ନିଆରା ସାନ୍ତାଳ ପର୍ବପର୍ବାଣି

ଦଶରଥ ହେମ୍ବ୍ରମ୍‌
ସାନ୍ତାଳ ସଭ୍ୟତା ଆରମ୍ଭରୁ ସାନ୍ତାଳୀ କଳା, ସଂସ୍କୃତି, ସାହିତ୍ୟ, ବୀରତ୍ୱ, ସାହସିକତା ଓ ଆଧ୍ୟାତ୍ମିକତା କ୍ଷେତ୍ରରେ ନିଜର ସ୍ୱତନ୍ତ୍ରତା ପ୍ରଦର୍ଶନ କରି ଆସିଅଛି । ଏହି ସ୍ୱତନ୍ତ୍ରତା ମଧ୍ୟରେ ତା’ର ପର୍ବପର୍ବାଣି ପାଳନ କ୍ଷେତ୍ରରେ ପରିଲକ୍ଷିତ ହୁଏ, ଏକ ଜାତିର ଜାତୀୟ ଜୀବନ ପ୍ରତିବିମ୍ବ । ତେବେ ବାର ମାସରେ ପାଳିତ ତେର ପର୍ବ ମୂଳରେ କିଛି ନା କିଛି ଉଦ୍ଦେଶ୍ୟ ନିଶ୍ଚିତ ରହିଛି, ଯେଉଁଥିପାଇଁ ମଣିଷ ବ୍ୟସ୍ତ ବହୁଳ ଭିତରେ ଥାଇ ମଧ୍ୟ ଆଗ୍ରହ ସହକାରେ ପର୍ବପର୍ବାଣି ପାଳନ କରିଥାଏ । ପ୍ରକୃତି, ଇଶ୍ୱର ମଣିଷର ଜୀବନକୁ ଗଭୀର ଭାବରେ ପ୍ରଭାବିତ କରିଥାଏ । ଫଳତଃ, ଧାର୍ମିକ ଭାବନାର ଉଦ୍ରେକ, ଦେବ ମହିମା ପ୍ରଖ୍ୟାପନ, ଭାଗବତ କୃପା ଲାଭ ନିମିତ୍ତ ଜନସାଧାରଣ ପର୍ବ ପାଳନ କରିଥାନ୍ତି । ଏଭଳି ପବିତ୍ର ତିଥିରେ ‘ମାରାଂବୁରୁ’ ହେଉଛନ୍ତି ସାନ୍ତାଳମାନଙ୍କର ବଡ଼ ଠାକୁର । ସେମାନଙ୍କର ବିଶ୍ୱାସ ଯେ, ମାରାଂବୁରୁ ହେଉଛନ୍ତି ଜୀବନଦାତା, ବର୍ଷାଦାତା ଓ ଶସ୍ୟଦାତା । ବଡ଼ ଠାକୁର ମାରାଂବୁରୁ ଅସନ୍ତୁଷ୍ଟ ହେଲେ ମଣିଷ ସହିତ ଗୃହପାଳିତ ପଶୁ ତଥା ଗ୍ରାମର ଅନେକ କିଛି କ୍ଷତି ଘଟିଥାଏ । ତେଣୁ ତାଙ୍କ ଉଦ୍ଦେଶ୍ୟରେ ବିଭିନ୍ନ ପର୍ବପର୍ବାଣି ପାଳନ କରି ମାରାଂବୁରୁଙ୍କୁ ସନ୍ତୁଷ୍ଟ କରିଥାନ୍ତି । ତାଙ୍କୁ କେନ୍ଦ୍ରକରି ବର୍ଷକରେ ଅନେକ ପର୍ବ ପାଳନ ହୋଇଥାଏ । କିନ୍ତୁ ଏଥିରୁ ଅଧିକାଂଶ ପର୍ବପର୍ବାଣି କୃଷି ସହିତ ସମ୍ପର୍କିତ । ଏହାରି ମାଧ୍ୟମରେ ଲୋକମାନଙ୍କ ମଧ୍ୟରେ ଭାତୃତ୍ୱ, ସ୍ନେହ, ସମ୍ପର୍କ, ପ୍ରେମ ଓ ଆଧ୍ୟାତ୍ମିକ ଭାବନା ଜାଗ୍ରତ ହେବା ସହିତ ଏକତା ବଜାୟ ରଖିବାପାଇଁ ସମାଜକୁ ଦିଏ ମହତ୍ ଶିକ୍ଷା । ଜଞ୍ଜାଳଗ୍ରସ୍ତ ଜୀବନକୁ ସରସ, ସୁନ୍ଦର ଓ ଶାନ୍ତିପ୍ରଦ କରିବାରେ ପର୍ବପର୍ବାଣିର ପ୍ରଭାବକୁ ଏଡ଼େଇ ଦେଇ ହବନି । ନୈତିକ ଜୀବନଯାପନ ଓ ଚରିତ୍ର ଗଠନ ନିମିତ୍ତ ପର୍ବପର୍ବାଣିରୁ ମିଳେ ଅନେକ ପ୍ରେରଣା । ସାମାଜିକ ଜୀବନରେ ସୁସ୍ଥ ବାତାବରଣ ପ୍ରବାହିତ ହେବା ସହିତ ମାନସିକ ଭାରସାମ୍ୟ ମଧ୍ୟ ଅକ୍ଷୁର୍ଣ୍ଣ ରହେ । ପ୍ରତ୍ୟେକ ସାନ୍ତାଳ ହେଉଛନ୍ତି କୃଷିଜୀବୀ ଏବଂ ଧର୍ମବିଶ୍ୱାସୀ । ଭଲ ଫସଲ ହେବାଠାରୁ ଆରମ୍ଭ କରି ଫସଲକୁ ସାଇତି ରଖିବା ଯାଏଁ ବିଭିନ୍ନ ପର୍ଯ୍ୟାୟରେ ସାନ୍ତାଳ ଦେବାଦେବୀମାନଙ୍କୁ ସାମୂହିକ ଭାବରେ ପୂଜାର୍ଚ୍ଚନା କରାଯାଏ । ତେଣୁ ପର୍ବପର୍ବାଣି କ୍ଷେତ୍ରରେ ଧର୍ମ ଓ କୃଷି ଏହି ଦୁଇଟି ଧାରା ମୁଖ୍ୟ ଭାବରେ ଦେଖିବାକୁ ମିଳେ । ଏହି ଅବସରରେ ସାନ୍ତାଳ ଲୋକମାନେ ସ୍ୱତନ୍ତ୍ର ହାଣ୍ଡିଆ ପ୍ରସ୍ତୁତ କରିଥାନ୍ତି । ଗୃହ ପିତୃପୁରୁଷଙ୍କୁ ହାଣ୍ଡିଆ ଅର୍ପଣ କରୁଥିବା ବେଳେ ପୂଜାପର୍ବ ନିମିତ୍ତ ବଳି ପଡ଼ିଥାଏ । ଏଭଳି ପ୍ରଥା ସାନ୍ତାଳ ସମାଜରେ ଅନେକ ବର୍ଷରୁ ପ୍ରଚଳିତ ହୋଇଆସୁଅଛି । ତେବେ ପାଳିତ ହେଉଥିବା ପର୍ବପର୍ବାଣି ମଧ୍ୟରୁ ମାଗ୍ ସିମ୍‌, ଏରଃ ସିମ୍‌, ହାରିୟାଳ ସିମ୍‌, ଏଳି ଗୁନ୍ଦଲୀ ନାୱାୟ, ଯାନ୍ତାଳ୍‌, ସହରାୟ, ସାକ୍ରାତ୍‌, ବାହା, ଆବ୍ ଗେ ବଙ୍ଗା, ସୀମା ବଙ୍ଗା, ଜମ୍ ସିମ୍‌, ମାଃମଣେ, କୁଟାମ୍ ଡାଙ୍ଗରା, କାରାମ୍‌, ଦାସାୟଂ ଆଦି ପୂଜାପର୍ବ ସାନ୍ତାଳମାନେ ବିଭିନ୍ନ ସମୟରେ ପାଳନ କରି ଜୀବନକୁ ଆନନ୍ଦରେ ଅତିବାହିତ କରିଥାନ୍ତି ।
ସାନ୍ତାଳ ନୂତନ ବର୍ଷ (ନାୱା ସେର୍ମା) ଆରମ୍ଭ ହୁଏ ମାଘ ମାସରୁ । ପୌଷମାସରେ ମୁଖ୍ୟ କୃଷି ଧାନ କଟା ସରିଲା ପରେ ବର୍ଷର ପରିସମାପ୍ତି ଘଟେ ଏବଂ ମାଘ ମାସରୁ ପର୍ବ ଆରମ୍ଭ ହୁଏ । ତେଣୁ ସାନ୍ତାଳମାନଙ୍କ ପ୍ରଥମ ମାସର ପ୍ରଥମ ପର୍ବ ହେଉଛି ‘ମାଗ୍ ସିମ୍‌’ । ଗ୍ରାମ ବ୍ୟବସ୍ଥାରେ ଥିବା ମାଝୀମାପାଞ୍ଜୀମାନଙ୍କର ନିର୍ବାଚନ ହୁଏ, ଆଇନ କାନୁନ ନୂଆ ତିଆରି ହୁଏ, ଦେହୁରୀ ସମେତ କୁମ୍ଭାର, କମାର, ମାହାରା, ତନ୍ତି, ଧାଈ ବୁଢୀ, ଗୌଡ଼, ମାହାଲିମାନଙ୍କୁ ସର୍ବସମ୍ମତିକ୍ରମେ ବଛା ଯାଇଥାଏ । ଏହି ପର୍ବଟି ଗ୍ରାମ ଅନୁଷ୍ଠାନ ଦୃଷ୍ଟିରୁ ପ୍ରଥମ ପର୍ବ ହୋଇଥିବା ସ୍ଥଳେ ‘ସାକ୍ରାତ୍‌’ ପର୍ବ ସାନ୍ତାଳମାନଙ୍କ ଆନନ୍ଦ ଉଲ୍ଲାସର ପର୍ବ । ଏହି ପର୍ବରେ କୌଣସି ପୂଜାପାଠର ଆୟୋଜନ ନଥାଏ, ଏହା ପୌଷ ମାସରେ ପାଳନ କରିଥାନ୍ତି । ମୁଖ୍ୟ ଚାଷ ଧାନକୁ ସାଇତି ରଖିବା ପରେ ତିନି ଦିନ ଧରି ଏହି ପର୍ବ ଗ୍ରାମରେ ଚାଲିଥାଏ । ସାକ୍ରାତ୍ ପର୍ବର ପ୍ରଥମ ଦିନ ବାଉଣ୍ଡୀ (ସାନ୍ତାଳୀରେ ଚାଉଣ୍ଡୀ) ହେଉଥିବା ବେଳେ ତୃତୀୟ ଦିନରେ ‘ଗାଳି ଆସେନ’ ପର୍ବ ଅନୁଷ୍ଠିତ ହୁଏ । ଗାଳି ଆସେନର ପର ଦିନ ସାନ୍ତାଳମାନେ ଅସ୍ଥି ବିସର୍ଜନ କରିବାର ପରମ୍ପରା ରହିଛି । ଏହା ପରେପରେ ଫଗୁଣ ମାସରେ ‘ବାହା ପାରାବ୍‌’ ପାଳନ ହୁଏ, ଏହା ସାନ୍ତାଳମାଙ୍କର ଦ୍ୱିତୀୟ ମୁଖ୍ୟ ପର୍ବ । ପ୍ରକୃତିର ଉପହାର ଫୁଲଫଳକୁ ଖାଇବା ପ୍ରକ୍ରିୟା ଆରମ୍ଭ ପୂର୍ବରୁ ଏବଂ ବିବାହଯୋଗ୍ୟ ଯୁବକ ଯୁବତୀଙ୍କର ବିବାହ କାର୍ଯ୍ୟ ସମ୍ପନ୍ନ କରିବା ପାଇଁ ଚାରିଦିନ ଧରି ଏହି ପର୍ବ ପାଳନ କରାଯାଇଥାଏ । ବାହା ପୂଜାର ପ୍ରଥମ ଦିବସରେ ‘ବଙ୍ଗାଉମ୍‌’(ଦେବସ୍ନାନ), ତୃତୀୟ ଦିବସରେ ‘ଆଃରାଳା’ ଏବଂ ଚତୁର୍ଥରେ ‘ପାଣିପର୍ବ’ ପାଳନ ହୋଇଥାଏ । ଏହା ପରେପରେ ଚୈତ୍ର ଏବଂ ବୈଶାଖ ମାସ ଧରାପୃଷ୍ଠରେ ଅବତରଣ କରେ, ଟାଣ ଖରାକୁ ଝାଞ୍ଜି ପବନ ବହିବା ସହିତ ଅଦିନିଆ ଝଡ଼ ଆସିଥାଏ, ଚାଷୀମାନେ ଚାଷଜମିକୁ ହଳ କରେ କିନ୍ତୁ ବିହନ ବୁଣି ନଥାନ୍ତି । ଯେତେ ପର୍ଯ୍ୟନ୍ତ ଏରଃ ସିମ୍ ପୂଜା ଗ୍ରାମ ଦେବତାଙ୍କ ଉଦ୍ଦେଶ୍ୟରେ ପୂଜା ନ ହୋଇଛି, ସେ ପର୍ଯ୍ୟନ୍ତ କେହି ଜମିରେ ବିହନ ବୁଣି ପାରିବେ ନାହିଁ । ତେଣୁ ବିହନ ବୁଣା ପର୍ବ ହିଁ ‘ଏରଃ ସିମ୍‌’ ପୂଜା କୁହାଯାଏ । ଏରଃ ଅର୍ଥ ବୁଣିବା ଏବଂ ସିମ୍ ହେଉଛି କୁକୁଡ଼ା । ଭଲ ବର୍ଷା ଏବଂ ଗୋଟିଏ ଜାଗାରେ ବିହନ ପଡ଼ି ଦଶବାର ଜାଗାରେ ଅଙ୍କୁରିତ ହେବା ଉଦ୍ଦେଶ୍ୟରେ ମାରାଂବୁରୁ, ଜାହେର ଆୟୋ, ମଣେକୋ-ତୁରୁୟକୋ, ସୀମାଶାଳେ ଦେବାଦେବୀଙ୍କ ନିକଟରେ ଗୁହାରି କରିଥାନ୍ତି । ଆଷାଢ଼ ମାସ ବେଳକୁ ବୁଣା ହୋଇଥିବା ବିହନ ସବୁ ବେଉଷଣ ହୋଇଥାଏ । ଏରଃ ସିମ୍ ଭଳି ଆଷାଳିୟା ସିମ୍ ପୂଜା ଯେ ପର୍ଯ୍ୟନ୍ତ ପୂଜା କରାଯାଇ ନାହିଁ ସେ ପର୍ଯ୍ୟନ୍ତ ବୁଣା ଧାନ ବେଉଷଣ କରିବା ମନା ହୋଇଥାଏ । ଧାନରେ ବିଷାକ୍ତ କୀଟ, ସାପ, ସରୀସୃପମାନେ ଯେପରି କୃଷିକର୍ମରେ କୌଣସି ହାନି ନ କରିବେ ଏବଂ ଭଲ ବର୍ଷା ଉଦ୍ଦେଶ୍ୟରେ ‘ଆଷାଳିୟା’ ପୂଜା କରାଯାଇଥାଏ । ଶ୍ରାବଣମାସର ଆଗମନ ହେବାପରେ ଶ୍ରାବଣ ପୂର୍ଣ୍ଣିମାରେ ସାନ୍ତାଳମାନେ ‘କାରାମ୍‌’ ପୂଜା ପାଳନ କରିଥାନ୍ତି । ଏହି ପୂଜାରେ କୌଣସି ବଳି ପଡ଼େ ନାହିଁ, କାରାମ୍ ଗୋସାଇଁଙ୍କୁ କେବଳ କ୍ଷୀର ଓ ହାଣ୍ଡିଆ ରସି ଅର୍ପଣ କରାଯାଏ । ସମସ୍ତ ଉପସ୍ଥିତ ଆମନ୍ତ୍ରିତ ଅତିଥିମାନଙ୍କୁ ଖାଇବାକୁ ଦିଆଯାଏ । ଏହା ସହିତ ଗହ୍ମାପୂର୍ଣ୍ଣିମା ମଧ୍ୟ ସାନ୍ତାଳମାନେ ଆଡ଼ମ୍ବର ସହକାରେ ପାଳନ କରିଥାନ୍ତି । ଅଣ-ସାନ୍ତାଳମାନଙ୍କର ଏହି ଦିନରେ ଭାଇ ଭଉଣୀଙ୍କର ଅନାବିଳ ସ୍ନେହର ପ୍ରତିରୂପକ ‘ରକ୍ଷାବନ୍ଧନ’ ଉତ୍ସବ ପାଳିତ ହେଉଥିବା ବେଳେ ସାନ୍ତାଳ ଭାଇ-ଭଉଣୀଙ୍କର ଏହି ଦିନରେ ବିଲରେ କାମ କରୁଥିବା ବେଳେ ସାପ ହୋଇଥିଲେ, ଏହାଥିଲା ସାନ୍ତାଳଙ୍କ ଅଭିଶାପ ପର୍ବ କିମ୍ବା କାଳ ଦିବସ । କିନ୍ତୁ ଲଙ୍ଗଳ, ଜୁଆଳି ଧୋଇଦେଇ ପୂଜା କରାଯିବା ସହିତ ଗାଈଗୋରୁଙ୍କୁ ପୂଜା କରିବାର ବିଧି ରହିଛି । ଏହିପରି ଭାଦ୍ରବ ମାସରେ ‘ଏଳୀ ଗୁନ୍ଦଲୀ ନାୱାୟ’ ପୂଜା କରିବା ଆରମ୍ଭ ହୁଏ । ଗ୍ରାମର ନାଏକେ ଗାଧେୟ ଗୁନ୍ଦଲୀ କିଆରିକୁ ଯା’ନ୍ତି । ସେଠୁ କିଛି ଗୁନ୍ଦଲୀ କେଣ୍ଡା କାଟି ଆଣି ଜାହିରା ପୀଠକୁ ନେଇଆସନ୍ତି । ଠାକୁରଙ୍କ ନିକଟରେ ଗୁନ୍ଦଲୀ ସହିତ କ୍ଷୀର ଅର୍ପଣ କରାଯାଏ । କିନ୍ତୁ କୌଣସି ବଳି ପଡ଼େ ନାହିଁ । ତା’ପରେ ପରେ ଦାସାଇଁ ପର୍ବସମ୍ଭାରରେ ଆଶ୍ୱିନ ହସେ ଓ ହସାଏ । ସାନ୍ତାଳମାନଙ୍କର ଧର୍ମୀୟ ଦାସାଇଁ ବଙ୍ଗା ପାଳନ ହୁଏ, ମନ୍ତ୍ର ବିଦ୍ୟା କରିବାର ପରମ୍ପରା ନିହିତ । କୁଶକ୍ତିଠାରୁ ଗ୍ରାମ ତଥା ଗ୍ରାମବାସୀଙ୍କୁ ସୁରକ୍ଷା ଦେବା ଏବଂ ଔଷଧପତ୍ର ଦେଇ ରୋଗ ନିବାରଣ କରିବା ପାଇଁ ବିଦ୍ୟାଶିକ୍ଷା କରିବା ପ୍ରକ୍ରିୟା କେଉଁ ଆବହମାନ କାଳରୁ ସାନ୍ତାଳ ସମାଜରେ ପ୍ରଚଳିତ ଅଛି । ତାହା ଏହି ଦିନରେ ଗୀତ ଏବଂ ନାଚ ମାଧ୍ୟମରେ ବର୍ଣ୍ଣନା କରାଯାଇଥାଏ । ଏହି ମାସରେ ହିଁ ଗର୍ଭଣା ସଙ୍କ୍ରାନ୍ତିରେ ଧାନକ୍ଷେତରେ ପୂଜାର୍ଚ୍ଚନା ପୂର୍ବକ କୃଷକମାନେ ବଣରୁ ଔଷଧୀୟ ଡାଳ ଆଣି ଧାନ କିଆରିରେ ପୋତିଦିଅନ୍ତି । କନ୍ଦାମୂଳ ସହିତ ବାର ପ୍ରକାର ଶାଗ ତରକାରୀ କରି ଏହି ଦିନରେ ସାନ୍ତାଳମାନେ ଖାଆନ୍ତି । ବିଶ୍ୱାସ ରହିଛି ଯେ, ଏସବୁ ଖାଇଲେ ଦେହରେ କୌଣସି ରୋଗ ହେବନାହିଁ । ଏହା ପୂର୍ବରୁ ପଡୁଥିବା ଚିତାଉ ଆମାବାସ୍ୟାକୁ ସାନ୍ତାଳମାନେ ‘ଚିତାମ’ ପର୍ବ ବୋଲି କହିଥାନ୍ତି, ଯଦି ବି ଏହି ପର୍ବରେ ସାନ୍ତାଳମାନଙ୍କ କୌଣସି ରୀତିନୀତି ଅନୁସାରେ ପୂଜା କରିବାର ବିଧି ନାହିଁ ତଥାପି ଏହି ପର୍ବ ପାଳନ କରିଥାନ୍ତି । ଧର୍ମ ଧାରଣାରେ ମହାନ ମାସ କାର୍ତ୍ତିକ । କାର୍ତ୍ତିକ ଅମାବାସ୍ୟା ତିଥିରେ ଦୀପାବଳୀ ଉତ୍ସବ ହୁଏ । ଏହି ସମୟରେ ସାନ୍ତାଳମାନଙ୍କର ମୁଖ୍ୟ ପର୍ବ ‘ସହରାୟ’ । ଏହା ପିତୃପୁରୁଷ ଓ ଗୃହପାଳିତ ପଶୁଙ୍କ ଉଦ୍ଦେଶ୍ୟରେ ପାଳିତ ହୋଇଥାଏ । ସମସ୍ତେ ସକାଳୁ ଗାଧୋଇ ଲଙ୍ଗଳ, ଜୁଆଳି ସହିତ କୃଷି କାର୍ଯ୍ୟରେ ଲାଗୁଥିବା ସମସ୍ତ ଉପକରଣ ଧୋଇ ପୂଜାରେ ବସନ୍ତି । ଯେହେତୁ କୃଷି ହେଉଛି ସାନ୍ତାଳମାନଙ୍କର ମୁଖ୍ୟ ଜୀବିକା ତେଣୁ ଏହା ସହିତ ଜଡ଼ିତ ସମସ୍ତଙ୍କ ପାଇଁ ଏହି ମୁଖ୍ୟ ପର୍ବ ସମର୍ପିତ । ପାଞ୍ଚଦିନ ଧରି ଏହି ପର୍ବ ପାଳନ ହୁଏ, ଆରମ୍ଭ ହୁଏ ଗାଈ ଗୋଠରୁ । ଦ୍ୱିତୀୟ ଦିନକୁ ‘ସାର୍ଦି ମାହା’ରେ ସମସ୍ତେ ନିଜ ଘରେ ମାରାଂବୁରୁ, ଗୃହଦେବତା ଓ ହାପଳାମକଙ୍କୁ ପୂଜା କରିଥାନ୍ତି । ତୃତୀୟ ଦିନଟିକୁ ‘ଖୁଣ୍ଟାଉ ମାହା’ରେ ବଳଦ କିମ୍ବା ପୋଢ଼କୁ ବାନ୍ଧି ନଚାଇଥାନ୍ତି । ଚତୁର୍ଥ ଦିନକୁ ‘ଯାଜଲେ ମାହା’ରେ ଯୁବକମାନେ ସକାଳୁ ପୂର୍ବ ଦିନ ପୋତା ଯାଇଥିବା ଖୁଣ୍ଟ ସବୁକୁ ଉଠାଇ ଦିଅନ୍ତି ଏବଂ ସନ୍ଧ୍ୟାବେଳେ ଯୁବକ ଯୁବତୀମାନେ ଏକତ୍ରିତ ହୋଇ ନାଚି ଗାଇ ପ୍ରତ୍ୟେକ ଘରୁ ଚାଉଳ ଓ ପନିପରିବା ସଂଗ୍ରହ କରିଥାନ୍ତି । ତା’ପରେ ରାନ୍ଧି ଭୋଜି ଖାଇ ନୃତ୍ୟଗୀତରେ ରାତି କଟାଇଥାନ୍ତି । ପର୍ବର ପଞ୍ଚମ ଦିନଟି ‘ହାକୁ କାଟକମ’ ମାହା ଅର୍ଥାତ୍ ମାଛ କଙ୍କଡ଼ା ଖାଇବା ଦିନ । ଏହି ଦିନରେ ପୁରୁଷମାନେ ଦଳବଦ୍ଧ ହୋଇ ମାଛ କଙ୍କଡା ଧରିବା ପାଇଁ ବିଲ, ନଦୀ କିମ୍ବା ପୋଖରୀକୁ ଯାଇଥାନ୍ତି । ସାନ୍ତାଳମାନେ ବିଶ୍ୱାସ କରନ୍ତି ଯେ ‘ସହରାୟ’ ଶେଷ ଦିନ ମାଛ କିମ୍ବା କଙ୍କଡ଼ା ଖାଇଲେ ମଣିଷ ଦୀର୍ଘଜୀବୀ ହୋଇଥାଏ । ଏହିପରି ଭାବରେ ସାନ୍ତାଳମାନେ ପାଞ୍ଚଦିନିଆ ସହରାୟ ପର୍ବକୁ ସମାପ୍ତ କରିଥାନ୍ତି । ଏହା ପରେ ଆସେ ମାର୍ଗଶୀର ମାସ । ଏହି ମାସରେ ‘ଯାନ୍ତାଳ’ ପୂଜା ଅନୁଷ୍ଠିତ ହୁଏ । ଜାହିରା ପୀଠରେ ଥିବା ପାରଗାନା ଥାନରେ ବଳି ପଡ଼େ । ଉପ-ନାଏକେ ସାନ୍ତାଳ ବିଧି ଅନୁସାରେ ପୂଜାପାଠ କରିଥା’ନ୍ତି । ଏହାରି ଭିତରେ ଗ୍ରାମର ମୁଖ୍ୟ ପୂଜାରୀ ନୂଆ ଧାନ ଗ୍ରାମ ଦେବାଦେବୀଙ୍କ ପାଖରେ ଅର୍ପଣ କରିଥାନ୍ତି । ତା’ପରେ ଗ୍ରାମର ସମସ୍ତେ ନୂଆ ଖାଇଥା’ନ୍ତି । ଏହି ଅବସରରେ ସାନ୍ତାଳ ଲୋକମାନେ ପାରମ୍ପାରିକ ପୋଷାକ ପରିଧାନ କରି ନୃତ୍ୟ ଓ ଗୀତରେ କିଛି ସମୟ ପାଇଁ ସେମାନେ ପୂଜାପାର୍ବଣରେ ହଜିଯାଆନ୍ତି । ପର୍ବ ଶେଷ ହେଲାପରେ ପୁଣିଥରେ ସେମାନେ ବିଲବାଡ଼ି ଚାଷ କାମରେ ନିଯୋଜିତ ହୁଅନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ