ନିଆରା ବିବାହ: ବ୍ଲାଙ୍କେଟ୍କୁ ବିବାହ କରିଛନ୍ତି ପାସକଲ୍ ସୋଲିକ
କୁହନ୍ତି, ଯୋଡି ଉପରବାଲା ବନେଇଥାନ୍ତି । କିନ୍ତୁ ନିକଟରେ ଘଟିଥିବା ଏକ ଘଟଣା ଏହି ଲୋକକଥା ଉପରୁ ସମ୍ପୂର୍ଣ୍ଣ ବିଶ୍ୱାସ ଉଠେଇଦେଇଛି । ଇଂଲଣ୍ଡର ଡେବୋନ ସହରରେ ବାସ କରୁଥିବା ପାସକଲ ସୋଲିକ ନାମକ ଜଣେ ମହିଳା କୌଣସି ପୁରୁଷଙ୍କୁ ନୁହେଁ, ବରଂ ବିବାହ କରିଛନ୍ତି ଘୋଡ଼େଇ ହୋଇ ଶୋଉଥିବା ନିଜ ବ୍ଲାଙ୍କେଟକୁ । “ଡୁଭେଟ’ ନାମକ ଏହି ମୋଟା ନରମଯୁକ୍ତ ରେଜେଇକୁ ୪୯ ବର୍ଷ ବୟସ୍କା ପାସକଲ ଖୁବ୍ ଭଲ ପାଆନ୍ତି । ଯୁଆଡେ ବି ଯା’ନ୍ତି ସେ ଏହି ରେଜେଇକୁ ସବୁବେଳେ ସାଥିରେ ନେଇ ବୁଲନ୍ତି । ତେବେ ନିକଟରେ ପାସକଲ ବହୁ ଆଡ଼ମ୍ବର ସହିତ ଏହି ରେଜେଇ ସହ ବିବାହ କରିଛନ୍ତି । କେବଳ ସେତିକି ନୁହେଁ, ଏହି ବିବାହ ସକାଶେ ସେ ନିମନ୍ତ୍ରଣ ପତ୍ର ବାଣ୍ଟି ନିଜ ବନ୍ଧୁ ପରିଜନଙ୍କୁ ନିମନ୍ତ୍ରଣ କରିଥିଲେ । ନିମନ୍ତ୍ରିତ ଅତିଥିମାନେ ଏକ ସ୍ୱତନ୍ତ୍ର ଡ୍ରେସ୍କୋଡ୍ ପରିଧାନ କରି ଏହି ନିଆରା ବିବାହରେ ଯୋଗ ଦେଇଥିଲେ । ନାଚ, ଗୀତ ସାଙ୍ଗକୁ ସୁସ୍ୱାଦୁ ଖାଦ୍ୟର ମଧ୍ୟ ଆୟୋଜନ ହୋଇଥିଲା । ତେବେ ଏହି ବିବାହ ସମ୍ପର୍କରେ ପାସକଲ କୁହନ୍ତି, ସେ କେବେ ବି ନିଜ ବ୍ଲାଙ୍କେଟଠାରୁ ଦୂରରେ ରହିବାକୁ ଚାହୁଁ ନ ଥିଲେ ତେଣୁ ସେ ନିଷ୍ପତ୍ତି ନେଲେ “ଡୁଭେଟ’ ସହ ବିବାହ କରି ତା’କୁ ସବୁଦିନ ପାଇଁ ନିଜ ପାଖରେ ରଖିବା ପାଇଁ ।