ୍ୱର ତାଙ୍କୁ ଏହିଭଳି ଶକ୍ତି ଦିଅନ୍ତୁ ଓ ଦୀର୍ଘାୟୁ କରି ରଖିଥାନ୍ତୁ ବୋଲି ଉପସ୍ଥିତ ଥିବା ଅତିଥିମାନେ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ