ନିଖିଳ ଉତ୍କଳ ଗ୍ରାମୀଣ ଚାଷୀ ମୂଲିଆ ସଙ୍ଘ ପକ୍ଷରୁ ବିଭିନ୍ନ ଦାବୀରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ସଭା ଓ ରାଜ୍ୟପାଳଙ୍କ ଉଦେଶ୍ୟରେ ଦାବୀପତ୍ର ପ୍ରଦାନ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): ଭାରତୀୟ ରାଷ୍ଟ୍ରୀୟ ମଜଦୂର କଂଗ୍ରେସ ସହିତ ଅନୁବନ୍ଧିତ ନିଖିଳ ଉତ୍କଳ ଗ୍ରାମୀନ ଚାଷୀ ମୂଲିଆ ସଙ୍ଘ ପକ୍ଷରୁ ମଙ୍ଗଳବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସଙ୍ଘର ସଭାପତି ଫକିର ଚରଣ ଖଟୁଆଙ୍କ ଅଧ୍ୟକ୍ଷତାରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିରୋଧରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ର ସରକାର ଚାଷୀ ଓ ଶ୍ରମିକମାନଙ୍କ ସ୍ୱାର୍ଥ ବିରୋଧୀ ଆଇନ ପ୍ରଣୟନ କରି ଦେଶ ଓ ଜାତିର ମେରୁଦଣ୍ଡକୁ ଭାଙ୍ଗି ଦେଇଛନ୍ତି । କୃଷିରୁ ଉତ୍ପାଦିତ ଦ୍ରବ୍ୟକୁ ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟ ତାଲିକାରୁ ବାଦ ଦେବା ସହିତ କୃଷକର କଷ୍ଟଲବ୍ଧ ଶସ୍ୟକୁ ସର୍ବନିମ୍ନ ସହାୟକ ମୂଲ୍ୟରେ ବିକ୍ରୀ କରିବାର ସୁଯୋଗରୁ ବଂଚିତ କରି ପୁଞ୍ଜିପତି ବେପାରୀମାନଙ୍କୁ ସେସବୁକୁ ଶାଗମାଛ ଦରରେ କିଣିବାକୁ ସୁବ୍ୟବସ୍ଥା କରି ଚାଷୀର ଭବିଷ୍ୟତକୁ ଅନ୍ଧକାର ମଧ୍ୟଙ୍କୁ ଠେଲି ଦେଇଛନ୍ତି । ଶ୍ରମିକମାନଙ୍କ ଦୈନିକ ମଜୁରୀ ବୃଦ୍ଧି କରିବା ପରିବର୍ତ୍ତେ ଦୈନିକ ଶ୍ରମ ସମୟକୁ ୮ଘଂଟା ବଦଳରେ ୧୨ଘଂଟା କରିଦେଇଛନ୍ତି । କର୍ମଚାରୀମାନଙ୍କ ଗ୍ରାଚ୍ୟୁଇଟି ଓ ପେନସନ ପ୍ରଦାନରେ ପ୍ରତିବନ୍ଧକ ସୃଷ୍ଟିକରି ଶ୍ରମିକମାନଙ୍କ ଦୁର୍ଦ୍ଦଶାକୁ ମାତ୍ରାଧିକ ବୃଦ୍ଧି କରିଛନ୍ତି । ନିର୍ମାଣ ଶ୍ରମିକ ପଞ୍ଜିକରଣ, ଯନ୍ତ୍ରପାତି, ସାଇକେଲ, ପ୍ରସୁତି, ବିବାହ, ମୃତ୍ୟୁ, ଶିକ୍ଷା ଓ ଦୁର୍ଘଟଣା ସହାୟତା ବର୍ଷ ବର୍ଷ ଧରି ପ୍ରଦାନ କରାଯାଉନାହିଁ । ଅନ୍ୟ ରାଜ୍ୟମାନଙ୍କରେ କରୋନା ସହାୟତା ୫ହଜାର ଟଙ୍କା ପ୍ରଦାନ କରାଯାଉଥିବା ବେଳେ ଓଡିଶାରେ ନିର୍ମାଣ ଶ୍ରମିକମାନଙ୍କୁ ସମୁଦ୍ରକୁ ଶଙ୍ଖେ ଭଳି ୧୫ଶହ ଟଙ୍କା ଦିଆଯାଉଛି ଯାହାକି ଅଦ୍ୟାବଧି ପ୍ରାୟ ୬୦ପ୍ରତିଶତ ନିର୍ମାଣ ଶ୍ରମିକଙ୍କୁ ପ୍ରଦାନ କରାଯାଇନାହିଁ । ବିଦେଶ ଓ ବାହାର ରାଜ୍ୟରୁ ଜୀବିକା ହରାଇ ଘରକୁ ଫେରିଥିବା ଶ୍ରମିକମାନଙ୍କୁ କାର୍ଯ୍ୟ ଯୋଗାଇଦେବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି । ଏହିସବୁ ଦୁର୍ଦ୍ଦିନରେ ଗତିକରୁଥିବା ବେଳେ ଲୋକମାନଙ୍କ ଉପରେ ବିଦ୍ୟୁତ ଶୁଳ୍କର ମାତ୍ରାଧିକ ବୃଦ୍ଧି ବେଢି ଉପରେ କରୋଡା ମାଡ ସଦୃଶ ହୋଇଛି । ଏହି ସବୁ ସମସ୍ୟାର ସମାଧାନ ପାଇଁ ସମସ୍ତ ବିରୋଧୀଦଳ,ସାମାଜିକ ଓ କୃଷକ ସଂଗଠନ ଗୁଡିକ ଉଭୟ ସରକାରଙ୍କ ନିକଟରେ ଦାବୀ କରିଛନ୍ତି । କିନ୍ତୁ କେହି କର୍ଣ୍ଣପାତ କରୁନାହାନ୍ତି । ତେଣୁ ଆଇ.ଏନ.ଟି.ୟୁ.ସି.ର ଶ୍ରମିକ ସଂଗଠନ ପକ୍ଷରୁ ଉଭୟ ସରକାରଙ୍କ ପ୍ରଣୀତ ଆଇନ ଓ ନିଷ୍ପତି ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ପୂର୍ବକ ରାଜ୍ୟପାଳଙ୍କ ଉଦେଶ୍ୟରେ ମାନପତ୍ର ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରାଯାଇଛି । ଏହି ବିକ୍ଷୋଭ ପ୍ରଦର୍ଶନ ସମାବେଶରେ ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେଉରା,ଆଇ.ଏନ.ଟି.ୟୁ.ସି. ଜିଲ୍ଲା ସଭାପତି ମୁକ୍ତାର ଖାଁ,ରାଜ୍ୟ କୃଷି ଓ ଗ୍ରାମ୍ୟ ଶ୍ରମିକ ସଙ୍ଘର ଅଧ୍ୟକ୍ଷ ବସନ୍ତ କୁମାର ସେଠୀ,ନିଖିଳ ଉତ୍କଳ ଗ୍ରାମୀଣ ଚାଷୀ ମୂଲିଆ ସଙ୍ଘର ସାଧାରଣ ସମ୍ପାଦକ ବିଧୁଭୂଷଣ ମହାପାତ୍ର,ପ୍ରଫୁଲ୍ଲ କୁମାର ଦାସ,ଆଇ.ଏନ.ଟି.ୟୁ.ସି.ର ସାଧାରଣ ସମ୍ପାଦକ ମହେନ୍ଦ୍ର କୁମାର ପରିଡା,ଶ୍ରମିକନେତ୍ରୀ ମମତା ଦାସ,ମିନତୀ ଦାସ,ବିରଜା ପ୍ରସାଦ ମହାନ୍ତି, ଯୁବ ଆଇ.ଏନ.ଟି.ୟୁ.ସି.ର ଜିଲ୍ଲା ସଭାପତି ରଶ୍ମିରଞ୍ଜନ ଚୈାଧୁରୀ,ଉମେଶ ମହାନ୍ତି,ସୁଖଦାନନ୍ଦ ପ୍ରଧାନ ପ୍ରମୁଖ ଶତାଧିକ କୃଷକ ଓ ଶ୍ରମିକ ଯୋଗଦେଇ ସରକାର ବିରୋଧୀ ସ୍ଳୋଗାନଦେଇ ବକ୍ତବ୍ୟ ରଖିଥିଲେ । ଏହିସବୁ ସମସ୍ୟାର ତୁରନ୍ତ ସମାଧାନ କରାନଗଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ ବୋଲି ସଭାପତି ଶ୍ରୀ ଖଟୁଆ ସତର୍କ କରାଇ ଦେଇଛନ୍ତି । ଶେଷରେ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତ ମାନପତ୍ର ଗ୍ରହଣ କରି ରାଜ୍ୟପାଳଙ୍କ ନିକଟକୁ ପଠାଇଦେବାକୁ ପ୍ରତିଶୃତି ଦେଇଥିଲେ ।