ନିଏ ଚୋରାଇ
ସିଂହଦ୍ବାରେ ରହି
ତୋତେ ମୁଁ ଚାହିଁଛି
ମୋତେ ଦିଏ ଥରେ ଚାହିଁ,
ମୋ ଆଖିରେ ଥରେ
ତୋ ଆଖି ମିଶିଲେ
ସବୁ ଭୁଲିଯିବି ମୁହିଁ ।
ତୋ ଆଖିରେ ଦିଶେ
ଏ ବିଶ୍ବ ବ୍ରହ୍ମାଣ୍ଡ
ଆଦି ଅନ୍ତ ସୀମା ନାହିଁ,
ଯିଏ ସେ ଦେଖିଛି
ଦେଖା ନ ସରୁଛି
ବର୍ଣ୍ଣିବାକୁ ଭାଷା କାହିଁ ।
ଚକା ଚକା ଆଖି
ଚନ୍ଦ୍ର ସୂର୍ଯ୍ୟ ସମ
ଚକା ଚକା ଦିଶୁଥାଇ,
କେବେ ଚନ୍ଦ୍ର ଲୁଚେ
କେବେ ସୂର୍ଯ୍ୟ ଲୁଚେ
ଚକା ଆଖି ନ ଲୁଚଇ ।
ତୋ ଚକା ଆଖିକୁ
ନିଦ ନ ଆସଇ
ଭ୍ରୂଲତା ନ ଥାଉ ବୁଜି,
ସତେ କି ଭ୍ରୂଲତା
ଆମଙ୍କୁ ଦେଇଛୁ
ତୋତେ ଦେଖୁ ଆଖି ବୁଜି ।
ଆଖି ବୁଜି ବୁଜି
ମୋ ଦିନ ସରଇ
ତୋ ଛବି ଦେଖିଲି ନାହିଁ,
ତେଣୁ ସିଂହଦ୍ବାରେ
ତୋତେ ମୁଁ ଚାହିଁଛି
ମୋ ନିଦ ନିଏ ଚୋରାଇ ।
ଗଦାଧର ସାହୁ,
ବ୍ରହ୍ମଗିରି,ପୁରୀ


