ନିଖିଳ ଓଡ଼ିଶା ମଧ୍ୟାହ୍ନ ଭୋଜନ ପାଚିକା-ସହାୟିକା ସଂଘ ପକ୍ଷରୁ ବିକ୍ଷୋଭ ଓ ଦାବିପତ୍ର ପ୍ରଦାନ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ନିଖିଳ ଓଡ଼ିଶା ମଧ୍ୟାହ୍ନ ଭୋଜନ ପାଚିକା-ସହାୟିକା ସଂଘ କେନ୍ଦ୍ରାପଡା ଜିଲ୍ଲା କମିଟି ପକ୍ଷରୁ କେନ୍ଦ୍ରାପଡା ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ପୂର୍ବକ ବିଭିନ୍ନ ଦାବିନେଇ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ୧୩ଦଫା ସମ୍ବଳିତ ଦାବିପତ୍ର ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ପ୍ରଦାନ କରାଯାଇଛି । ସେହି ଦାବିପତ୍ରରେ ଉଲ୍ଲେଖ ରହିଛି ଯେ ସ୍କୁଲମାନଙ୍କରେ ଛାତ୍ର ଉପସ୍ଥାନ ବୃଦ୍ଧି ସହିତ ପିଲାମାନଙ୍କ ସ୍ୱାସ୍ଥ୍ୟ ରକ୍ଷାପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାମାନଙ୍କପାଇଁ ସ୍କୁଲ ଗୁଡିକରେ ମଧ୍ୟାହ୍ନ ଭୋଜନ ଯୋଜନାର ପ୍ରଚଳନ କରିଥିଲେ । ଛାତ୍ରଛାତ୍ରୀଙ୍କ ସଂଖ୍ୟାନୁଯାୟୀ ସ୍କୁଲରେ ପାଚିକା ଓ ସହାୟିକାଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଥିଲା । ମାତ୍ର ସେମାନଙ୍କ କାର୍ଯ୍ୟ ଅନୁଯାୟୀ ପାରିଶ୍ରମିକ ପ୍ରଦାନ କରାଗଲାନାହିଁ । ଆଜିର ଦରଦାମ ବୃଦ୍ଧି ସମୟରେ ପ୍ରତ୍ୟେହ ସକାଳ ୯ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ସ୍କୁଲରେ ନିଷ୍ଠାର ସହ କାମକରି ଦେଶର ଭବିଷ୍ୟତମାନଙ୍କୁ ଗଠନ କରୁଥିବା ପାଚିକାମାନଙ୍କୁ ମାସିକ ମାତ୍ର ୧୪ଶହ ଟଙ୍କା ଦିଆଯାଉଥିବାବେଳେ ବର୍ଷକରେ ୨ମାସର ପ୍ରାପ୍ୟ ମିଳେନାହିଁ । କରୋନା ମହାମାରୀ ସମୟରେ ସେମାନଙ୍କୁ ସହାୟତା ମଧ୍ୟ ଦିଆଗଲା ନାହିଁ । ତେଣୁ ସଙ୍ଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ପୂର୍ବକ ଦାବିପତ୍ର ପ୍ରଦାନ କରାଯାଇଛି । ସେହି ଦାବିଗୁଡିକ ମଧ୍ୟରେ ମାସିକ ପାରିଶ୍ରମିକ ତୁରନ୍ତ ବୃଦ୍ଧି, ବକେୟା ଅର୍ଥ ପ୍ରଦାନ, ବର୍ଷକୁ ୧୨ମାସର ପାରିଶ୍ରମିକ ପ୍ରଦାନ, କାମ କରିପାରୁଥିବା ପାଚିକା ଓ ସହାୟିକାଙ୍କୁ ବିଦା କରାନଯିବା, ସର୍ବନିମ୍ନ ପେନସନ ପ୍ରଦାନ, ସ୍କୁଲ ମିଶ୍ରଣରେ ବାଦ ପଡିଥିବା ପାଚିକାମାନଙ୍କୁ ନିକଟସ୍ଥ ସ୍କୁଲରେ ନିଯୁକ୍ତି, ଶାଢୀ ପାଇଁ ପ୍ରତିବର୍ଷ ଏକ ହଜାର ଟଙ୍କା ପ୍ରଦାନ, ସର୍ବନିମ୍ନ ୨ଜଣଙ୍କ ସହିତ ପ୍ରତି ୨୫ଜଣ ଛାତ୍ରରେ ଜଣେ ପାଚିକାଙ୍କୁ ନିଯୁକ୍ତି, ଦେହ ଅସୁସ୍ଥହେଲେ ଛୁଟି ପ୍ରଦାନ, ବୀମା ପ୍ରଦାନ, ନୂତନ ନିଯୁକ୍ତି ପାଇଥିବା ପାଚିକାମାନଙ୍କ ନାମ ପଞ୍ଜିକରଣ, ସ୍କୁଲମାନଙ୍କରେ ପାଚିକାମାନଙ୍କୁ ଜୋର ଜବରଦସ୍ତ ଅନ୍ୟ କାମରେ ନିୟୋଜିତ ବ୍ୟବସ୍ଥାକୁ ବନ୍ଦ କରାଯିବା ପ୍ରଭୃତି ଦାବି ଗୁଡିକ ରହିଛି । ଅତ୍ୟନ୍ତ ଦୁଃଖ ଓ କଷ୍ଟ ମଧ୍ୟରେ ଜୀବିକା ନିର୍ବାହ କରୁଥିବା ପାଚିକା-ସହାୟିକାମାନଙ୍କ ସମସ୍ୟାଗୁଡିକୁ ସହୃଦୟତାର ସହିତ ବିଚାର କରାଯାଇ ତୁରନ୍ତ ପଦକ୍ଷେପ ଗ୍ରହଣ କରାନଗଲେ ଆସନ୍ତା ଡିସେମ୍ବର ମାସ ୧୬ରାତିଖ ଠାରୁ କାମ ବନ୍ଦ ଆନ୍ଦୋଳନ କରାଯାଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅହୋରାତ୍ର ଧାରଣା ଦିଆଯିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି । ବିକ୍ଷୋଭ ଓ ଦାବିପତ୍ର ପ୍ରଦାନ ସମୟରେ ସଂଘର ଜିଲ୍ଲା ସଭାପତି ସୋହାନା ବେଗମ, ରାଜ୍ୟ ଉପସଭାପତି ଆଇନଜୀବୀ ରମଣୀ ରଞ୍ଜନ ରାଉତରାୟ, ଜିଲ୍ଲା କାର୍ଯ୍ୟକାରୀ ସଭାପତି ଗଜେନ୍ଦ୍ର ନାୟକ, ଜିଲ୍ଲା ସମ୍ପାଦିକା ସୌଭାଗିନୀ ପତି, ଅଞ୍ଜଳୀ ଦାସ, ପ୍ରମିଳା ଓଝା, ଲକ୍ଷ୍ମୀ ମଣ୍ଡଳ, ଡାଙ୍ଗୀ ସ୍ୱାଇଁ, ବିଚିତ୍ରା ସରକାର, ଅନୂସୟା ମଲ୍ଲିକ, କଳ୍ପନା ମଣ୍ଡଳ, କଲ୍ୟାଣୀ ପୃଷ୍ଠି, ସୁମିତ୍ରା ପାତ୍ର, ବାସନ୍ତି ରାଉତ, ଅହଲ୍ୟା ଦାସ, ଭଜହରି ପ୍ରଧାନ, ପ୍ରତୀମା ଜେନା, ବିଥିକା ସରକାର, ସୁମିତ୍ରା ଦାସ, ଅପର୍ଣ୍ଣା ମାଇତି, ସୁଷମା ମଣ୍ଡଳ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ