ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ପ୍ରତୀକ ଧାରଣା
ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଆଜି ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୩ ଦଫା ଦାବୀ ନେଇ ପ୍ରତୀକ ଧାରଣା ଦିଆଯାଇଛି । ଆଜି ଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ପ୍ରତ୍ୟେହ ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଏହି ଧାରଣା ଚାଲିବ ବୋଲି ସଂଘ ପକ୍ଷରୁ ସୂଚନା ଦିଆଯାଇଛି । ସଂଘ ପକ୍ଷରୁ ହୋଇଥିବା ଦାବୀ ମଧ୍ୟରେ ସମସ୍ତ କନିଷ୍ଠ ଶିକ୍ଷକ ମାନଙ୍କୁ ନିୟମିତ କରିବା ଓ ୬ଟି ନୋସନାଲ ଇନକ୍ରିମେଣ୍ଟ ପ୍ରଦାନ କରିବା, ଏକ୍ସ କ୍ୟାଡର ବେତନ କଳା ଓ କ୍ରୀଡା ଶିକ୍ଷକ ମାନଙ୍କୁ ନିୟମିିତ ଶିକ୍ଷକର ମାନ୍ୟତା ଦେବା, ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକ ମାନଙ୍କୁ କେନ୍ଦ୍ରୀୟ ହାରରେ ମୂଳବେତନ ଲେବୁଲ-୯ ଗ୍ରେଡ୍ ପେ ୪୨ ଶହ ଅନୁଯାୟୀ ପ୍ରଦାନ କରିବା, ନୂତନ ପେନସନ ଉଚ୍ଛେଦ କରି ପୁରୁଣା ପେନସନ ପ୍ରଦାନ କରିବା ଆଦି ରହିଛି । ଧାରଣାରେ ବ୍ଲକ ସଂଘ ସଂପାଦକ ଧର୍ମେନ୍ଦ୍ର ନାରାୟଣ ଜେନା, ସନାତନ ଦାସ, ନରେନ୍ଦ୍ର ସାହୁ, ସୁଧିର ରାଉତ, ଶୁଭେନ୍ଦୁ ବିଶ୍ୱାଳ, ମଳୟ ନାୟକ, ନିରାକର ଜେନା, ଅନିରୁଦ୍ଧ ମଙ୍ଗଳ, ଶରତ କୁମାର ନାୟକ, ଅଶୋକ ଦାସ, ଶିକ୍ଷୟିତ୍ରୀ ରାଜଶ୍ରୀ ନାୟକ, ମମତା ରାଉତ, ମମତା ଜେନାଙ୍କ ସମେତ ଶତାଧିକ ଶିକ୍ଷକ, ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ ।