ନିଖିଳ ଓଡିଶା ଆଇନଜୀବୀ ସଙ୍ଘର କାର୍ଯ୍ୟକାରିଣୀ ବୈଠକ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-ନିଖିଳ ଓଡିଶା ଆଇନଜୀବୀ ସଙ୍ଘର ୨୦୨୨ମସିହାର ପ୍ରଥମ କାର୍ଯ୍ୟକାରିଣୀ ବୈଠକ କେନ୍ଦ୍ରାପଡା ଜିଲ୍ଲା ଓକିଲ ସଙ୍ଘର ସଭାପତି ଧ୍ରୁବ ଚରଣ ଜେନାଙ୍କ ସଂଯୋଜନା ଏବଂ ସଙ୍ଘର ଅନ୍ୟନ୍ୟା ବରିଷ୍ଠ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ଗରାପୁରସ୍ଥିତ ସ୍ୱୟଂସିଦ୍ଧା ସଭା କକ୍ଷରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ବହୁ ସଂଖ୍ୟାରେ ଯୋଗଦେଇଥିବା ଆଇନଜୀବୀମାନଙ୍କ ଗହଣରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସଙ୍ଘର ସଭାପତି ଗୋପାଳକୃଷ୍ଣ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଓକିଲମାନଙ୍କର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସମସ୍ୟା ସମ୍ପର୍କରେ ସାରଗର୍ଭକ ଆଲୋଚନା ହେବା ସହିତ ପରବର୍ତ୍ତୀ ସମୟରେ ସମସ୍ୟା ଗୁଡିକର ସମାଧାନ ପାଇଁ ଯଥା ସମ୍ଭବ ଆବଶ୍ୟକ ପଦକ୍ଷେପ ଗ୍ରାହଣ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ପ୍ରଥମେ ସଙ୍ଘର ଦିବଂଗତ ସଦସ୍ୟମାନଙ୍କ ଉଦେଶ୍ୟରେ ଏକ ମିନିଟ ନିରବ ପ୍ରାର୍ଥନା କରାଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ଆଲୋଚ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଗୁଡିକ ମଧ୍ୟରେ ରାଜ୍ୟ ସଙ୍ଘର ସଭ୍ୟ ସଂଖ୍ୟା ବୃଦ୍ଧି କରାଯିବା ପାଇଁ ବିଭିନ୍ନ ଓକିଲ ସଙ୍ଘ ଜରିଆରେ ଯଥାଶୀଘ୍ର ପଦକ୍ଷେପ ଗ୍ରହଣ ପାଇଁ ପ୍ରସ୍ତାବ ଗୃହିତ, ସଙ୍ଘର ଆର୍ଥିକ ସ୍ଥିତି ସୁଦୃଢ କରିବାକୁ ସାଧାରଣ ସମ୍ପାଦକଙ୍କ ତତ୍ୱାବଧାନରେ ଏକ କମିଟି ଗଠନ କରାଯିବାକୁ ନିଷ୍ପତ୍ତି, ନିମ୍ନ ଅଦାଲତ ମାନଙ୍କରେ ବିଚାରପତିଙ୍କ ନିଯୁକ୍ତି କ୍ଷେତ୍ରରେ ସଂସ୍କାର ଆଣିବା ପାଇଁ ଅନ୍ତତଃ ପକ୍ଷେ ୫ବର୍ଷ ଓକିଲାତି ପେଷାରେ ଅଭିଜ୍ଞତା ସହ ସର୍ବନିମ୍ନ ୧୦ଟି ଦେୱାନୀ ଏବଂ ଫୈାଜଦାରୀ ମାମଲା ପରିଚାଳନା କରିଥିବା ଓକିଲମାନଙ୍କୁ ଚୟନ କରାଯିବା ପାଇଁ ସଙ୍ଘ ପକ୍ଷରୁ ରାଜ୍ୟ ଉଚ୍ଚ ନ୍ୟାୟାଳୟ ଓ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ ପାଇଁ ନିଷ୍ପତ୍ତି ଗୃହିତ ହୋଇଥିଲା । ସେହିଭଳି କାର୍ଯ୍ୟରତ ଓକିଲମାନଙ୍କ ସୁରକ୍ଷା ପାଇଁ ଯେ କୈାଣସି ଓକିଲଙ୍କ ବିରୋଧରେ ପୈାଜଦାରୀ ମାମଲା ଦାୟର କରିବା ପାଇଁ ଓକିଲମାନଙ୍କ ଦ୍ୱାରା ଗଠିତ ଉପଯୁକ୍ତ କମିଟି, ପରିଷଦ ବା ସଙ୍ଘର ଅନୁମୋଦନ ଆବଶ୍ୟକ ବୋଲି ଆଇନଗତ ବ୍ୟବସ୍ଥା ଗ୍ରହଣ କରିବା ପାଇଁ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ସଙ୍ଘର ପରବର୍ତ୍ତି କାର୍ଯ୍ୟକାରିଣୀ ବୈଠକ ଭଦ୍ରକ ଓକିଲ ସଙ୍ଘ ଆନୁକୂଲ୍ୟରେ ଅନୁଷ୍ଠିତ ହେବାର ସୂଚନା ପ୍ରଦାନ ସହ ରାଜ୍ୟ ସଙ୍ଘର ୫୧ତମ ବାର୍ଷିକ ଅଧିବେଶନ ରାଉରକେଲାରେ ଅନୁଷ୍ଠିତ ହେବାକୁ ନିଷ୍ପତ୍ତି । ସଙ୍ଘର ଉପସଭାପତି ପ୍ରଦୀପ କୁମାର ପଣ୍ଡା, ଜ୍ୟୋତିପ୍ରକାଶ ରଥ, ସଞ୍ଜୟ କୁମାର ଦାସ, ପୂର୍ବତନ ସଭାପତି ବିଚିତ୍ର ବଡଜେନା, କାର୍ଯ୍ୟକାରୀ କମିଟି ସଦସ୍ୟ ପ୍ରଦିପ ପଟ୍ଟନାୟକ, ସଦୟଲକ୍ଷ୍ମୀ ପଟ୍ଟନାୟକ, ଶ୍ରଦ୍ଧାଞ୍ଜଳି ସାହୁ, ପ୍ରକାଶ କୁମାର ଦାଶ, ଦେବାଶିଷ ମିଶ୍ର, ଅଭିଜିତ ଦାସ ପ୍ରମୁଖଙ୍କ ଉପସ୍ଥିତିରେ ଅନୁଷ୍ଠିତ ରାଜ୍ୟ ସଙ୍ଘର ସାଧାରଣ ସମ୍ପାଦକ ସୁଶାନ୍ତ କୁମାର ବରାଳ ବିବରଣୀ ଉପସ୍ଥାପନ କରିବା ସହିତ ବିଭିନ୍ନ ବିଷୟରେ ଆଲୋକପାତ କରିଥିଲେ । ପରିଶେଷରେ କେନ୍ଦ୍ରାପଡା ଓକିଲ ସଙ୍ଘର ବରିଷ୍ଠ ସଦସ୍ୟ ତଥା କେନ୍ଦ୍ରାପଡା ପୈାରପରିଷଦର ପ୍ରାକ୍ତନ ନଗରପାଳ ଧିରେନ କୁମାର ସାହୁ, ଧନ୍ୟବାଦ ଅର୍ପଣ କରିଥିଲେ । ସରକାରୀ ଓକିଲ ଗୋବର୍ଦ୍ଧନ ରାଉତ, ହାଡିବନ୍ଧୁ ସିଂ, ବଳଦେବ ପ୍ରସାଦ ସାମନ୍ତରାୟ, ସରୋଜରାଜ ସିଂ, ପ୍ରଭାତ ଅଧିକାରୀ, ଜିଲ୍ଲା ଓକିଲ ସଙ୍ଘ ସମ୍ପାଦକ ଜୀତେନ୍ଦ୍ରୀୟ ରାଉତ, ଅକ୍ଷୟ ନାଥ, ନିହାର ମହାପାତ୍ର, ଜିତୁ ମହାନ୍ତି, ନେହେରୁ ସାହୁ ପ୍ରମୁଖ ଆଇନଜୀବୀମାନେ ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ