ନିଆରା ପ୍ରତିଯୋଗିତା “ପନଜତ୍ ପିନାଙ୍ଗ’
ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଭିନ୍ନ ଭିନ୍ନ ପ୍ରଥା ପରମ୍ପରା ପ୍ରଚଳିତ ହୋଇଆସୁଛି । ସେହିଭଳି ବିଭିନ୍ନ ଅବସରରେ ନିଆରା ପ୍ରତିଯୋଗିତାମାନ ମଧ୍ୟ ଅନୁଷ୍ଠିତ ହୋଇଥାଏ । ତେବେ ଇଣ୍ଡୋନେସିଆରେ ସ୍ୱତନ୍ତ୍ରତା ଦିବସ ଅବସରରେ ପ୍ରତ୍ୟେକ ବର୍ଷ ଅଗଷ୍ଟ ମାସରେ ସେଠାକାର ଅଧିବାସୀଙ୍କ ମଧ୍ୟରେ ଏକ ମଜାଦାର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥାଏ । “ପନଜତ୍ ପିନାଙ୍ଗ’ ନାମରେ ପ୍ରସିଦ୍ଧ ଏହି ପ୍ରତିଯୋଗିତାରେ ପ୍ରତିଯୋଗୀଙ୍କୁ ଖସଡା ଖମ୍ବ ଉପରେ ଚଢିବାକୁ ହୋଇଥାଏ । ଏହି ପ୍ରତିଯୋଗିତା ଅନୁଯାୟୀ ପ୍ରତିଯୋଗୀଙ୍କୁ ବିଭିନ୍ନ ଦଳରେ ଭାଗ କରାଯାଇଥାଏ । ପ୍ରତ୍ୟେକ ଦଳକୁ ମାଟିରେ ପୋତାଯାଇଥିବା କାଠର ଖମ୍ବ ଉପରେ ଚଢି ଖମ୍ବ ଉପରେ ରଖାଯାଇଥିବା ବିଭିନ୍ନ ଉପହାର ପର୍ଯ୍ୟନ୍ତ ପହଞ୍ôଚବାକୁ ହୋଇଥାଏ । ଯେଉଁ ଦଳ ଖୁବ୍ କମ୍ ସମୟରେ ଖମ୍ବ ଉପରେ ଥିବା ଉପହାର ପର୍ଯ୍ୟନ୍ତ ଚଢ଼ିବେ ତାଙ୍କୁ ସେହି ଉପହାର ପୁରସ୍କାର ସ୍ୱରୂପ ଦିଆଯାଇଥାଏ । ସୁଉଚ୍ଚ କାଠ ଖମ୍ବଗୁଡିକୁ ପୂର୍ବରୁ ମସୃଣ କରାଯାଇଥାଏ ଯେଉଁଥିରେ ଚଢ଼ିବା ପାଇଁ ଖୁବ୍ କଷ୍ଟ କରିବାକୁ ପଡିଥାଏ । ଦଳର ପ୍ରତିଯୋଗୀମାନେ ପରସ୍ପରକୁ ସାହାଯ୍ୟ କରିଥାନ୍ତି ଖମ୍ବ ଉପରେ ଚଢ଼ିବା ପାଇଁ । ଏହି କୌତୁହଳପୂର୍ଣ୍ଣ ପ୍ରତିଯୋଗିତା ଦେଖିବା ପାଇଁ ପ୍ରତିବର୍ଷ ହଜାର ହଜାର ସଂଖ୍ୟାରେ ଦେଖଣାହାରୀ ସେଠାରେ ଏକତ୍ରିତ ହୋଇଥାନ୍ତି ।


