‘ନିକମ୍ମା’ର ଫାଷ୍ଟ୍ ଲୁକ୍ ପୋଷ୍ଟର୍ ରିଲିଜ୍
ଫିଲ୍ମ ‘ନିକମ୍ମା’ର ଫାଷ୍ଟ୍ ଲୁକ୍ ପୋଷ୍ଟର ରିଲିଜ୍ ହୋଇଛି । ଏହି ଫିଲ୍ମରେ ଅଭିମନ୍ୟୁ ଦାସାନୀଙ୍କ ସହିତ ନବାଗତା ଅଭିନେତ୍ରୀ ଶର୍ଲି ସେତିୟା ବଲିଉଡରେ ଡେବ୍ୟୁ କରୁଛନ୍ତି । ଡାଇରେକ୍ଟର ଶବୀର ଖାନ୍ଙ୍କ ଫିଲ୍ମ ‘ନିକମ୍ମା’ର ଘୋଷଣା କରିବା ପରଠାରୁ ଏହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ରହିଆସିଛି । ଫିଲ୍ମ ମେକର୍ସଙ୍କ ଦ୍ୱାରା ରିଲିଜ୍ କରାଯାଇଥିବା ପୋଷ୍ଟରରେ ଅଭିମନ୍ୟୁ ଦାସାନୀ ଏବଂ ଶର୍ଲି ସେତିୟା ନଜର ଆସୁଛନ୍ତି । ଶର୍ଲି ଏବଂ ଅଭିମନ୍ୟୁଙ୍କୁ ଏହି ପୋଷ୍ଟରରେ ମସ୍ତି କରୁଥିବା ଦେଖିବାକୁ ମିଳୁଛି । ସୂଚନା ଥାଉ ଯେ, ‘ହିରୋପନ୍ତୀ’ ଏବଂ ‘ବାଗୀ’ ଭଳି ସୁପରହିଟ୍ ମସାଲା ଏଣ୍ଟରଟେନ୍ମେଣ୍ଟ ଫିଲ୍ମଗୁଡ଼ିକର ନିର୍ଦ୍ଦେଶକ ଶବୀରଙ୍କ ଏହି ଫିଲ୍ମଟିର କାହାଣୀ ମଧ୍ୟ ଆକ୍ସନ୍, କମେଡି, ରୋମାନ୍ସରେ ଭରପୁର ରହିଛି । ଏଥିସହିତ ‘ନିକମ୍ମା’ ଫିଲ୍ମ ଜରିଆରେ ଶିଳ୍ପା ଶେଟ୍ଟି ବହୁତ ଦିନ ପରେ ବଲିଉଡକୁ ପୁଣିଥରେ ଫେରୁଛନ୍ତି । ଅପର ପକ୍ଷରେ ବଲିଉଡ ଅଭିନେତ୍ରୀ ଭାଗ୍ୟଶ୍ରୀଙ୍କ ପୁଅ ତଥା ଅଭିନେତା ଅଭିମନ୍ୟୁ ଦାସାନୀ ଫିଲ୍ମ ‘ମର୍ଦ କୋ ଦର୍ଦ ନହିଁ ହୋତା’ ଜରିଆରେ ବଲିଉଡରେ ପ୍ରବେଶ କରିଥିଲେ । ଏହି ଫିଲ୍ମରେ ଅଭିମନ୍ୟୁ ନିଜର ଅଭିନୟ ମାଧ୍ୟମରେ ଲୋକଙ୍କ ଧ୍ୟାନ ଆକର୍ଷଣ କରିବାରେ ସଫଳ ହୋଇଥିଲେ । ଏବେ ସେ ନିଜର କ୍ୟାରିୟରର ଦ୍ୱିତୀୟ ଫିଲ୍ମ ‘ନିକମ୍ମା’ରେ ଅଭିନୟ କରୁଛନ୍ତି।


